ଶ୍ରୀମନ୍ଦିର ରତ୍ନଭଣ୍ଡାର ଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ
ଶ୍ରୀମନ୍ଦିର ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହେଲା । ଦୀର୍ଘ 48 ବର୍ଷ ପରେ ପୁନର୍ବାର ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ଆରମ୍ଭ ହୋଇଛି । ଆଜି ମଧ୍ୟାହ୍ନ ୧୨ ଟା ୯ ମିନିଟ୍ ରୁ ୧ ଟା ୪୫ ପର୍ଯ୍ୟନ୍ତ ଶୁଭ ବେଳା ସ୍ଥିରୀକୃତ ହୋଇଥିଲା । ଏହି ଶୁଭ ବେଳାରେ ରତ୍ନ ଅଳଙ୍କାରର ଗଣତି ମଣତି ଟିମ୍ ର ସଦସ୍ୟ ମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପ୍ରବେଶ କରିବା ସହ ରତ୍ନଅଳଙ୍କାର ଗଣତି ମଣତି ଆରମ୍ଭ କରିଛନ୍ତି । ଆଜି ପ୍ରଥମେ ମହାପ୍ରଭୁଙ୍କ ଚଳନ୍ତି ଅଳଙ୍କାରର ଗଣତି ମଣତି ଆରମ୍ଭ ହୋଇଛି | ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦିନ ଧାର୍ଯ୍ୟ କରାଯାଇ ପର୍ଯ୍ୟାୟ କ୍ରମେ ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ। ସମସ୍ତ ଗଣତି ମଣତି କାର୍ଯ୍ୟ ସିସିଟିଭି ଲଗାଯାଇ କରାଯାଉଥିବା ବେଳେ ସମସ୍ତ ରତ୍ନ ଅଳଙ୍କାରର ଭିଡିଓ ଏବଂ ଫଟୋଗ୍ରାଫି କରାଯାଉଛି । ସେହିପରି ସମସ୍ତ ରତ୍ନ ଅଳଙ୍କାରର ଡିଜିଟାଲ କ୍ୟାଟଲକ ମଧ୍ୟ କରାଯିବ। ଫଳରେ ଆଗାମୀ ଦିନରେ ରତ୍ନ ଅଳଙ୍କାରର ଗଣତି ମଣତି ସମୟରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ। ୧୯୭୮ ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଇଥିଲା। ଏହା ଦୀର୍ଘ ୭୨ ଦିନ ଧରି ଚାଲିଥିଲା। ତେବେ ଏସଓପି ଅନୁଯାୟୀ ୨୦୨୬ ରେ ହେବାକୁ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ। ଗଣତି ମଣତି କାର୍ଯ୍ୟକୁ ନେଇ ଯେଭଳି ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ଯେଭଳି ଭାବେ ପ୍ରଭାବିତ ନ ହୁଏ ତା’କୁ ଦୃଷ୍ଟିରେ ରଖି ଶନିବାର, ରବିବାର, ବିଭିନ୍ନ ପର୍ବପର୍ବାଣି ସମେତ ଭକ୍ତଙ୍କ ଭିଡ଼ ଥିବା ଦିନ ମାନଙ୍କରେ ଗଣତି ମଣତି କାର୍ଯ୍ୟ ହେବ ନାହିଁ। ଶ୍ରୀମନ୍ଦିର କମାଣ୍ଡରଙ୍କ ଦ୍ବାରା ଯେଉଁ ଦିନ ଧାର୍ଯ୍ୟ କରାଯିବ ସେହିଦିନ ହିଁ ଅଧିକ ସମୟ ଦିଆଯାଇ ଗଣତି ମଣତି କାର୍ଯ୍ୟ କରାଯିବ।
