ଅସହାୟ ବ୍ୟକ୍ତିଙ୍କ ଘର ଭାଙ୍ଗି ବିକି ଦେଲେ ଜମି !
କୋଣାର୍କରେ ବେଆଇନ୍ ଭାବେ ସରକାରୀ ଜମି ବିକ୍ରୟ; ଅସହାୟ ବ୍ୟକ୍ତିଙ୍କ ଘର ଭାଙ୍ଗି ବିକିଦେଲେ ଜମି କୋଣାର୍କ – ପୁରୀ ଜିଲ୍ଲା ଗୋପ ତହସିଲ ଅନ୍ତର୍ଗତ କୋଣାର୍କ ଆରଆଇ ସର୍କଲ ମାଧିପୂର ମୌଜାରେ ସରକାରୀ ଜମି ଜବରଦଖଲ ସହ ଲକ୍ଷାଧିକ ଟଙ୍କାରେ ବିକ୍ରୟ କରୁଛନ୍ତି କିଛି ଦଲାଲ୍। ଅସାମାଜିକ ଯୁବକ ତଥା ଗୁଣ୍ଡା ମାନଙ୍କୁ ଲଗାଇ ଅସହାୟଙ୍କ ଘର ଭାଙ୍ଗିବା ସହିତ ଗୁଣ୍ଠ ପ୍ରତି ୪ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି ସରକାରୀ ଜମି। ପୋଲିସରେ ଅଭିଯୋଗ ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଜଣେ ଅସହାୟ ବୃଦ୍ଧ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସୁଚନା ଅନୁଯାୟୀ ବିଦ୍ୟାଧର ମହାରଣା ନାମକ ଜଣେ ଅସହାୟ ସନ୍ୟାସୀ ଦୀର୍ଘ ୪୦ ବର୍ଷ ହେବ ମାଧିପୂର ମୌଜାର ଖାତା ୩୬ ଓ ପ୍ଲଟ ନମ୍ବର ୩୪୩ ରେ ଦୁଇ ବଖରା ଆଜବେଷ୍ଟସ ଘର କରି ସନ୍ୟାସୀ ଜୀବନ ଅତିବାହିତ କରିବା ସହ ଲୋକ ମାନଙ୍କ ସେବା ଆଦି କରନ୍ତି। କିନ୍ତୁ ପୁରୀରୁ କିଛି ଅସାମାଜିକ ବ୍ୟକ୍ତି ବିଶେଷ କିଛି ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ଧରି ସନ୍ନ୍ୟାସୀଙ୍କ ଘର ଭାଙ୍ଗିବା ସହିତ ତାକୁ ଅନ୍ୟ ମାନଙ୍କୁ ବିକ୍ରି କରି ଦେଇଛନ୍ତି। ଯାହା ଫଳରେ ଅସହ୍ୟ ଶୀତ କାକରରେ ସନ୍ୟାସୀ ଜଣଙ୍କ ଶୋଉଥିବା ଦେଖିବାକୁ ମିଳିଛି। ଘର ଭାଙ୍ଗିବା ସହିତ ଅସବାପତ୍ର ମଧ୍ଯ ଭାଙ୍ଗି ଫୋପାଡି ଦେଇଛନ୍ତି। ଏନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଯାହା ଫଳରେ ସେ ଅବ୍ୟବସ୍ଥା ଭିତରେ ଶୀତ କାକରରେ ପଡିଛନ୍ତି। ଦଲାଲ୍ ମାନେ ନିଜ ଜମି କହି ସରକାରୀ ଜାଗାକୁ ପ୍ଲଟିଂ କରି ଗୁଣ୍ଠ ପ୍ରତି ୪ ଲକ୍ଷ ଟଙ୍କାରେ ବିକୁଥିବା ଅଭିଯୋଗ ହେଉଛି। ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଦଲାଲ୍ ମାନଙ୍କୁ ଗିରଫ କରିବା ପାଇଁ ସାମାଜିକ କର୍ମୀ ପ୍ରଦୀପ୍ତ କୁମାର ଚାନ୍ଦ ପ୍ରକାଶ କରିଛନ୍ତି।
