ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି l ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ଡିସେମ୍ବର 26, 2025) ନୂଆଦିଲ୍ଲୀରେ ଆୟୋଜିତ ଏକ ସମାରୋହରେ ଦେଶର ବିଭିନ୍ନ ରାଜ୍ୟର ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି। ସାହସିକତା, ସମାଜସେବା, ପରିବେଶ, କ୍ରୀଡା, କଳା ଓ ସଂସ୍କୃତି ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅସାଧାରଣ ସଫଳତା ପାଇଁ ଏହି ପୁରସ୍କାର ଦିଆଯାଇଛି।ଏହି ଅବସରରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ପୁରସ୍କାର ବିଜେତା ପିଲାମାନେ ସେମାନଙ୍କ ପରିବାର, ସେମାନଙ୍କ ସମାଜ ଏବଂ ସମଗ୍ର ଦେଶ ପାଇଁ ଗୌରବ ଆଣିଛନ୍ତି। ଏହି ପୁରସ୍କାରଗୁଡ଼ିକ ଦେଶର ସବୁ ପିଲାମାନଙ୍କୁ ପ୍ରେରଣା ଦେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। ସେ କହିଥିଲେ ଯେ ସେମାନଙ୍କୁ ପ୍ରୋତ୍ସାହନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାରଗୁଡ଼ିକ ଦେଶର ସବୁ ପିଲାଙ୍କୁ ଅନୁପ୍ରାଣିତ କରିବ ବୋଲି ରାଷ୍ଟ୍ରପତି କହିଥିଲେ।ରାଷ୍ଟ୍ରପତି କହିଥିଲେ, ପ୍ରାୟ 320 ବର୍ଷ ପୂର୍ବେ, ଶିଖ ଧର୍ମର ଦଶମ ଗୁରୁ ତଥା ସମସ୍ତ ଭାରତୀୟଙ୍କ ଦ୍ୱାରା ସମ୍ମାନିତ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ତାଙ୍କର ଚାରି ପୁଅ ସତ୍ୟ ଏବଂ ନ୍ୟାୟ ପାଇଁ ଲଢ଼ି ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଦୁଇ ସାନ ସାହିବଜାଦାଙ୍କ ସାହସିକତାକୁ ଭାରତ ଏବଂ ବିଦେଶରେ ମଧ୍ୟ ସମ୍ମାନ ଦିଆଯାଏ।

ସତ୍ୟ ଏବଂ ନ୍ୟାୟ ପାଇଁ ଗର୍ବର ସହିତ ନିଜ ଜୀବନକୁ ଉତ୍ସର୍ଗ କରିଥିବା ମହାନ ଶିଶୁ ନାୟକମାନଙ୍କୁ ଶ୍ରଦ୍ଧାର ସହିତ ରାଷ୍ଟ୍ରପତି ସ୍ମରଣ କରିଥିଲେ।ଶ୍ରୀମତୀ ମୁର୍ମୁ କହିଥିଲେ, କୌଣସି ଦେଶର ପିଲାମାନେ ଦେଶପ୍ରେମ ଏବଂ ଉଚ୍ଚ ଆଦର୍ଶରେ ପରିପୂର୍ଣ୍ଣ ରହିଲେ ଦେଶ ମହାନ ସଫଳତା ହାସଲ କରିଥାଏ। ଦେଶର ପିଲାମାନେ ସାହସ, କଳା ଏବଂ ସଂସ୍କୃତି, ପରିବେଶ, ନବସୃଜନ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସମାଜସେବା ଏବଂ କ୍ରୀଡା ଭଳି ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଅସାଧାରଣ ପ୍ରତିଭା ପ୍ରଦର୍ଶନ କରିଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ସାତ ବର୍ଷୀୟ ଭାକା ଲକ୍ଷ୍ମୀ ପ୍ରଜ୍ଞିକାଙ୍କ ଭଳି ପ୍ରତିଭାଶାଳୀ ପିଲାମାନଙ୍କ ଯୋଗୁଁ ହିଁ ଭାରତକୁ ବିଶ୍ୱ ସ୍ତରରେ ଏକ ଚେସ୍ ମହାଶକ୍ତି ଭାବରେ ବିବେଚନା କରାଯାଏ। ଅଜୟ ରାଜ ଏବଂ ମହମ୍ମଦ ସିଦାନ ପି, ନିଜ ସାହସ ଏବଂ ବୁଦ୍ଧିମତ୍ତା ବଳରେ ଅନ୍ୟମାନଙ୍କ ଜୀବନ ରକ୍ଷା କରିଛନ୍ତି । ସେମାନେ ସବୁ ପ୍ରଶଂସା ପାଇବାର ଯୋଗ୍ୟ। ନଅ ବର୍ଷୀୟ ଝିଅ ଭ୍ୟୋମା ପ୍ରିୟା ଏବଂ ଏଗାର ବର୍ଷୀୟ ସାହସୀ ପୁଅ କମଲେଶ କୁମାର ଅତୁଟ ସାହସ ପ୍ରଦର୍ଶନ କରି ଅନ୍ୟମାନଙ୍କ ଜୀବନ ରକ୍ଷା କରି ପ୍ରାଣ ହରାଇଥିଲେ। ଦଶ ବର୍ଷୀୟ ଶ୍ରବଣ ସିଂହ, ଅପରେସନ୍ ସିନ୍ଦୂର ସମୟରେ ଯୁଦ୍ଧ ସହ ଜଡ଼ିତ ବିପଦ ସତ୍ତ୍ୱେ ନିୟମିତ ଭାବରେ ତାଙ୍କ ଘର ପାଖ ସୀମାରେ ନିୟୋଜିତ ଭାରତୀୟ ସୈନିକଙ୍କୁ ପାଣି, କ୍ଷୀର ଏବଂ ଲସି ପହଞ୍ଚାଇଥିଲେ। ଅନ୍ୟପକ୍ଷେ, ଭିନ୍ନକ୍ଷମ ଝିଅ ଶିବାନୀ ହୋସୁରୁ ଉପ୍ପାରା ଆର୍ଥିକ ଏବଂ ଶାରୀରିକ ପ୍ରତିବନ୍ଧକକୁ ଅତିକ୍ରମ କରି କ୍ରୀଡ଼ା ଜଗତରେ ଅସାଧାରଣ ସଫଳତା ହାସଲ କରିଛନ୍ତି। ବୈଭବ ସୂର୍ଯ୍ୟବଂଶୀ ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଏବଂ ପ୍ରତିଭାପୂର୍ଣ୍ଣ କ୍ରିକେଟ୍ ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ଅନେକ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେମାନଙ୍କ ପରି ସାହସୀ ଏବଂ ପ୍ରତିଭାଶାଳୀ ପିଲାମାନେ ଭଲ କାମ କରି ଚାଲିବେ ଏବଂ ଭାରତର ଭବିଷ୍ୟତକୁ ଉଜ୍ଜ୍ୱଳ କରିବେ ବୋଲି ରାଷ୍ଟ୍ରପତି ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ l

Leave a Reply

Your email address will not be published. Required fields are marked *