କୁମ୍ଭକାର ମାନଙ୍କ ପବିତ୍ର କୁରାଳ ପଞ୍ଚମୀ ପର୍ବ
ମାର୍ଗଶୀର ଶୁକ୍ଳ ପଞ୍ଚମୀ ଠାରୁ ପାଞ୍ଚ ଦିନ ବ୍ୟାପୀ କୁମ୍ଭକାର ମାନଙ୍କ ପବିତ୍ର କୁରାଳ ପଞ୍ଚମୀ ପର୍ବ ଶ୍ରୀକ୍ଷେତ୍ର ସମେତ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି. ପର୍ବ ପାଳନ ଯୋଗୁଁ ଆଜି ଠାରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ହାଣ୍ଡି କୁଡୁଆ ଯୋଗାଣ ସମ୍ପୂର୍ଣ ବନ୍ଦ ରହିଛି.ପର୍ବ ପାଳନ ଅବସରରେ କୁମ୍ଭକାର ମାନେ ହାଣ୍ଡି ଗଢ଼ା କାର୍ଯ୍ୟ ବନ୍ଦ ରଖି ସେମାନଙ୍କର ହାଣ୍ଡି ଗଢ଼ା ସରଞ୍ଜାମ ଯଥା ଚକ, ପିଣ୍ଡ, ପିଟଣା କୁ ପୂଜାରେ ବସାଇଛନ୍ତି ।ସମସ୍ତ କୁମ୍ଭକାର ମାନେ ଅତି ଶୁଦ୍ଧପୁତ ଭାବେ ହବିଷ୍ୟନ୍ନ ଭୋଜନ ପୂର୍ବକ ସେମାନଙ୍କ ଇଷ୍ଟ ଦେବତା ରୁଦ୍ରପାଳ ଏବଂ ରତ୍ନେଶ୍ଵରୀ ଙ୍କୁ ଲକ୍ଷ୍ମୀ ନାରାୟଣ ରୂପେ ପୂଜା କରିଥାନ୍ତି । ପୁରୀ ର କୁମ୍ଭାରପଡା, ଟିକରପଡା, ଜେନାପୁର, ନୂଆସାହି ସମେତ ସଦର ଅଂଚଳରେ ମଧ୍ୟ ଏହି ପର୍ବ ଧୁମଧାମରେ ପାଳନ କରାଯାଉଛି । ବିଭିନ୍ନ ସ୍ଥାନ ରେ ସାର୍ଵ ଜନିନ ପୂଜା ମଣ୍ଡପ ସ୍ଥାପନ କରାଯାଇ ରୁଦ୍ରପାଳ ରତ୍ନେଶ୍ଵରୀ ଙ୍କ ପୂଜା ଚାଲିଛି । ପାଞ୍ଚ ଦିନରେ ପାଞ୍ଚ ପ୍ରକାର ଭୋଗ କରାଯିବାର ପରମ୍ପରା ରହିଛି ।ପ୍ରଥମ ଦିନରେ ସାଧା ଅନ୍ନ ଦ୍ଵିତୀୟ ଦିନରେ କେବଳ ପିଠା, ତୃତୀୟ ଦିନରେ ଦହିପଖାଳ, ଚତୁର୍ଥ ଦିନ ଖେଚୁଡ଼ି ଏବଂ ପଞ୍ଚମ ଦିନ ଚକୁଳି ଭୋଗ କରାଯାଇ ଠାକୁର ଙ୍କୁ ବିସର୍ଜନ କରାଯିବ ।

ଉଦଯାପନୀ ସନ୍ଧ୍ୟା ରେ ଏକ ଶୋଭାଯାତ୍ରା ରେ ସାହି ପରିକ୍ରମା ପରେ ଠାକୁର ମାନଙ୍କୁ ଅଠରନଳା ନଦୀ ରେ ବିସର୍ଜନ କରାଯିବ।ଭକ୍ତ କବି ଦୀନକୃଷ ଦାସ ଙ୍କ ରଚିତ କୁରାଳ ପୁରାଣ ରେ କୁମ୍ଭକାରଙ୍କ ଇତିବୃତ୍ତି ସହିତ ଭଗବାନ ବିଷ୍ଣୁ ଙ୍କ ସୁରସେନ ଚକ୍ର ବା କୁରାଳ ଚକ୍ର ସମ୍ପର୍କରେ ବିସ୍ତୃତ ବର୍ଣନା ରହିଛି ।ଦୈନିକ ରୀତିରେ ପୂର୍ଣ୍ଣକୁମ୍ଭର ଅଗ୍ର ପୂଜା ଏବଂ ହିନ୍ଦୁ ପୂଜା ପାର୍ବଣ ରେ ମାଟି,ଦୀପ,ସରା ଓଳି ଆଦି ମାଟି ସାମଗ୍ରୀ ର ଆବଶ୍ୟକତା ଉପରେ ମଧ୍ୟ ବିବରଣୀ ବିଭିନ୍ନ ପୁରାଣ ରେ ବର୍ଣନା କରାଯାଇଛି ।ପର୍ବ ଉପଲକ୍ଷେ ସାହି ବସ୍ତି ରଙ୍ଗୀନ ଆଲୋକ ମାଳରେ ସୁସଜିତ କରାଯାଇଛି।ପର୍ବ ର ଚତୁର୍ଥ ଦିବସ ଅର୍ଥାତ 28ତାରିଖ ଶୁକ୍ରବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ.କୁରାଳ ପଞ୍ଚମୀ ପର୍ବ ଉପଲକ୍ଷେ କୁମ୍ଭକାର ନିଯୋଗ ପକ୍ଷରୁ ମହେନ୍ଦ୍ର ବିଶୋଇ, ଏବଂ କୁରାଳ ମହାସଂଘ ରାଜ୍ୟ ସଭାପତି ସରୋଜ କୁମାର ବେହେରା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
