ହୃଦୟର ଶ୍ରଦ୍ଧା ସଂସାରର ସୁଧା

          ହୃଦୟର ଶ୍ରଦ୍ଧା ସଂସାରର ସୁଧା
           ( ରାଗ — ବିଭାସ କେଦାର )

  🖊️କବିରତ୍ନ ନୂତନ କୁମାର ବେହେରା

ହୃଦୟର ଶ୍ରଦ୍ଧା ସଂସାରର ସୁଧା,
            ଦାନରେ ବସୁଧା ଦିଏ ନାହିଁ ବାଧା।
ଶ୍ରଦ୍ଧାରୁ ଜନମେ ବିଶ୍ଵାସ ଏ ଧାମେ,
        ମଣିଷ ତା’ ପ୍ରେମେ ରହେ ଅନୁପମେ।
ଜ୍ଞାନର ପିପାସା ତାର ପରିଭାଷା,
            ନିଷ୍ଠାର ଭରସା ପୂର୍ଣ୍ଣ କରେ ଆଶା।
ଶ୍ରଦ୍ଧାର ପାଦପ ସହି କ୍ଳିଷ୍ଟ ତାପ,
           ଘୁଞ୍ଚାଏ ସନ୍ତାପ ତା’ ଛାୟା ଅମାପ।
ବିଶ୍ବାସର କଢ଼ି ଦୃଢ଼ ହୁଏ ବଢ଼ି,
          କାଳ ସାଥେ ଲଢ଼ି ଭାଗ୍ୟ ଦିଏ ଗଢ଼ି।
ଫୁଟି ହୁଏ ଫୁଲ ବଢ଼େ ତାର ମୂଲ,
               ରୁହଇ ଅତୁଲ କରେ ସବୁ ଭଲ।
ଶ୍ରଦ୍ଧାରୁ ନମ୍ରତା ଗୁଣେ ମଧୁରତା,
         ସେଇ ସରଳତା ତାହାର ଯୋଗ୍ୟତା।
ବ୍ୟକ୍ତିତ୍ଵର ଜ୍ଞାନ ସଂସ୍କାରର ଧନ,
                ବଢାଏ ସମ୍ମାନ ଗଢ଼ଇ ଜୀବନ।
ହୃଦୟର ଶ୍ରଦ୍ଧା ଭାବ ହିଁ ପୁରୋଧା,
            ରଖେନା ଦୁବିଧା ଥାଏ ସାଧା ସିଧା।
ବ୍ୟକ୍ତିର ଚରିତ୍ର ହୁଅଇ ପବିତ୍ର,
          ହୋଇ ପ୍ରିୟପାତ୍ର ରହେ ସେ ସର୍ବତ୍ର।
ଭାବ ବିନିମୟେ ରହେ ସଦୁପାୟେ,
            ମନ ରଖି ଲୟେ ଥାଏ ନିରିଭୟେ।
ହୃଦୟର ଶ୍ରଦ୍ଧା ସୁମନ ସୁଗନ୍ଧା
          ସୁଯୋଗ ସୁବିଧା ତାର ପାଶେ ବନ୍ଧା।

    ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
       ନବସୃଜନ ଇ-ପତ୍ରିକା,

        କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *