ଅଳଗୁମରେ ଆରମ୍ଭ ହେଲା କାଠିଯାତ୍ରା: ମା ଜାଗୁଳେଇଙ୍କ ମୁହଁରୁ ଖୋଲିଲା ବିରିଜାବ


ସାକ୍ଷୀଗୋପାଳ, ୧୨/୯- ପୁରୀଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳର ଅଳଗୁମ ଗ୍ରାମରେ ଷଷ୍ଠୀଓଷା ଅବସରରେ ନବଦିନ ବ୍ୟାପି କାଠିଯାତ୍ରା ରବିବାର ଠାରୁ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଜାଗୁଳେଇ ଠାକୁରାଣୀଙ୍କ ବର୍ଷ ତମାମ ବନ୍ଦ ରହିଥିବା ମୁହଁ ଖୋଲାଯାଇଛି। ଦେଵୀଙ୍କ କୋପଦୃଷ୍ଟିରୁ ରକ୍ଷା ପାଇବା ପାଇଁ ମୁଖମଣ୍ଡଳରେ ଦିଆଯାଇଥିଵା ବିରିଜାବ ଖୋଲି ଦିଆଯାଇଛି। ମନ୍ଦିର ର ଦୈନନ୍ଦିନ ଦେଵନୀତି ମଧ୍ୟରେ ବ୍ରହ୍ମଣ ସେବକ ଦେବୀ ପ୍ରତିମା ଙ୍କୁ ଅଭିମନ୍ତ୍ରିତ ସୁଗନ୍ଧିତ ହଳଦୀ ପାଣିରେ ସ୍ନାନ କରିଥିଲେ। ଚୁଆ, ଚନ୍ଦନ, କର୍ପୁର, ସିନ୍ଦୁର, ନୂତନଵସ୍ତ୍ର, ଫୁଲମାଳ ଲାଗି କରାଯାଇ ମାଜଣା ହୋଇଥିଲା। ସନ୍ଧ୍ୟା ଆଳତି ପରେ ୩ ଜଶ କରଣ ଓ ୧୧ ଜଣ ବରାଳ ସେଵାୟତ ଦେଵୀଙ୍କର ସ୍ବତନ୍ତ୍ର ପୂଜାର୍ଚ୍ଚନା ନିମନ୍ତେ ମନ୍ଦିରରେ ପ୍ରବେଶ କରିଥିଲେ। ଶାଢ଼ୀ, ଶଙ୍ଖା, ସିନ୍ଦୁର ଲାଗି କରାଯାଇ ଦେଵୀଙ୍କୁ ବେଶ କରାଯାଇଥିଲା। ବିଳମ୍ବିତ ରାତିରେ ଢୋଲ, ମହୁରୀ, ବାଦ୍ୟ, କାହାଳୀ, ଛତିତ୍ରାସ ସହିତ ଦେଵୀ ଙ୍କୁ ବଳି ଉତ୍ସର୍ଗ କରାଯାଇଥିଲା। ପରେ ପରେ ସ୍ନାନ, ବେଶ ଏବଂ ସଙ୍ଖୁଡିଭୋଗ ଧୂପ ଓ ଆଳତି ଅନୁଷ୍ଠିତ ହୋଇଥିଲା। କାଳେସୀ ଵେଢା ପରିକ୍ରମା କରିଥିଲେ। ସୋମବାର ଠାରୁ ଦେଵୀ ଙ୍କର କନ୍ୟା ପଦ୍ମାବତୀ ବାରପଡା ବିଶିଷ୍ଟ ଅଳଗୁମ ଗ୍ରାମ ପରିକ୍ରମା ଓ ଭୋଗଲାଗି ନିମନ୍ତେ ଗ୍ରାମଟି ଉତ୍ସବ ମୁଖର ହୋଇଉଠିବ। ନବଦିନ ଧରି ଗ୍ରାମର ପ୍ରବାସୀ ଓ ବନ୍ଧୁ ଵାନ୍ଧବଙ୍କ ସମାଵଶ ହେବ। ଶେଷ ପର୍ଯ୍ୟାୟରେ ଦେଵୀ ଙ୍କର ଦାନ୍ତକାଠି ମାଜଣା, ସୁରାଲାଗି, ୨୨ ହାତ ୨୨ ଆଙ୍ଗୁଳ ବିଶିଷ୍ଟ କାଠିରେ ଶାଢ଼ୀ ଲାଗି, କାଠି ପରିକ୍ରମା ଓ କାଠିପଡିଆଆକୁ ବିଜେ ସମାରୋହରେ ଶ୍ରଦ୍ଧାଳୁଙ୍କ ସମାଵେଶ କୋଭିଡ କଟକଣା ଅନୁସାରେ ପାଳିତ ହେଵବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *