ଜନଗଣନା ୨୦୨୭ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ସମନ୍ୱୟ କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୨ ଏପ୍ରିଲ ୨୦୨୬ ଜନଗଣନା ୨୦୨୭ ସମ୍ପର୍କିତ ପ୍ରସ୍ତୁତି ଓ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଜନ ଗଣନା ରାଜ୍ୟ ସମନ୍ୱୟ କମିଟିର ଦ୍ୱିତୀୟ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକ ସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ଡଃ ଅରବିନ୍ଦ କୁମାର ପାଢ଼ୀ ଜନ ଗଣନା ୨୦୨୭ ଏବଂଗୃହ ଗଣନା ୨୦୨୬ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଏହା ପରେ ଜନ ଗଣନା ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ ଆଯୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଏନ. ତିରୁମାଲା ନାଏକ ଙ୍କ ସମେତ କମିଟି ର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ l ଏଥି ସହିତ ରାଜ୍ୟର ସମସ୍ତ ରାଜସ୍ୱ ଡିଭିଜନର ରାଜସ୍ୱ ଆଯୁକ୍ତ, ଜିଲ୍ଲାପାଳ ଏବଂ ମହା ନଗର ନିଗମର ଆଯୁକ୍ତମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ। ଜନ ଗଣନା କାର୍ଯ୍ୟକ୍ରମରେ ରହିଥିବା ସ୍ଵ-ଗଣନା ବ୍ୟବସ୍ଥlରେ ଜନ ସାଧାରଣ ଅନ-ଲାଇନ ମାଧ୍ୟମ ରେ ସେଲ୍ଫ ଏନ୍ୟୁମେରେସନ ପୋର୍ଟାଲ (https://se.census.gov) ରେ ନିଜସ୍ୱ ତଥ୍ୟ ପ୍ରଦାନ କରିବାର ସୁବିଧା ରହିଛି l ସ୍ଵ-ଗଣନା କାର୍ଯ୍ୟକ୍ରମ ଅପ୍ରେଲ ୧ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ଅପ୍ରେଲ୍ ୧୫ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଜାରି ରହିବ ଏବଂ ଅପ୍ରେଲ ୧୬ରୁ ମଇ ୧୫ ପର୍ଯ୍ୟନ୍ତ ତାଲିମପ୍ରାପ୍ତ ଗଣନାକାରୀମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଏବଂ ଜନ ସାଧାରଣ ପ୍ରଦତ୍ତ କରିଥିବା ତଥ୍ୟର ଯାଞ୍ଚ କରି ଚୂଡ଼ାନ୍ତ କଲା ପରେ ଦାଖଲ କରିବେ । ଏଣୁ ଯେଉଁମାନେ ମୋବାଇଲ ବା କମ୍ପ୍ୟୁଟର ମାଧ୍ୟମରେ ସ୍ଵ ଗଣନା ଅବଧି ସମୟରେ ନିଜର ତଥ୍ୟ ଦାଖଲ କରି ନ ପାରିବେ, ସେମାନେ ଜନ ଗଣନା କାରୀମାନେ ଗୃହ ଗଣନା ପାଇଁ ଯିବା ବେଳେ ସେମାନଙ୍କ ସାହାଯ୍ୟରେ ତଥ୍ୟ ପ୍ରଦାନ କରି ପାରିବେ l ସ୍ଵ-ଗଣନା ଜନ ଗଣନାରେ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ l ଅପ୍ରେଲ ୧ ରେ ଆରମ୍ଭ ହୋଇଥିବା ସ୍ଵ ଗଣନାରେ ଗତକାଲି ଓଡ଼ିଶାରେ ପ୍ରାୟ ୧୭ ହଜାର ବ୍ୟକ୍ତି ନିଜର ତଥ୍ୟ ପୋର୍ଟାଲ ମାଧ୍ୟମରେ ପ୍ରଦାନ କରିଛନ୍ତି l ଗତକାଲି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ମଧ୍ୟ ସ୍ଵ-ଗଣନା କାର୍ଯ୍ୟକ୍ରମରେ ନିଜ ନିଜର ତଥ୍ୟ ଦାଖଲ ସହିତ ନିଜ ଅଧିନସ୍ଥ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ ଓ ସେମାନେ ନିଜ ନିଜର ତଥ୍ୟ ଦାଖଲ କରିଥିବା ଜିଲ୍ଲା ପାଳ ମାନେ ପ୍ରକାଶ କରିଥିଲେ l ସେହିପରି ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସ୍ୱ-ଗଣନାରେ ନିଜ ନିଜର ତଥ୍ୟ ଦେବାକୁ ସବୁ ବିଭାଗମାନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି l ବୈଠକରେ ଜନଗଣନା କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହ ସୂଚୀକରଣ କାର୍ଯ୍ୟକୁ ସମୟ ସୀମା ମଧ୍ୟରେ ସଫଳତାର ସହିତ ସମାପ୍ତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ତଥ୍ୟ ସଂଗ୍ରହ ପ୍ରକ୍ରିୟାର ସଠିକତା, ପ୍ରଶିକ୍ଷଣ ବ୍ୟବସ୍ଥା, ଡିଜିଟାଲ ଉପକରଣର ବ୍ୟବହାର ଏବଂ ମାନବ ସମ୍ବଳ ନିୟୋଜନ ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ଜନଗଣନା ନିର୍ଦ୍ଦେଶକ ସୂଚନା ଦେଇଥିଲେ l ମୁଖ୍ୟ ଶାସନ ସଚିବ ଜନଗଣନା କାର୍ଯ୍ୟକୁ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ସମ୍ପୃକ୍ତ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ସକ୍ରିୟ ସହଯୋଗ କରିବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *