ଚିଠି ବାସୁଛି ତୁଳସୀ ତୁଳସୀ
ଚିଠି ବାସୁଛି ତୁଳସୀ ତୁଳସୀ
🖊️କବିରତ୍ନ ନୂତନ କୁମାର ବେହେରା
ପାଖକୁ ମୋର ଶ୍ରୀକ୍ଷେତ୍ରରୁ ବାର୍ତ୍ତା ଆସିଛି
ଭକ୍ତି ପ୍ରେମ ରସେ ସେ ଚିଠି ବାସୁଛି
ତୁଳସୀ ତୁଳସୀ……,
ଦେଖୁଛି ଆଗେ ମୋ କାଳିଆ ବସି ହସୁଛି
ଦିବ୍ୟଜ୍ୟୋତି ତାର ଝଲସି ଉଠୁଛି
ଲାଗେ ଭାରି ଖୁସି…,
ଚିଠି ବାସୁଛି ତୁଳସୀ ତୁଳସୀ…
ଚିଠି ବାସୁଛି ତୁଳସୀ ତୁଳସୀ।୧।
କାଳିଆ ରାଜା ମୋର ମୋତେ ଲେଖି ଦେଇଛି
କରୁଣାର ଆଶିଷ ସୁଧା ଝରୁଛି
ପଡ଼ୁଛି ବରଷି……,
ମୋ ମନର କଥା ବୁଝି ସେ ସବୁ ଲେଖିଛି
ତା’ ବାଙ୍କ ଚାହାଁଣିରେ ଚାହିଁ ରହିଛି
ଓଠେ ମୃଦୁ ହସି……,
ମୋ ବିଶ୍ଵାସରେ ଭରି ଦିଏ ଖୁସି…
ଚିଠି ବାସୁଛି ତୁଳସୀ ତୁଳସୀ।୨।
ଲେଖିଛି ସେ ମୁଁ ମନଊଣା କାହିଁ କରୁଛି
ମୋ ଆଗରେ ପଛରେ ସିଏ ତ ଅଛି
ଦୁଃଖ ଦିଏ ନାଶି……,
ବିପଦେ ମୋର ସାହା ହୋଇ ସବୁ ଦେଉଛି
ମୋ ଲାଗି କୃପା ତାର ସଦା ରହିଛି
ମିଛେ ଯାଏଁ ରୁଷି……,
ମାୟା ମୋହେ ପଡ଼ି ରହିଛି ବସି…
ଚିଠି ବାସୁଛି ତୁଳସୀ ତୁଳସୀ।୩।
ଜୀବ ଜୀବନ ସେ ସଂସାର ସାରା ଗଢ଼ିଛି
ଜଗତକୁ ତା’ ହାତେ ଧରି ରଖିଛି
ସିଏ ଅବିନାଶୀ……,
କରମ ନେଇ ଫଳ ସବୁ ସିଏ ଦେଉଛି
ଅଯଥା ମୁଁ ଭାଗ୍ୟକୁ ନିନ୍ଦା କରୁଛି
ହୋଇ ଅବିଶ୍ଵାସୀ……,
ଜ୍ଞାନର ଆଲୋକ ଦିଏ ପ୍ରକାଶି
ଚିଠି ବାସୁଛି ତୁଳସୀ ତୁଳସୀ।୪।
ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ
ନବସୃଜନ ଇ-ପତ୍ରିକା
କୋହି, ବାରିପଦା, ମୟୂରଭଞ୍ଜ,
