କଥାଟା ଭାର ଖରାପ ହେଲା

 
  କଥାଟା ଭାର ଖରାପ ହେଲା

🖋️ଗାଳ୍ପିକ ନୂତନ କୁମାର ବେହେରା

     ଦିନ ତମାମ ବର୍ଷା ଲାଗିଛି, କେତେ ବେଳେ ଧୁମ୍ ଛେଚି
ପକାଉଛି ତ କେତେବେଳେ ଝିପି ଝିପି…ଅଶିଣ ମାସର
ଶିରି ଶିରି ବର୍ଷା ଭିଜା ଶୀତୁଆ ବାଆ…ଦେହରେ ବାଜି ଲୋମ
ଟାଙ୍କୁରି ଉଠୁଛି। ପୁଣି କେତେ ବେଳେ ଜୋର୍ ଘଡ଼ଘଡ଼ି ଚଡ଼ଚଡ଼ି … ବିଜୁଳି ଆଲୁଅ ଆଖିକୁ ଚମକେଇ ଦେଉଛି।
ଏମିତି ପାଗରେ ଛତା ଧରି ଯିବା ବି ଭାରି କଷ୍ଟ , ଫୋନ୍
ଲାଗୁନି ଜମାରୁ… ଯାହାକୁ ଲଗାଇଲେ ନଟ୍ ରିଚେବୁଲ୍ ବା
ସୁଇଚ୍ ଅପ୍… କମ୍ପ୍ୟୁଟର ମେସେଜ୍ ଶୁଭୁଛି…। ଅଗତ୍ୟା
ଉପାୟ ଆଉ କ’ଣ…?
       କଥାଟା ଭାରି ଖରାପ ହେଲା… କେମିତି କଣ କରିବ
କିଛି ଭାବି ପାରୁନି ଚୁନି ବୋଉ…ସକାଳ ପହରରୁ ଚୁନି ବାପାଙ୍କୁ ଝାଡ଼ା ବାନ୍ତି…ଦଣ୍ଡେ ଦି ଦଣ୍ଡକୁ ବେଳେ ପୋଖରୀ
ପାଣି ଧାଉଁଛନ୍ତି ସେ ବାଉଁଶ ବେଣ୍ଟିଆ ଛତା ଧରି…ଆଗର ଆଉ
ପଖିଆ କାହିଁ…? ସଦା ଓଦା ସରସର ହୋଇ ଲେଉଟି ଆସୁଛନ୍ତି। ଲୁଗା ବଦଳାଇବାକୁ ଆଉ ଶୁଖିଲା ଲୁଗା ନାହିଁ।
    ଏଣେ ତ ଚୁନି ବୋଉ ବି ବୁଢ଼ୀ ହେଲାଣି। କୁଆଡ଼େ ଯିବାକୁ
ବଳ ଆସୁନି । ଆଉ ତାର ଗେରସ୍ତ ଚୁନି ବାପା ଆହୁରି ବୁଢ଼ା। ତାଙ୍କୁ ତିନି କୋଡ଼ି ଦଶ କି ବାର ହେବ…। ବୁଢ଼ା ବୁଢ଼ୀ ଦୁଇ ପ୍ରାଣୀ। ଯେନ ତେନ ଜମିକୁ ଭାଗ ବସାଇ ଚଳୁଛନ୍ତ। ଭତ୍ତା
ଦି’ ଜଣ ଦୁଇ ହଜାର ପାଆନ୍ତି।
        ବାନ୍ତି ଦୁଇ ଥର ହେବା ପରେ ଝାଡ଼ା ପାଣି ପିଚକାରି
ପରି…ଓଃ କି ଦୁର୍ଗନ୍ଧ…ଏବେ ଶୋଇଲା ଖଟରେ ହୋଇ
ଗଲା… ଶୁଣିଲେ କିଏ ହସିବ, ଏମିତି ବୟସରେ ପୁଣି
ଅବେଳରେ ଏ ବେମାର୍…ଉଷୁଦ ପୋଥି ଆଣି ଦେବାକୁ ପାଖେ
କେହି ନାହିଁ। ଯା’ କୁ କହିଲେ କହୁଛନ୍ତି.. ହଉ ବରଷା ଛାଡ଼ୁ
ମୁଁ ଡାକ୍ତରଖାନା ଯାଇ ଔଷଧ ଆଣି ଦେବି…କଥା ସେତିକିରେ
ସରିଲା… ତାର ଆଉ ଦେଖା ନାହିଁ ।
          ଆଶା ଦିଦିଙ୍କ ପାଖରୁ ଦି’ଟା ବଟିକା ଓ ଜରି ଭିତରେ
ଥିବା ସେ ପାଉଡର ଆଣି…ପାଣିରେ ଗୋଳାଇ ପିଇବାକୁ
ଦେଇଛି,ହେଲେ କାହିଁ କିଛି କାମ ଦେଲା ପରିକା ଜଣା ପଡ଼ନି,
ଚୁନି ବୋଉ ନୟାନ୍ତ ହେଲାଣି…ସକାଳ ପହରରୁ ବୁଢ଼ା
ମଣିଷଟାର ପାଟିକୁ ମୁଠେ ଦାନା ଯାଇନି, ସେ ବା କେମିତି
ଏକା ଗିଳି ପକାଇବ। ନିଜ ମଣିଷଟା ଏମିତି ଛଟର ପଟର
ହେଉଥିଲା ବେଳେ…।
        ଗୁରୁଦା ବୁଢ଼ା ଓ ତା’ ମାଇପ ଚମ୍ପେଇ ଦୁଇ ପ୍ରାଣୀ।
ଗୁରୁଚରଣ କୁ ଗୁରୁଦା ଓ ଚମ୍ପାକୁ ଚମ୍ପେଇ କୁହନ୍ତି ଗାଁ ଯାକ,
ତାଙ୍କର ଭଲ ନାଁ ଲେଖା ଅଛି ଆଧାର କାର୍ଡ ଆଉ ଭତ୍ତା
ବହିରେ… ତାଙ୍କୁ ବୋଲି ଯେ ଗାଁ ସାହିରେ ଏମିତି ଡାକୁଛନ୍ତି
ତା ନୁହେଁ… ପ୍ରାୟତଃ ନାମକୁ ଏମିତି ଅପଭ୍ରଂଶ କରି
ଅନେକ ଅଞ୍ଚଳରେ ଚାଲିଛି…ବୁଢା ବୁଢ଼ୀ ହେଲେ ଗାଁ’ର
ଯୁବକ ଯୁବତୀ ଏମିତି ନାମକୁ ନେଇ ବ୍ୟଙ୍ଗ କରନ୍ତି…
ଆଉ ମଜାରେ ଠୋ ଠୋ ହସନ୍ତି… ଯେମିତି ସେମାନେ
କେବେ ବୁଢ଼ା ବୁଢ଼ୀ ହେବେନି… ଦିଅଁ ଦେବତାଙ୍କ ପରି
ଚିର ଯୁବା ହୋଇ ରହିଥିବେ… ଏମିତି କି ନିଜର ବାବା,
ଦାଦୀଙ୍କୁ ବି ବାପା ଦାଦୀ ନ ଡ଼ାକି ଅନେକେ ପୁଅ ବୋହୂ
ସମେତ୍ ବୁଢ଼ା ବା ବୁଢ଼ୀ କହି ଡାକିବାକୁ କୁଣ୍ଠାବୋଧ କରୁ ନାହାଁନ୍ତି। ଆଜି କାଲି ଲୋକଙ୍କ ମାନସିକ ବୁଝିବା କଷ୍ଟ।
        ଗୁରୁଦା ଓରଫ ଗୁରୁଚରଣ…ମଉସା କହିଲେ ଭଲ
ଲାଗିବ, ତାଙ୍କର ଦେହ ଏମିତି ତରଳ ଝାଡ଼ାରେ ଅଧିକରୁ
ଅଧିକ ଖରାପ ହେବାକୁ ଲାଗିଲା।
      ମାଉସୀ ବହୁତ ଚେଷ୍ଟା କରି କରି ଶେଷରେ ଫୋନ୍ ଲାଗିଲା,ଝିଅ ଚୁନି ଫୋନ୍ ଉଠାଇ ବୋଉ ସହିତ କଥା ହେଲା ଓ ଖୁବ୍ ଶିଘ୍ର ଆସି ପହଞ୍ଚିବ ବୋଲି କହିଲା। ମାଉସୀ ଟିକେ
ଥୟ ହୋଇ ରହିଲା।
        ଗୁରୁଚରଣ ଓ ଚମ୍ପାଙ୍କର ଦୁଇ ଝିଅ, ପୁଅ ନାହାଁନ୍ତି।
ଦୁଇ ଝିଅ ଭିତରୁ ବଡ଼ ଝିଅକୁ ବହୁ ଦୂରରେ ବାହା ଦେଇଛନ୍ତି ଆଉ ସାନ ଝିଅ ଚୁନି ର ଶାଶୁ ଘର ପନ୍ଦର କିଲୋମିଟର ଦୂର। ପାଖ କି ଦୂର ନୁହେଁ। ସୁବିଧା ଅସୁବିଧାରେ ଆସି ଝିଅ ଜୋଇଁ ଦେଖା ଶୁଣା କରନ୍ତି। ବାରବାର ଝିଅ କହୁଛି ତା’ ପାଖରେ ରହିବାକୁ… ହେଲେ ତା’ ବାପା ନାରଜ୍,କୁହନ୍ତି ଝିଅ ଘରେ ଯାଇ ବାପା ବୋଉ ରହିବା ଅନୁଚିତ,ଏ ତ କୁଳକୁ ନିନ୍ଦା ସେ ପୁରୁଣା କଥାକୁ ଜାବୁଡ଼ି ଧରିଛନ୍ତି।
        ପୁଅ ନ ଥିଲେ ମଧ୍ୟ ଏ ସାନ ଝିଅଟି ପୁଅଠୁ କୌଣସି ଗୁଣରେ କମ୍ ନୁହେଁ। ବାପା ମାଆକୁ ସବୁଦିନ ଫୋନ୍ କରି ଭଲମନ୍ଦ ବୁଝେ। ଆଜି ସକାଳୁ ତାର ବି ଫୋନ୍ ଲାଗୁ ନ ଥିଲା।ସେବା ଯତ୍ନ କରିବାରେ କେବେ ହେଳା କରିନି। ଭାରି ଗୁଣବତୀ ଝିଅ ସେ। ତା’ ଶାଶୁ ଘର ଚଳଣି ବହୁତ ଭଲ।
ଦଶ ବର୍ଷ ହେଲା ତାର ବାହାଘର… ପୁଅ ଝିଅ ଦୁଇଟିର
ମାଆ ସେ।
      ଫୋନ୍ କରିବାର ଅଧ ଘଣ୍ଟାକ ଭିତରେ ୧୦୮ ଗାଡ଼ି
ଆସି ଦୁଆରରେ ଠିଆ ହେଲା, ବର୍ଷା ସେମିତି ହେଉଥାଏ।
ସଙ୍ଗେ ସଙ୍ଗେ ଝିଅ ବାପାଙ୍କୁ ବଡ଼ ଡ଼ାକ୍ତରଖାନାକୁ ନେଇ ଗଲା, ସାଥୀରେ ତା’ ବୋଉ ମଧ୍ୟ ନେଲା।
           ସଞ୍ଜକୁ ପାଗ ଟିକେ ବଦଳିଲା, ଗୁରୁଚରଣକୁ
ଡାକ୍ତରଖାନାକୁ ନେଲେ ଝାଡ଼ା ବାନ୍ତି ଭଲ ନ ହେବାରୁ…
ଖବରଟା ଏ କାନରୁ ସେ କାନ ହୋଇ ସାହି ଯାକ ବ୍ୟାପୀ
ଗଲା… ହେଲେ ଲାଭ କଣ…? ସେ ଅସହାୟ ମଉସାଙ୍କ
କଥା ବୁଝିବାକୁ କେହି ତ ଆସିଲେନି । ଝିଅ ଶାଶୁ ଘର
ପାଖ ବୋଲି …ବାପାର ଚିକିତ୍ସା ପାଇଁ ତରବରରେ ଆସି
ପହଞ୍ଚିଲା, ଆରେ ଦେଖ…ଝିଅ ହେଲା କଣ ହେଲା, ବିପଦ ବେଳେ ବାପା ମାଆଙ୍କୁ ସାହା ହେବା ତ ବଡ଼ କଥା।ପୁଅଟି ବା ଅଧିକ କଣ କରିବ ବା… ଲୋକେ ତଥାପି ପୁଅ ପାଇଁ ପାଗଳ, କେଜାଣି କେବେ ବଦଳିବ ଏ ମାନସିକତା ?
       ଗାଁ ‘ର ବୟସ୍କ ତଥା ମୁରବୀ ସ୍ଥାନୀୟ ଲୋକମାନେ
ଦୁଃଖର ସହିତ ସମ୍ବେଦନା ଜଣାଇ କଥା ହେଉଥିଲେ…
କଥାଟା ଭାରି ଖରାପ ହେଲା, ଏତେ କଷ୍ଟ ପାଇଲା ଲୋକଟି
ଅଥଚ ଗାଁ’ରେ ଏତେ ଲୋକ ଥାଉଁ ଥାଉଁ କେହି ବି ଟିକେ
ଯାଇ ତାକୁ ଔଷଧ ଆଣି ଦେଲେନି କି ଡାକ୍ତରଖାନା ନେଲେ ନାହିଁ। ଆଉ ସାହି ଭାଇ ହୋଇ ରହିଲେ କି ଲାଭ ?
      ସେ ପଟେ କେଇଜଣ ପାଠୁଆ ପିଲା ଶୁଣିଥିଲେ ଏଇ
କଥା ସବୁ… ଜଣେ କହିଲା… ଛାଡ଼ ଛାଡ଼ ସେ କଥା ଶୁଣନି,
ଚାଲ ଖେଳିବା…ଆମର ଆଉ କାମ ନାହିଁ ଯେ ପର ସେବା
କରିବା… ଆମର ମହାପୁରୁଷ ହେବା ଦରକାର ନାହିଁ।
      ଆଉ ଜଣେ ତାକୁ ବୁଝାଇ କହିଲା…ତୁ ସେମିତି କହନା,
ବୁଝି ଦେଖ, ମଉସାଙ୍କ ପୁଅ କି ଆମ ପରି ନାତି ଥିଲେ,
କିଛି ଭାବିବାର ନ ଥିଲା । ଆମରି ଭରସାରେ ସେମାନେ
ଆମ ଗାଁ’ରେ ରହୁଛନ୍ତି । ତା’ ନ ହେଲେ ଝିଅ ଘରେ କଣ
ରହି ପାରନ୍ତେ ନାହିଁ କି…? ସତରେ କଥାଟା ଭାରି ଖରାପ
ହେଲା…।
      ଆଉ ଜଣେ କହିଲା.. ବର୍ଷା ତ ଛାଡିଲାଣି। ଚାଲ ବଡ଼
ଡାକ୍ତରଖାନା ଯିବା ଏବେ… ମଉସାଙ୍କ ଖବର ବୁଝି ଆସିବା।
ହଁ ଶବ୍ଦ ଶୁଣାଗଲା ଜୋରରେ…।
        ଅଳ୍ପ ସମୟ ଭିତରେ ଦୁଇଟି ବାଇକ୍ ରେ ଚାରିଜଣ
ଗଲେ ମଉସାଙ୍କୁ ଦେଖିବା ପାଇଁ…କଥାଟା ଭାରି ଖରାପ ହେଲା ବୋଲି ନୁହେଁ….ମଣିଷ ପଣିଆଁ ଦେଖାଇବାକୁ ସ୍ବଇଚ୍ଛାରେ, ମଉସାଙ୍କ ମନକୁ ଯେମିତି ନ ଆସୁ…କଥାଟା
ଭାରି ଖରାପ ହେଲା…। ତାଙ୍କୁ ସମ୍ମାନ ଦେବା, ଅସୁବିଧାରେ
ଯାଇ ପାଖରେ ଠିଆ ହେବା… ଅନ୍ତତଃ ଏତିକି କଥା ମନରୁ
ଭୁଲି ନ ଯାଉ ଏ ମଣିଷ ଜାତି…।
        ଆକାଶରେ ଭାସୁଥିବା ମେଘ ଖଣ୍ଡମାନଙ୍କ ଭିତରୁ ଜହ୍ନ
ବାହାରି ହସୁଥିଲା ମନ ଖୋଲା…।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା                   କୋହି,ବାରିପଦା,ମୟୂରଭଞ୍ଜ

Leave a Reply

Your email address will not be published. Required fields are marked *