କାର୍ଯ୍ୟକ୍ଷମ ହୋଇପାରୁନାହିଁ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ
ଗଣିଆ – ଗ୍ରାମାଞ୍ଚଳରେ ଛାତ୍ର ଛାତ୍ରୀ ମାନେ ଉନ୍ନତ ମାନର ଶିକ୍ଷା ପାଇବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିଥିଲେ । ପ୍ରତି ବ୍ଲକରେ ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇ ୬ଷ୍ଠ ଶ୍ରେଣୀ ଠାରୁ ଛାତ୍ର ଛାତ୍ରୀ ମାନଙ୍କର ନାମଲେଖା ହେଉଛି । ଏପରିକି ଛାତ୍ର ଛାତ୍ରୀ ମାନେ ସେଠାରେ ରହି ପାଠ ପଢ଼ିବାକୁ ଛାତ୍ରୀ ନିବାସ ତିଆରି ହୋଇଛି । ତେବେ ଗଣିଆରେ ଏହି ଛାତ୍ରୀ ନିବାସ ନିର୍ମାଣ ପାଇଁ ଡିସେମ୍ବର ୨୦୨୨ ମସିହାରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟ ପାଖାପାଖି ଦୁଇ ବର୍ଷ ହେବ ସରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଏଠାରେ ୬ଷ୍ଠ ଶ୍ରେଣୀ ଠାରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ୩ଶହରୁ ଅଧିକ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି । ଫଳରେ ଛାତ୍ରୀ ମାନେ ଗାଡିଭଡା କରି ପାଠ ପଢ଼ିବାକୁ ଆସୁଛନ୍ତି । ଅଭିଭାବକ ମାନେ ଏଥିପାଇଁ ଅଯଥାରେ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଯିବା ଆସିବା ଟ୍ୟୁସନ ଖର୍ଚ୍ଚ ବାବଦକୁ ହଜାର ହଜାର ଟଙ୍କା ଦେଇ ନପାରି ଆଦର୍ଶ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ମଧ୍ୟ ଗରୀବ ମଧ୍ୟବିତ୍ତ ଛାତ୍ର ଛାତ୍ରୀ ମାନେ ଏଠାରେ ପାଠ ପଢି ପାରୁ ନାହାନ୍ତି । ଗୃହ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ କାହିଁକି କାର୍ଯ୍ୟକ୍ଷମ ହୋଇପାରୁନାହିଁ ତାହା ଏବେ ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଉକ୍ତ ଗୃହ ଚାରିପାଖେ ଅନାବନା ଗଛ ଲତା ଉଠି ଜଙ୍ଗଲରେ ପରିଣତ ହେବା ସହିତ କାନ୍ଥ ଗୁଡିକ ଶିଉଳି ପଡି କଳା ହୋଇଗଲାଣି । ଆଦର୍ଶ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ବେଳେ କିଛି ଅପାରଗ ଅଧିକାରୀ ମାନଙ୍କ ଯୋଗୁଁ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ତେବେ ତୁରନ୍ତ ଏହି ଛାତ୍ରୀ ନିବାସ କାର୍ଯ୍ୟକାରୀ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
