ଗଣତିମଣତି ହେଲା ଶ୍ରୀଅଲାରନାଥ ଦେବଙ୍କ ରତ୍ନ – ସୁନା ଅଳଙ୍କାର।
ବ୍ରହ୍ମଗିରି ୧୨/୧୨ :ଶ୍ରୀଅଲାରନାଥ ଦେବ ମନ୍ଦିର ଟ୍ରଷ୍ଟ ବୋର୍ଡ, ମନ୍ଦିର ସେବାୟତ ସ୍ଥାନୀୟ ପ୍ରତିନିଧିଙ୍କ ଉପସ୍ଥିତରେ ଏକ ବୈଠକ ମନ୍ଦିର ପରିସରରେ ଶ୍ରୀଚୈତନ୍ଯ ଚକଡାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ରହ୍ମଗିରି ବ୍ଳକର ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ମନ୍ଦିର ପରିଚାଳନା କମିଟି ସଭ୍ଯ ଶ୍ରୀମତୀ ମନୀଷା ଷଡଙ୍ଗୀ ସଭାପତିତ୍ବ କରିଥିଲେ। ମନ୍ଦିର କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ମାଝି ସମସ୍ତ ଉପସ୍ଥିତ ଟ୍ରଷ୍ଟ ବୋର୍ଡ ସଦସ୍ଯ , ସେବାୟତ, ସ୍ଥାନୀୟ ପ୍ରତିନିଧି ମାନଙ୍କୁ ସ୍ବାଗତ ସମର୍ଦ୍ଧନା କରିଥିଲେ। ଅତିତିକ୍ତ ତହସିଲଦାର ଶ୍ରୀ ଶରତ କୁମାର ଦେଉରି ବୈଠକର ଉଦ୍ଦେଶ୍ଯ ସଂପର୍କରେ ଆଲୋଚନା କରି କହିଥିଲେ ଠାକୁରଙ୍କ ସୁନା, ରୂପା , ରତ୍ନ ଆଦି ଅଳଙ୍କାର ଗଣତି ମଣତି ହେବାର ଆବଶ୍ଯକ ରହିଛି। ଦୁଇବର୍ଷ ତଳେ ସମସ୍ତ ସୁନା ରୂପା ମଣତି ହୋଇ ମନ୍ଦିର ରତ୍ନ ଭଣ୍ଡାରରେ ରହିଅଛି। ବିଗତ ଦୁଇବର୍ଷ ମଧ୍ଯରେ ଦାନ ସୁତ୍ରରେ ଅବା ମନ୍ଦିର ତରଫରୁ କ୍ରୟ ହୋଇଥିବା ଅଳଙ୍କାର ମଣତି ହେବା ଦରକାର। ସମସ୍ତ ଉପସ୍ଥିତ ସଭ୍ଯ ,ସେବାୟତ ଉକ୍ତ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଦୁଇ ବର୍ଷ ମଧ୍ଯରେ ମିଳିଥିବା ସୁନାରୂପା ଅଳଙ୍କାର ସମସ୍ତ ଉପସ୍ଥିତିରେ ଓଜନ , ଗଣତି ମଣତି କରାଯାଇଥିଲା। ଦାନ ସୁତ୍ରରେ ମିଳିଥିବା ସୁନା ଖଡୁ , ସୁନା ମୁଦି, ସୁନା ଚିତା, ମଥାମଣି, ପଦକ ହାର ଏବଂ ରୂପାର ପାଉଜି , ମୁକୁଟ, ମେଖଳା ଆଦିକୁ ଓଜନ କରାଯାଇ ତାଲିକା କରାଯାଇ ଥିଲା। ସମସ୍ତଙ୍କର ଉପସ୍ଥିତିରେ ଲୁହା ଚାମ୍ବର ରତ୍ନ ଭଣ୍ଡାର ଖୋଲା ଯାଇ ତାହା ଭିତରେ ରଖାଯାଇ ଥିଲା। ପୁଣି ଚାବି କରାଯାଇ ସିଲ୍ କରାଯାଇ ଥିଲା।

ଠାକୁରଙ୍କ ରତ୍ନ ଅଳଙ୍କାର ଗଣତି ମଣତି ହୋଇଥିବାରୁ ସେବାୟତ ଏବଂ ଶ୍ରୀ ଅଲାରନାଥଙ୍କ ଶ୍ରଦ୍ଧାଳୁମାନେ ଖୁସି ବ୍ଯକ୍ତ କରିଥିଲେ। ଟ୍ରଷ୍ଟ ବୋର୍ଡର ସଭ୍ଯ ଶ୍ରୀ ନାରାୟଣ ପଣ୍ଡା, ଶ୍ରୀ ଲୋକନାଥ ସୁଆର, ଶ୍ରୀ ନୃସିଂହ ଜେନା, ଶ୍ରୀ କାଶୀନାଥ ନାୟକ , ଥାନା ଅଧିକାରୀଙ୍କ ପ୍ରତିନିଧି, ସବରେଜିଷ୍ଟରଙ୍କ ପ୍ରତିନିଧି, ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିନିଧିଙ୍କ ସହିତ ବରିଷ୍ଠ ସେବକ ସବାୟତ ଶ୍ରୀ ଶିବ ସୁଆର, ଶ୍ରୀ ନୀଳମଣି ସୁଆର, ଶ୍ରୀ ମଧୁସୂଦନ ପୂଜାପଣ୍ଡା, ଶ୍ରୀ ସୁରେନ୍ଦ୍ର ସୁଆର, ଶ୍ରୀ ବିଜୟ ସୁଆର ପ୍ରମୁଖ ଉପସ୍ଥିତ ରହି ଗଣତି ମଣତିରେ ସହଯୋଗ କରିଥିଲେ।
