ଯୁବ ସ୍ୱରେ ଜଳର ଆହ୍ୱାନ: ସମାନ ଅଧିକାର ଓ ସମାନ ଜଳ ପାଇଁ ସଂଘବଦ୍ଧ ସଙ୍କଳ୍ପ

ବ୍ରହ୍ମପୁର, ୨୨/୦୩ : ବିଶ୍ୱ ଜଳ ଦିବସ ଅବସରରେ ଆଇଏସଆରଡି (ISRD), ୟୁଥ ଫୋର ୱାଟର ପ୍ଲସ, ଭୁବନେଶ୍ବର, ବ୍ଲୁ କମ୍ୟୁନିଟି – ଗ୍ଲୋବାଲ ନେଟୱର୍କ ତଥା ୱୋନ ସ୍ଟପ ସେଣ୍ଟର, ବ୍ରହ୍ମପୁର ପକ୍ଷରୁ “ଯୁବ ସ୍ୱର, ସମାନ ଅଧିକାର ଓ ସମାନ ଜଳ” ବିଷୟକୁ ଆଧାର କରି ଗୋସାଣିନୂଆଗାଁ ସ୍ଥିତ ସାମନ୍ତରାୟ ଏକାଡେମିରେ ଏକ ଯୁବସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ କରଯାଇଥିଲା । ଉକ୍ତ ଅବସରରେ ଜଳ ସଙ୍କଟ, ଜଳବାୟୁ ପରିବର୍ତ୍ତନ ଓ ସମାଜରେ ଜଳର ସମାନ ବଣ୍ଟନର ଆବଶ୍ୟକତା ଉପରେ ଗଭୀର ଆଲୋଚନା କରାଯାଇଥିଲା । ବିଶେଷ କରି ଯୁବ ପିଢ଼ୀଙ୍କ ଭୂମିକାକୁ ଗୁରୁତ୍ୱ ଦେଇ ଏବଂ ଜଳ ପରିଚାଳନାରେ ମହିଳାମାନଙ୍କ ସକ୍ରିୟ ନେତୃତ୍ୱକୁ ଆଗକୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଡ଼ଃ ନାରାୟଣ ତିଆଡ଼ି (ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ), ଡ଼ଃ ସୁଧୀର ରାଉତ (ଆର୍ୟଭଟ୍ଟ ଅନୁଷ୍ଠାନର ନିର୍ଦ୍ଧେଶକ), ଡ଼ଃ ସଙ୍କର୍ଷଣ ବେଜ (ପୂର୍ବତନ ଜିଲ୍ଲା ସଞ୍ଚାଳକ, ଇକୋ କ୍ଲବ), ଶ୍ରୀ ମହେଶ୍ୱର ବରାଡ଼ (ସାଧାରଣ ସମ୍ପାଦକ, ପୂଜ୍ୟ ପୂଜା ସନସଦ), ଶ୍ରୀ ଦେବେଶ ସାମନ୍ତରାୟ (ନିର୍ଦ୍ଧେଶକ, ସାମନ୍ତରାୟ ଏକାଡେମି) ଓ ଶ୍ରୀମତୀ ମହେଶ୍ଵତା ପାଢୀ (କେନ୍ଦ୍ର ପ୍ରଶାସକ, ୱୋନ ସ୍ଟପ ସେଣ୍ଟର) ଯୋଗଦେଇ ଯୁବ ଗୋଷ୍ଠୀଙ୍କୁ ଜଳ ସଂରକ୍ଷଣ ଓ ସମାନ ବଣ୍ଟନ ପାଇଁ ଆହ୍ୱାନ ଜଣାଯାଇଥିଲା ।ଆଇଏସଆରଡିର ନିର୍ଦ୍ଧେଶକ ଶ୍ରୀ ସୁଧୀର ସାବତ କାର୍ଯକ୍ରମକୁ ପରିଚାଳଣା କରି ନିଜ ସ୍ୱାଗତ ଭାଷଣରେ ଜଳ ଓ ପରିମଳକୁ ମୌଳିକ ମାନବିକ ଅଧିକାର ବୋଲି ଉଲ୍ଲେଖ କରିଥିଲେ । ସେ ଜଳର ସୁବିନିଯୋଗ ଓ ସଂରକ୍ଷଣ ଉପରେ ବିସ୍ତୃତ ମତ ପ୍ରକାଶ କରିଥିଲେ । ବକ୍ତାମାନେ ଉଲ୍ଲେଖ କରିଥିଲେ ଯେ ଜଳ ବିନା ଜୀବନ ଅସମ୍ଭବ, କିନ୍ତୁ ଅସମାନ ବଣ୍ଟନ ଓ ପ୍ରଦୂଷଣ ଯୋଗୁଁ ଗରିବ ଓ ପରିଧିବର୍ଗ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି । ତେଣୁ ଯୁବଗୋଷ୍ଠୀ ଆଗକୁ ଆସି ସମାନ ଜଳ ଅଧିକାର ପାଇଁ ସ୍ୱର ଉଠାଇବା ଆବଶ୍ୟକ । କାର୍ଯ୍ୟକ୍ରମରେ ଯୁବ ପିଢୀ ଓ ସାମନ୍ତରାୟ ଏକାଡେମିର ପ୍ରତିରକ୍ଷା ତାଲିମ ନେଉଥିବା ଯୁବ ଗୋଷ୍ଠୀ ମଧ୍ୟ ଜଳ ସଂରକ୍ଷଣ, ବର୍ଷାପାଣି ସଂଗ୍ରହ ଓ ଦୈନିକ ଜୀବନରେ ଜଳର ସଚେତନ ବ୍ୟବହାର ବିଷୟରେ ନିଜର ମତ ପ୍ରକାଶ କରିଥିଲେ।ଶେଷରେ ସମସ୍ତେ ଏକତ୍ର ହୋଇ ଶପଥ ଗ୍ରହଣ କରିଥିଲେ ଯେ ସେମାନେ ଜଳ ସମ୍ପଦକୁ ସୁରକ୍ଷିତ ରଖିବେ, ପ୍ରଦୂଷଣକୁ ରୋକିବେ ଓ ସମାଜର ସମସ୍ତଙ୍କ ପାଇଁ ସମାନ ଭାବେ ଜଳ ଉପଲବ୍ଧ କରାଇବାରେ ନିଜ ଭୂମିକା ପାଳନ କରିବେ । ଏହି କାର୍ଯ୍ୟକ୍ରମ ଯୁବ ସ୍ୱରକୁ ସୁଦୃଢ଼ କରି ସମାନ ଅଧିକାର ଓ ସ୍ଥାୟୀ ଜଳ ବ୍ୟବସ୍ଥାପନ ପାଇଁ ଏକ ସକାରାତ୍ମକ ମନୋଭାବ ସମାଜରେ ସୃଷ୍ଟି କରିବା ପାଇଁ ଶପଥ ପାଠ କଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବ ଗୋଷ୍ଠୀ ଓ ବୁଦ୍ଧିଜୀବୀ ମାନନଙ୍କ ଉତ୍ସାହଭରା ସହଭାଗୀତା ଦେଖିବାକୁ ମିଳିଥିଲା । ବକୃତାରେ ଭାଗ ନେଇଥିବା ଶୁଭଙ୍କର ଘୁମୁଞ୍ଜି, ସୋମ୍ୟରଞ୍ଜନ ସାହୁ ଓ ସାଗର ଧଳ ତିନିଜନଙ୍କୁ ପୁରସ୍କୃତ କରଯାଇଥିଲା । ଶେଷରେ ଆଇଏସଆରଡିରେ କାର୍ଯ୍ୟରତ ଶ୍ରୀ ଗୋପାଳ କୃଷ୍ଣ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ, କାର୍ଯକ୍ରମକୁ ପରିଚାଳନା କରିବା ପାଇଁ ଶ୍ରୀ ବଲରାମ ମଲ୍ଲିକ, ସାବିତ୍ରୀ ଦଳବେହେରା, ପାର୍ବତୀ ମଲ୍ଲିକ ଓ ବଜରଙ୍ଗି ନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *