ଆକାଶ ଡାକୁଛି ଆ’ ଲୋ ଜହ୍ନ
ଆକାଶ ଡାକୁଛି ଆ’ ଲୋ ଜହ୍ନ
( ‘ ଆ ‘ ଆଦ୍ୟାନୁପ୍ରାସ )
✍🏼କବିରତ୍ନ ନୂତନ କୁମାର ବେହେରା
ଆଶାର ତାରକା ଜଳି ମିଞ୍ଜି ମିଞ୍ଜି
ଆକାଂକ୍ଷାର ଆଖିରେ ସ୍ବପ୍ନ ଦିଅନ୍ତି ଖଞ୍ଜି
ଆସକ୍ତିରେ ମନ ହୁଏ ଉଚ୍ଚାଟନ
ଆଲୋକ ବିନା ହୃଦୟଟା ହୁଏ ବିଦୀର୍ଣ୍ଣ
ଆକଳନ ନ କରି ବିଦଗ୍ଧେ ଛଟପଟ ଏ ପ୍ରାଣ
ଆବିଷ୍କାର କରିବାକୁ ସୁଖର ସୁଦିନ
ଆସେନାହିଁ ଭାବନାକୁ ସୁଧାରିବାର ଜ୍ଞାନ
ଆଣିବାକୁ ଶାନ୍ତି ସନ୍ତୋଷର ଶୁଭ ଲଗନ
ଆକାଶ ଡାକୁଛି ଆ’ ଲୋ ଜହ୍ନ
ଆଶାର ଆଲୋକ ଆସି ବଢ଼ାଇବ ମାନ
ଆସ ତୁ ଉଇଁ ବକ୍ଷଦେଶକୁ ଛୁଇଁ
ଆମୟର ଅନ୍ଧାରରେ ତୋତେ ଝୁରେ କଇଁ
ଆମନ୍ତ୍ରଣ କରେ ସାଗରର ବେଳାଭୁଇଁ
ଆସନ୍ତି ଅସଂଖ୍ୟ ଲହରୀ ସବୁ ଧାଇଁ ଧାଇଁ
ଆଲୋକେ ଆଶ୍ରିତ ହେବାକୁ ଜୀବନ
ଆହ୍ଵାନ ଦିଏ କରିବାକୁ ଦୁର୍ବାର ଅଭିଯାନ
ଆସେ ଯା’ ପ୍ରତିକୂଳ ହେବ ସମାଧାନ
ଆଦର କଲେ ତୁ ଦେଇ ଶୀତଳ କିରଣ
ଆଚ୍ଛାଦିତ ଅମା ଅନ୍ଧାର କରିବ ପଳାୟନ
ଆକାଶ ଡାକୁଛି ଆ’ ଲୋ ଜହ୍ନ
ଆସିବାର ବାଟ ଖୋଜି ପାଇବ ସୁଯୋଗ
ଆଣିବ ପ୍ରତୀକ୍ଷିତ ପ୍ରେମର ଅନୁରାଗ
ଆଧାର ହେବ ଜୀଇଁବାରେ ବୁଣିଦେବ ପରାଗ
ଆଚରଣ ଉଚ୍ଚାରଣର ସେ ମହାନ ତ୍ୟାଗ
ଆକ୍ରୋଶ ଦୂରେଇ ଯିବ ମନ ରହିବ ଅମ୍ଳାନ
ଆଗ୍ରହ ଉତ୍ସାହର ଲକ୍ଷ୍ୟପଥେ ଥିଲେ ଏକଧ୍ୟାନ
ଆତ୍ମବିଶ୍ଵାସରେ ଆଲୋକିତ ହୁଏ ଜୀବନ
ଆକାଶ ଡାକୁଛି ଆ’ ଲୋ ଜହ୍ନ…।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
