ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଚଳନ୍ତି ଭଣ୍ଡାରର ଗଣତି ମଣତି ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଗଣତି ମଣତି ଶେଷ ହେବା ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରତିକ୍ରିୟା ରଖିଛନ୍ତି। ଆମ ପାଇଁ ଏହା ଏକ ବଡ଼ ସୌଭାଗ୍ୟ। ରତ୍ନଭଣ୍ଡାର ତିନୋଟି ଭାଗରେ ବିଭକ୍ତ। ପ୍ରଥମ ପର୍ଯ୍ୟାୟରେ ସମସ୍ତ ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ଶେଷ ହୋଇଛି। କିଛି ଅଳଙ୍କାର ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବାରୁ ତାହା ଗଣତି କରାଯାଇପାରି ନାହିଁ। ରାହୁରେଖା, ସୁନା ଚିତା ଗଣତି ହୋଇନାହିଁ। ପରବର୍ତ୍ତୀ ସମୟରେ ଏହାର ଗଣତି ମଣତି କରାଯିବ। ଅନ୍ୟ ଅଳଙ୍କାର ଗୋଟି ଗୋଟି କରି ଗଣତି ମଣତି କରାଯାଇଥିଲା। ଶୁଭ ବେଳା ୧୨ଟା ୯ ରୁ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୬ ଟା ୧୫ ଯାଏଁ ଏହି ପ୍ରକ୍ରିୟା ଚାଲିଥିଲା‌। ଦୀର୍ଘ ୬ ଘଣ୍ଟା ଯାଏଁ ଗଣତି ମଣତି ଚାଲିଥିଲା। ନୀତିକାନ୍ତି ପାଇଁ କିଛି ସମୟ ଗଣତି ମଣତି ବନ୍ଦ ଥିଲା। ଅଳଙ୍କାରର ଓଜନ କରାଯାଇଥିଲା। ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ହୋଇଛି। ଥ୍ରୀଡି ମ୍ୟାପିଙ୍ଗ କରାଯାଇଛି। ସବୁକିଛି ସ୍ବଚ୍ଛତାର ସହ କାର୍ଯ୍ୟ କରାଯାଇଛି। ସମସ୍ତ ଅଳଙ୍କାର ଗଣତି ମଣତି ପରେ ଭଣ୍ଡାର ମେକାପ ସେବକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ପାଇଁ କିଛି କଟକଣା ଥିବା ଯୋଗୁଁ ବାହାର କାଠ ନିକଟରୁ ଦର୍ଶନ ଚାଲିଥିଲା। ଆଗାମୀ କେଉଁ ଦିନ ଗଣତି ମଣତି ହେବ ସେ ନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ। ୧୯୭୮ ମସିହା ତାଲିକା ଅନୁଯାୟୀ ଗଣତି କରାଯାଇ ନୂଆ ତାଲିକା ପ୍ରସ୍ତୁତ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ଆରମ୍ଭ ହେବ। ଅଳଙ୍କାର ବିଷୟରେ ସୂଚନା ନ ଦେବା ପାଇଁ ଏସଓପି ରେ ନିର୍ଦ୍ଦେଶ ରହିଛି। ସମସ୍ତ ଗଣତି ମଣତି ସରିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ। ଭଣ୍ଡାର ମେକାପଙ୍କ ପାଖରେ ଥିବା ଅନ୍ୟାନ୍ୟ ବସ୍ତୁ ଭଣ୍ଡାର ମେକାପ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି। ଟ୍ୟାଗିଙ୍ଗରେ କୌଣସି କ୍ରମାନ୍ବୟ ପରିବର୍ତ୍ତନ କରାଯାଇନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *