ସୂଚନା ପ୍ରଦାନକାରୀଙ୍କ ପାଇଁ ରହିଛି ୨୫ ହଜାର ପୁରସ୍କାରଲିଙ୍ଗ ନିରୂପଣ କରୁଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ।

ରାୟଗଡା-୨୧/୧୧-ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା ପରାମର୍ଶଦାତା କମିଟି ପିସି ପି ଏନ ଡିଟି ର ତୃତୀୟ ବୈଠକ। ଏହି ବୈଠକରେ ଜିଲ୍ଲାରେ ଥିବା ସମସ୍ତ ଅଲଟ୍ରାସାଉଣ୍ଡ କେନ୍ଦ୍ର ଗୁଡ଼ିକୁ ନିୟମିତ ଯାଞ୍ଚ କରାଯିବା ସହ ବେଆଇନ କ୍ଲିନିକ୍ ଗୁଡ଼ିକ ଉପରେ ଚଢ଼ାଉ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହା ସହିତ ଲିଙ୍ଗ ନିରୂପଣ ନିଷେଧ ଆଇନ ଓ ଇନଫର୍ମର ଇନସେନଟିଭ ସ୍କିମର ଉପରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବାକୁ ଗୁରୁତ୍ବ ଦିଆ ଯାଇଛି। ଏହି ଇନଫର୍ମର ଇନସେନଟିଭ ସ୍କିମ ରେ ଯଦି କେହି ଲିଙ୍ଗ ନିରୂପଣ କରୁଥିବା ଅଲଟ୍ରାସାଉଣ୍ଡ କେନ୍ଦ୍ର, ଡାକ୍ତରଖାନା କିମ୍ବା ଯେକୌଣସି ବ୍ୟକ୍ତି ବା ସଂସ୍ଥା ବିଷୟରେ ସୂଚନା ପ୍ରଦାନ କରନ୍ତି, ତେବେ ସୂଚନାକାରୀଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବାର ବ୍ୟବସ୍ଥା ରହିଛି। ଏଥିରେ ସୂଚନା ଦାତାଙ୍କ ନାମ ଗୋପନ ରହିବ। ଏହି ଯୋଜନାର ବ୍ୟାପକ ପ୍ରସାର ପ୍ରଚାର ହେଲେ ଅଧିକରୁ ଅଧିକ ସୂଚନା ମିଳିପାରିବ ବୋଲି ଆଶାବ୍ୟକ୍ତ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ହଜାରେ ପୁଅରେ ଅଛନ୍ତି ୯୫୬ କନ୍ୟା । ରାଜ୍ୟ ତୁଳନାରେ ଜିଲ୍ଲାର ସ୍ଥିତି ଭଲ ରହିଥିଲେ ମଧ୍ୟ ଗୁଣୁପୁର , ରାୟଗଡ଼ା ଓ ରାମନଗୁଡ଼ା ଭଳି ବ୍ଲକ ଗୁଡିକରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମ ରହିଛି। ତେବେ ଏହି ସବୁ ବ୍ଲକ ସମେତ ଅନ୍ୟାନ୍ୟ ସମସ୍ତ ବ୍ଲକ୍ ଗୁଡିକରେ କିଭଳି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ବଢ଼ି ପାରିବ ସେଥିପାଇଁ ଦୃଷ୍ଟି ଦେବାକୁ ଏହି ବୈଠକରେ ନିଷ୍ପତି ହୋଇଛି। ବର୍ତ୍ତମାନ ଏକକ ସନ୍ତାନକୁ ଅଧିକାଂଶ ଦମ୍ପତି ଗୁରୁତ୍ବ ଦେଉଛନ୍ତି। ଅଧିକାଂଶ ଦମ୍ପତି ଏକମାତ୍ର ସନ୍ତାନ କ୍ଷେତ୍ରରେ ପୁଅଟିଏ ହିଁ ଚାହୁଁଛନ୍ତି । ପୁରଷ ପ୍ରଧାନ ବ୍ୟବସ୍ଥା ଆଜି ବି ବଳବତ୍ତର ଥିବାରୁ ଝିଅମାନଙ୍କୁ ପୂର୍ବଭଳି ଅବହେଳା କରାଯାଉଛି । ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ସୃଷ୍ଟି ପାଇଁ ନିଷ୍ପତି ନିଆଯାଇଛି। ଏହି ବୈଠକ ରେ ସିଡିଏମ୍‌ଓ ଡାକ୍ତର ଭି. ସରୋଜିନୀ ଦେବୀ, ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ( ପରିବାର କଲ୍ୟାଣ) ଡାକ୍ତର କିଶୋର କୁମାର ବରାଇ, ଡାକ୍ତର ସଂଜ୍ଞା ଦାସ, ଡାକ୍ତର ହିମାଂଶୁ ଶେଖର ଦାସ, ଆଇନଜୀବୀ ତଥା ସମାଜସେବୀ ଶ୍ରୀମତି ପ୍ରଣତି ପାତ୍ର , ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଓ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *