ଦେବଶଣ୍ଢଗୁଡ଼ା ଗ୍ରାମବାସୀ ଙ୍କ ଆଶା ସାକାର ହେବାକୁ ଯାଉଛି

ନନ୍ଦପୁର:- ରାସ୍ତା ସମସ୍ୟାରେ ଜର୍ଜରିତ ହୋଇ ଦୁର୍ଦ୍ଦଶାରେ ଦିନ କାଟୁଥିବା ଦେବଶଣ୍ଢଗୁଡା ଗ୍ରାମବାସୀଙ୍କ ଆଶା ସାକାର ହେବାକୁ ଯାଉଛି। ଦଶନ୍ଧିର ଅପେକ୍ଷା ମାତ୍ର ଦଶ ଦିନରେ ପୂରଣ ହୋଇଥିବାରୁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି।ସୂଚନାନୁଯାୟୀ, ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତ ଦେବଶଣ୍ଢଗୁଡା ଗ୍ରାମ ପାଇଁ ବାସକି ନଦୀ ବର୍ଷ ବର୍ଷ ଧରି ଦୁଃଖର କାରଣ ହୋଇ ରହିଥିଲା। ନଦୀ ଉପରେ ପୋଲ ନଥିବାରୁ ଗ୍ରାମବାସୀ ଦୈନନ୍ଦିନ ଯାତାୟାତ ସମସ୍ୟାର ଶିକାର ହେଉଥିଲେ। ବର୍ଷା ଋତୁରେ ସ୍ଥିତି ଅଧିକ ଜଟିଳ ହୋଇ ପଡୁଥିଲା। ଛାତ୍ରଛାତ୍ରୀ, ରୋଗୀ ଓ ସାଧାରଣ ଲୋକଙ୍କ ପାଇଁ ଯାତାୟାତ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ଫେବ୍ରୁଆରି ୨୭ରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ନନ୍ଦପୁର ଗସ୍ତ ସମୟରେ ବାସକି ନଦୀ ପାରି ହୋଇ ଦେବଶଣ୍ଢଗୁଡା ଗ୍ରାମରେ ପହଞ୍ଚିଥିଲେ।

ଗ୍ରାମବାସୀଙ୍କ ସମସ୍ୟା ନିଜ ଆଖିରେ ଦେଖିବା ପରେ ଯାତାୟାତ ଅସୁବିଧା ଶୀଘ୍ର ଦୂର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବାସକି ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଜିଲ୍ଲାପାଳ ଗୁରୁତ୍ବର ସହ ଗ୍ରହଣ କରି ପୋଲ ନିର୍ମାଣ ପାଇଁ ଅନୁମୋଦନ ଦେଇଥିବା ନନ୍ଦପୁର ବିଡ଼ିଓ ଦୁର୍ଗା ପ୍ରସାଦ ଦୋରା ଗଣମାଧ୍ୟମକୁ ଜଣାଇଛନ୍ତି। ଗ୍ରାମବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହେବାକୁ ଯାଉଥିବାରୁ ଦେବଶଣ୍ଢଗୁଡା ଗ୍ରାମବାସୀ ମଧ୍ୟରେ ଖୁସିର ଲହରୀ ଦେଖାଦେଇଛି। ଗ୍ରାମବାସୀ ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ସ୍ବାଗତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *