ନୂଆ ବରଷଟା ଆସେ

        ନୂଆ ବରଷଟା ଆସେ

 🖊️କବିରତ୍ନ ନୂତନ କୁମାର ବେହେରା

ନୂଆ ବରଷଟା ଆସେ
ଅଫଗୁଣରେ ଫଗୁର ରଙ୍ଗ ବରଷେ
ଅବ୍ୟକ୍ତ ଅନୁଭବରେ ମନ ହସେ
କଅଁଳ ସପନ ଶେଯର ସୁଖ ବିଳାସେ
ଆଶା ଫୁଲ ପାଖୁଡ଼ା ମେଲି ବିକଶେ
ତା’ ମିଠା ମିଠା ସୁବାସେ
ହୃଦୟ ନାଚେ ଆନନ୍ଦ ଉଲ୍ଲାସେ
ନୂଆ ବରଷଟା ଆସେ
ଚାରିଆଡ଼େ ସମ୍ଭାବନା ଦିଶେ
ଉତ୍ସାହ ପ୍ରେରଣା ଧମନୀର ରକ୍ତେ ମିଶେ
ସାଜସଜ୍ଜା ହୁଏ କେତେ ସରସେ
ଠାଏଁ ଠାଏଁ ତୋରଣର ସୁବିନ୍ୟାସେ
ଉନ୍ମାଦନା ଖେଳେ ପରିବେଶେ
ଦୀର୍ଘ ବାର ମାସର ଶେଷେ
ନୂଆ ବରଷଟା ଆସେ
ବିଶେଷ ଅତିଥି ପରି ରହେ ପାଶେ
ସମ୍ବର୍ଦ୍ଧନା ପାଇବାକୁ ଭିଡ଼ି ହୋଇ ବସେ
ଶୋଭାଯାତ୍ରାର ପଟୁଆର ନିସ୍ତବ୍ଧତା ନାଶେ
ବାଜେ ବାଜା ଫୁଟେ ବାଣ ଆକାଶେ
ଶୁଭେଚ୍ଛା ଓ ଅଭିନନ୍ଦନର ଶୁଭ ସନ୍ଦେଶେ
ପ୍ରାଣ ପୁଲକେ ତାର ହରଷେ
ନୂଆ ବରଷଟା ଆସେ
ସୂରୁଜ ଉଏଁ ପକ୍ଷୀ ଉଡିଯାଏ ଦୂର ଦେଶେ
ସନ୍ତାପେ ପ୍ରିୟଜନ ଭାଳେ ବିଦେଶେ
ଅଭିମାନିନୀ ପ୍ରିୟା ମାନ ଅଭିମାନେ ରୁଷେ
ଗଛର ପାଚିଲା ପତ୍ର ଖସ୍ କରି ଖସେ
ପ୍ରତୀକ୍ଷା ସେ କରେନା କା’ର ଆଶେ
ଭବିଷ୍ୟତ ଗଢ଼ାହୁଏ ଏ ବର୍ତ୍ତମାନ ସକାଶେ
ନୂଆ ବରଷଟା ଆସେ…।

  ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
 କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *