ପୁଣି ଚାଲିବାକୁ ହେବ ବହୁତ ବାଟ

 ପୁଣି ଚାଲିବାକୁ ହେବ ବହୁତ ବାଟ

🖊️କବିରତ୍ନ ନୂତନ କୁମାର ବେହେରା

ଦେଖିଛ କି ବନ୍ଧୁ ! ନିଜ ସ୍ବଚକ୍ଷୁରେ
ପିମ୍ପୁଡ଼ି କେଉଁଠି ରହିଛି ବସି
ନା କେବେ ଥକି ପଡ଼ି ବିଶ୍ରାମ ନେଉଛି
ପକ୍ଷୀ ଉଡ଼ୁଛି ଦିଗନ୍ତ ବିସ୍ତାରି
ଆକାଶର ସୀମାକୁ କେବେ ନ ମାପି
ଅନ୍ବେଷଣରେ ଯାଏ ତାର ଢେଣା ଝାଡ଼ି
ନଈ ବି ବହେ ଝରି ଝରି
ମାନେ ନାହିଁ କିଛି ବାଧା ବନ୍ଧନକୁ
ସବୁ ଅତିକ୍ରମ କରି
ଆଗକୁ ଆଗକୁ ବଢୁଥାଏ
କ୍ଷୀଣ ହେଉ ତାର ପ୍ରବାହିତ ଧାରା
ଅବା ବନ୍ୟା ଆସୁ ମାଡ଼ି
ସାଗର ସଙ୍ଗମ ତାର ଅଦମ୍ୟ ଆୟାସ
ପବନ ଦିଗ ବଦଳାଇ କେବେ ହୁଏ ଝଡ଼
ପୁଣି ଥମି ଯାଏ ତା’ ଇଚ୍ଛା ମତେ
ଶାନ୍ତିର ବାର୍ତ୍ତା ଦିଏ ଫୁଲର ମହକ ବୁଣି
ଗନ୍ତବ୍ୟ ଦିଗରେ ପଥିକ ରହେ ନାହିଁ ଅଟକି
ଦୋଛକିରେ ଦେଖେ ମାଇଲ୍ ଖୁଣ୍ଟ
ଲକ୍ଷ୍ୟସ୍ଥଳେ ସେ ପହଞ୍ଚିବାକୁ
ପାଦ ବଢ଼ାଉଥାଏ ଆଗକୁ ଆଗକୁ
କ୍ଳାନ୍ତ ଅବସନ୍ନ ହେଲେ ବି ତାର ଶରୀର
ମନକୁ ରଖିଥାଏ ସେ ଚଳ ଚଞ୍ଚଳ
ଆତ୍ମପ୍ରତ୍ୟୟ ଆଣି ନିଏ ଦୃଢ଼ ନିଷ୍ପତ୍ତି
ପୁଣି ଚାଲିବାକୁ ହେବ ବହୁତ ବାଟ
ଭାବିଛ କି ବନ୍ଧୁ ! ସଂକଳ୍ପ କରିବା ପୂର୍ବରୁ
ସଂଘର୍ଷ ବିନା ବନ୍ଧନରୁ ମୁକ୍ତି
ବାଟର କଣ୍ଟା ଜଣାଇ ଦିଏ ରୁହ ସତର୍କ
ପ୍ରତିଟି ଆକର୍ଷଣର ଅଛି ବିକର୍ଷଣ
ଜୀବନର ଗତିପଥ ନୁହେଁ ସହଜ ସରଳ
ସଫଳତାର ପାହାଡ଼କୁ ଉଠିବା ପାଇଁ
ଚାଲିବାକୁ ହୁଏ ଦୁର୍ଗମ ପଥରେ ଦୁର୍ବାର
ଶୃଙ୍ଖଳାରେ ଶୃଙ୍ଖଳିତ ହେବା
ନିଜକୁ ସୁଧାରିବାର ନିରନ୍ତର ପ୍ରୟାସ
ସୀମା ଭିତରେ କରି ପରିକ୍ରମା
ନିଜକୁ କଲେ ସମୀକ୍ଷା
ଜଣା ପଡ଼େ ଏତେ ସାଉଁଟିବାର ଯଥାର୍ଥତା
ବୋଝ ବୋହିଥାଏ ମୁଣ୍ଡ ପାରିବା ଯାଏଁ
କାମନାର ଅଛି କି ନିର୍ଦ୍ଦିଷ୍ଟ ପରିସର
ସ୍ଵପ୍ନର ଲହରୀ ହୁଏ ଯେବେ ଆଶାର ଢ଼େଉ
ବେଳାଭୂମିର ଭିଡ଼ ଭାଙ୍ଗେ
ସଂପର୍କକୁ ସଜାଡ଼ି ରଖିବା ପାଇଁଁ
ଦେବାକୁ ହୁଏ ପରୀକ୍ଷା କରି ବହୁ ପ୍ରତୀକ୍ଷା
ନିଜ ଠିକଣା ତ ନିଜ ପାଖରେ
ଆଗର ପଥିକ ଯାଇଛି ପାଦଚିହ୍ନ ଥାପି
ପଛରେ ଆସେ ଯିଏ ହୁଏନା ତାକୁ ତ ଚିହ୍ନି
ସହଯାତ୍ରୀ ସଭିଏଁ ତ ବ୍ୟସ୍ତ
ଆଗେଇ ଯାଉଥାଏ ସେଇ ପଥିକ
ନିଶ୍ଚିତ ହୋଇ କରିଥାଏ ଯିଏ ବିଚାର
ପୁଣି ଚାଲିବାକୁ ହେବ ବହୁତ ବାଟ…

 କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *