ଚୋରକୁ ଧରି ରାସ୍ତାରୋକ କଲେ ଗ୍ରାମବାସୀ।
ବିଦ୍ୟୁତ ତାର ଚୋରି କଲା ବେଳେ ବହେ ଉତ୍ତମ ମଧ୍ୟମ ଦେଇ ଚୋର ଅଟକ।ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କମର -ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଆମ୍ବପଳାସ ଗାଁ ଜାମୁନାଳୀ ଛକ ନିକଟରେ ଚୋରକୁ ଧରି ରାସ୍ତାରୋକ କଲେ ଦୁଇଟି ଗାଁର ବାସିନ୍ଦା।ବିଦ୍ୟୁତ ତାର ଚୋରି କରୁଥିବା ବେଳେ ଚୋରକୁ କାବୁ କରି ଧରିଥିବା ଗ୍ରାମବାସୀଙ୍କ ଅଭିଯୋଗ। ଚୋର ଠାରୁ ଏକ କାର ଗାଡିକୁ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି। ବିଦ୍ୟୁତ ତାର ଚୋରି ଯୋଗୁଁ ଜାମୁନାଳୀ ଏବଂ ବରକଟା ଗାଁକୁ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଛି। ତୁରନ୍ତ ବିଦ୍ୟୁତ ତାର ସଂଯୋଗ କରିବା ସହ ଗାଁକୁ ବିଦ୍ୟୁତ ଯୋଗାଣ ଯୋଗେଇ ଦେବା ଏବଂ ସମ୍ପୃକ୍ତ ଚୋର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ତେବେ ବିଳମ୍ବିତ ରାତିରେ କିଛି ଚୋର ଚୋରି କରିବାକୁ ଆସିଥିବା ବେଳେ ମାଡି ବସିଥିଲେ ଗ୍ରାମବାସୀ। ସେମାନଙ୍କ ମଧ୍ୟରୁ ଗୋଟିଏ ଚୋର ଗ୍ରାମବାସୀଙ୍କ କାବୁରେ ଆସିଥିବା ବେଳେ ଅନ୍ୟମାନେ ଫେରାର ମାରିଥିଲେ। ଅଟକ ଚୋରକୁ ବହେ ଉତ୍ତମ ମଧ୍ୟମ ଦିଆ ଯାଇଥିବା ଜଣାପଡିଛି । ତେବେ ଭୋର ସମୟରୁ ବରକଟା ଓ ଜାମୁନାଳୀ ଲୋକମାନେ ବିଦ୍ୟୁତ ତାର ଚୋରିକୁ ନେଇ ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଛି। ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଅଟକ ରହିଥିବା ଚୋରକୁ ଉଦ୍ଧାର କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ଜାରି ରହିଛି।
