ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି ମିନି ପାର୍କ, ରକ୍ଷଣାବେକ୍ଷଣ ଅଭାବରୁ ଖତ ଖାଉଛି ବ୍ୟାୟାମ ସାମଗ୍ରୀ

ଗଣିଆ -ଗଣିଆ ଭଳି ଏକ ଅନୁନ୍ନତ ଅଂଚଳରେ ପ୍ରାତଃ ଭ୍ରମଣ ତଥା ଆମୋଦପ୍ରମୋଦ କରିବା ପାଇଁ କୈାଣସି ସୁବିଧା ସୁଯୋଗ ନଥିଲା । ଗଣିଆରେ କାର୍ଯ୍ୟରତ ପୂର୍ବତନ ବିଡ଼ିଓ ସିରିୟାଲ ଶୁଭ୍ର ପଟେଲଙ୍କ ଉଦ୍ୟମରେ ବ୍ଳକ କଲୋନୀ ପରିସରରେ ଏକ ମିନି ପାର୍କ ନିର୍ମାଣ କରାଗଲା । ପାର୍କ ପରିସରରେ ସୁନ୍ଦର ସୁନ୍ଦର ଗଛ ଲଗାଇବା ସହିତ, ଆଲୋକୀକରଣ,ବସିବା ପାଇଁ ପାର୍କ ଚାରିପଟେ ସିମେଣ୍ଟ ଚଟାଣ,ଦୋଳି, ବ୍ୟାୟାମ କରିବା ପାଇଁ ବିଭିନ୍ନ ପ୍ରକାରର ଆସବାବପତ୍ର ସହିତ ବ୍ୟାଡ ମିଣ୍ଟନ ଖେଳିବା ପାଇଁ କୋର୍ଡ ପ୍ରସ୍ତୁତ କରାଗଲା । ଅବ୍ୟବହୃତ ହୋଇ ପଡି ରହିଥିବା କଲୋନୀଟି ଏକ ମିନି ପାର୍କରେ ସଜେଇ ହୋଇ ଆକର୍ଷଣୀୟ ପାଲଟିଗଲା । ସନ୍ଧ୍ୟା ସମୟରେ ରଙ୍ଗିନ ଆଲୋକରେ ଝଲସି ଗଲା ପାର୍କ ପରିସର । ବ୍ଳକ କଲୋନୀରେ ରହୁଥିବା କର୍ମଚାରୀ ମାନଙ୍କ ସହିତ ଗଣିଆ ଆଖପାଖର ଅନେକ ବୟସ୍କ ମହିଳା, ପୁରୁଷ ଏଠାରେ ପ୍ରାତଃ ଭ୍ରମଣ କରିବାକୁ ଆଗେଇ ଆସିଲେ । ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି କଲେଜ ଛାତ୍ର ଛାତ୍ରୀ ମାନଙ୍କର ଏଠାକୁ ସୁଅ ଛୁଟିଲା । ସାଙ୍ଗ ସାଥି ମାନେ ଏକତ୍ରିତ ହୋଇ ଏଠାରେ ଜନ୍ମ ଦିନ ପାଳନ କରିବାକୁ ଲାଗିଲେ । ଅକ୍ଳାନ୍ତ ପରିଶ୍ରମ କରି ନିର୍ମାଣ କରିଥିବା ମିନି ପାର୍କ ପରିବେଶ ହସି ଉଠିଲା । କିନ୍ତୁ ବିଡ଼ିଓ ସିରିୟାଲ ଶୁଭ୍ର ପଟେଲଙ୍କର ଅନ୍ୟତ୍ର ବଦଳି ହୋଇଯିବା ପରେ ଏବେ ଏହି ମିନି ପାର୍କଟି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ପାଲଟି ଯାଇଛି । ଜରି,କାଗଜ,ପତ୍ର ପଡି ଅଳିଆ ଗଦା ପାଲଟି ଯାଇଛି । ରକ୍ଷଣାବେକ୍ଷଣ ଅଭାବରୁ ବ୍ୟାୟାମ ସାମଗ୍ରୀ ଗୁଡିକ ନଷ୍ଟ ହେବାକୁ ବସିଲାଣି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଉକ୍ତ ପାର୍କଟି ଏବେ ଅବହେଳିତ ଅବସ୍ଥାରେ ପଡି ରହିଛି । କେହି ବି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ତେବେ ଏହି ପାର୍କଟିର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *