ଚାଷୀକୂଳ ହସିଲେ ରାଜ୍ୟ ଆଗକୁ ବଢ଼ିବବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା
ଗଞ୍ଜାମ: ୧୮/୧୧ ଭଞ୍ଜନଗର ଜଳ ସମ୍ପଦ ବିଭାଗ ଡାକ ବଙ୍କଳା ଠାରେ ମଙ୍ଗଳବାର ଭଞ୍ଜନଗର ବ୍ଲକ୍ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍ଘାଟନ କରି ପୂର୍ବ ସରକାରରେ କିଭଳି ସରକାରୀ ଯୋଜନା ବାଟମାରଣା ହେଉଥିଲା କହିବା ସହ ପୂର୍ବ ସରକାର ଉପରେ ବର୍ଷିଥିଲେ। ଚାଷୀଙ୍କ ଉନ୍ନତି ପାଇଁ ଆମ ସରକାର ଅଙ୍ଗୀକାରବଦ୍ଧ। ଆମ ଅଞ୍ଚଳର ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନଯାଇ କିଭଳି ନିଜ ଅଞ୍ଚଳରେ ସମସ୍ତ ସରକାରୀ ଯୋଜନା ସମେତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଗୋପାଳକ କିଭଳି ଲାଭବାନ ହୋଇ ଆତ୍ମନିର୍ଭରଶୀଳ ହୋଇପାରିବେ।ବର୍ତ୍ତମାନ ଚାଷୀଙ୍କୁ ସର୍ବାଧିକ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି । ଆଗାମୀ ଦିନରେ ତାହାକୁ ୫ କୋଟି ପର୍ଯ୍ୟନ୍ତ ବଢ଼ାଇବା ଯୋଜନା ଅଛି ବୋଲି ମନ୍ତ୍ରୀ କହିଥିଲେ। ଏଥିସହ ସେ କହିଥିଲେ ଯେ, କୃଷି କ୍ଷେତ୍ରରେ ମହିଳା ମାନଙ୍କୁ ଆଗକୁ ଆଣିବା ପାଇଁ ସେମାନଙ୍କୁ ପୁରୁଷ ଅପେକ୍ଷା ଅଧିକ ୧୦ ପ୍ରତିଶତ ଛାଡ ଦିଆଯାଉଛି। ଗାଈ ଚାଷୀଙ୍କୁ ୬୦ ଟଙ୍କା ବାନ୍ଧିଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିମା ପ୍ରଦାନ କରାଯାଉଛି। ଚାଷୀକୁଳ ହସିଲେ ରାଜ୍ୟ ଆଗକୁ ବଢ଼ିବ। ତେଣୁ ସେମାନଙ୍କ ବିକାଶ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ପୂର୍ବରୁ ବିଜେଡି ଶାସନ ସମୟରେ ନେଳିଆ ଗାମୁଛା ବାଲା ସରକାରଙ୍କ ଯୋଜନା କୁ ଲୁଟି ନେଉଥିଲେ। ପୋଲିସ ମଧ୍ୟ ନେଳିଆ ଗାମୁଛା ବାଲା ହତ୍ୟାକାରୀଙ୍କୁ ଛାଡ଼ି ଦେଉଥିଲା। ବର୍ତ୍ତମାନ ଆଉ ସେହି ସୁବିଧା ନାହିଁ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ। ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା। ଏଥି ସହିତ କୃଷକ ଓ ବୈଜ୍ଞାନିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ମେଳାରେ ମତ୍ସ୍ୟ, ପ୍ରାଣୀସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମ ପ୍ରଦର୍ଶନୀ,ଚାଷୀ- ବିଶେଷଜ୍ଞ ଆଲୋଚନା ଚକ୍ର, ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଭଞ୍ଜନଗର ବ୍ଳକର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଏହି ଅବସରରେ ଚାଷୀଙ୍କୁ ସରକାରୀ ରିହାତି ପ୍ରଦାନ ସହ ସଫଳ ଋଷୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାରତ ଭୂଷଣ ସାହୁ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ଅଞ୍ଜନ କୁମାର ଦାସ,ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତି ଦେବୀ,ଘୁମୁସର ଜିଲ୍ଲା ସଭାପତି ନିଳମାଧବ ପାତ୍ର, ବ୍ଲକ ସାସଂଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ଼, ନଗର ସାସଂଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ମେଳାରେ ବ୍ଲକର ୨୨ ଟି ପଞ୍ଚାୟତର କିଛି ହାତଗଣତି ଚାଷୀ ଯୋଗ ଦେଇଥିଲେ। ପ୍ରାଣୀ ଚିକିତ୍ସା ତାଲିମ କେନ୍ଦ୍ରର ପ୍ରଶିକ୍ଷକ ସୋମ୍ୟରଞ୍ଜନ ପତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଭାରପ୍ରାପ୍ତ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ନିଶିସ୍ବପ୍ନା ଗରନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
