ଫମ୍ପା ମାଠିଆର ଶବଦ ବେଶୀ

ଶୀର୍ଷକ _ଫମ୍ପା ମାଠିଆର ଶବଦ ବେଶୀ


ରୀତାରାଣୀ ଦାଶ
ବାଲେଶ୍ୱର

ଖାଲିପାତ୍ର ଟିଏ ଜୋରେ ଶବ୍ଦ କରେ
ଅଗଭୀର ଶୂନ୍ୟ ଶବ୍ଦ
ସମ୍ପୂର୍ଣ୍ଣ ପାତ୍ର ସେ ନୀରବ ନିଶ୍ଚଳ
ନାହିଁ ତାର ପ୍ରତିବାଦ
ସପୂର୍ଣ୍ଣ ଥାଏ ଗୁଣରେ,
ଗୀତ ଗାଇବାର ଭାବ ନାହିଁ ତାର
ଗାମ୍ଭୀର୍ଯ୍ୟ ପୂର୍ଣ୍ଣ ଆଧାରେ |

ଏକ ଖାଲିମନ ପ୍ରତିଧ୍ୱନି କରେ
ଜୋର ପବନ ଶବଦ
ଆଲୋକରେ ପୂର୍ଣ୍ଣ ପ୍ରେମରେ ସମ୍ପୂର୍ଣ୍ଣ
ହୃଦୟ ଅଟେ ନିସ୍ତବ୍ଧ
ରାତ୍ରିର ଅନ୍ଧକାରରେ,
ଉଜ୍ଜ୍ୱଳ ଶାନ୍ତିରେ ସ୍ଥିରତା ଗୁଣରେ
ଝଟକେ ପ୍ରତି କ୍ଷେତ୍ରରେ |

ଗଭୀର ତଟିନୀ ଶାନ୍ତ ସ୍ରୋତସ୍ୱିନୀ
ନୀରବରେ ପ୍ରବାହିତ
ଗୁଣ ଅଧିକାରେ ବିଜ୍ଞ ଆଚରଣେ
ଚିତ୍କାର ଦିଏନି ସାଥ
ପ୍ରବଳ ଝଡ଼ ସଅଳ,
ଶାନ୍ତ ଯେ ପାଲଟେ ଶାନ୍ତି ଯେ ବିରାଜେ
ପ୍ରକୃତିରେ ଚିରକାଳ |

ଫମ୍ପା ମାଠିଆର ଶୂନ୍ୟତା ବୁକୁରେ
ଅସୀମ ଯେ ସମ୍ଭବନା
ଅଭିଳାଷ ପୂର୍ଣ୍ଣ ହୋଇପାରେ ଅବା
ତୃଷ୍ଣା ତାର ବିଡମ୍ବନା
ଶିଖାଏ ଜୀବନ ଗତି,
ଆଶା ଚିରଦିନ ସାଇତା ହୃଦୟେ
ସ୍ନେହ ପ୍ରେମ ଦୟା ପ୍ରୀତି |

ବିଧାତା ସୃଷ୍ଟିରେ କାହିଁକି କେଜାଣି
ବିଧି ଯେ କରଇ ସୃଷ୍ଟି
ଆଲୋଡିତ ପ୍ରାଣ ଯନ୍ତ୍ରଣାର ମନ
ହୃଦୟେ ଆଘାତ ସ୍ଥିତି
ହେୟ ଜ୍ଞାନ କରି ଝୁରେ,
ବିଧିର ଏହି କି ବିଚାରର ଧାରା
ଜନ୍ମ ପୂର୍ବୁ ମୃତ୍ୟୁ ବରେ |

ନାରୀର ସଶକ୍ତି ନାରୀ ସ୍ୱାଧୀନତା
ଆହ୍ୱାନର ବାର୍ତ୍ତା ଦେଇ
ଫମ୍ପା ମାଠିଆର ଘୋର ଶବ୍ଦ ପରି
ନାନା ଆଳେ ବଧ ହୋଇ
ଶୃଙ୍ଖଳା ପରାଧୀନତାର,
ଧର୍ଷିତା ଶୋଷିତା ମାତୃଜାତି ଆଜି
ଶବ୍ଦ ଫମ୍ପା ମାଠିଆର |

Leave a Reply

Your email address will not be published. Required fields are marked *