ଜେସିବି ମେସିନ୍ ପୋଡିଲେ ଦୁର୍ବୁତ୍ତ
ଲକ୍ଷ୍ମୀପୁର,୨୯/୦୫ – କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଗାଡି ପୋଡା ଜଳା ଖବର ମିଳିଛି।ମାଓ ଅଞ୍ଚଳ ଭାବେ ପରିଚିତ ଥିବା ନାରାୟଣପାଟଣା ବ୍ଲକ ସାନ୍ତ ପଡି ଆସୁଥିବା ବେଳେ ପୁଣି ଅଶାନ୍ତ ହୋଇ ଉଠିଛି।ଏହା ମାଓବାଦିଙ୍କ କାମ ନା କେହି ଦୁର୍ବୁତ୍ତ ମାନେ ଏହି ଘଟଣା ଘଟାଇଛନ୍ତି ତାହା ଜଣା ପଡିନଥିଲା ବେଳେ ରବିବାର ଦିନ ଘଟଣା ସ୍ଥଳକୁ ପୋଲିସ୍ ଯାଇ ତଦନ୍ତ କରି କିଛି ଲୋକଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣା ପଡିଛି।ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତଳଗୁମାଣ୍ଡି ପଞ୍ଚାୟତ ର ଭିତରପଡା ନିକଟରେ କର୍ଣ୍ଣକୋଣ୍ଡା ପାହାଡରେ ଥିବା ବକ୍ସାଇଟ ଖଣି ଅଞ୍ଚଳ ପାଇଁ ରାସ୍ତା ନିର୍ମାଣ କରୁଥିବା କମ୍ପାନିର ଏକ ଜେସିବି ମେସିନ କୁ କେହି ଦୁର୍ବୁତ୍ତ ମାନେ ସନିବାର ସନ୍ଧ୍ୟାରେ ପୋଡି ଦେଇଛନ୍ତି।ଏଥିସହ ଆଉ ଅନ୍ୟ କେତୋଟି ଗାଡି ଗୁଡିକୁ ମଧ୍ୟ ଭଙ୍ଗା ରୁଜା କରିଛନ୍ତି।
ଘଟଣା ସ୍ଥଳରେ ପୋଷ୍ଟର କିମ୍ବା ବ୍ୟାନର ନଥିବାରୁ ଏଥିରେ ମାଓବାଦୀଙ୍କ ସମ୍ପୃକ୍ତି ନଥିବା ସ୍ପଷ୍ଟ ହୋଇଛି।
ସୂଚନା ଯୋଗ୍ୟ ଯେ ଏହି ପାହାଡ଼ ରେ ଥିବା ୯ ହେକ୍ଟରପରିମାଣ ଜମିରେ ଥିବା ବକ୍ସାଇଟ ଉତ୍ତୋଳନ ପାଇଁ ଗତ ଫେବୃଆରି ମାସରେ ମରିଚ ମାଳ ଗାଁରେ ଖଣି ନିଗମ ତରଫରୁ ପ୍ରଶାସନ ଦ୍ୱାରା ଏକ ଜନଶୁଣାଣୀ କାର୍ଯ୍ୟକ୍ରମ କରାଯାଇଥିଲା।ହେଲେ ଲୋକେ କିନ୍ତୁ ପାହାଡରୁ ଖଣି ଉତ୍ତୋଳନ କରାଇଦେବୁନି ବୋଲି ଜନ ଶୁଣାଣୀକୁ ବିରୋଧ କରିବାରୁ ପ୍ରଶାସନର ଚିନ୍ତା ବଢି ଯାଇଥିଲା।ତଥାପି ରାସ୍ତା ନିର୍ମାଣ ସମୟରେ କେହି ବିରୋଧ କରି ନଥିଲେ।କିନ୍ତୁ ରାସ୍ତା କାର୍ଯ୍ୟ ଅଧା ସରି ଯାଇଥିବା ବେଳେ ଏହିଭଳି ଘଟଣା ଘଟିବାରୁ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।
