ପୋଲିସ ଦେଖି ପୋଖରୀକୁ ଡେଇଁଲା ଚୋର
ପୋଲିସ କବଳରୁ ନିଜକୁ ରକ୍ଷା କରିବା ପାଇଁ ପୋଖରୀ ଭିତରକୁ ଡିଆଁ ମାରିଲା ଚୋର। ଏଭଳି ଏକ ଚର୍ଚ୍ଚିତ ଘଟଣା ପୁରୀ ସହରରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ପୁରୀ ଅଠରନଳା ଦେଇ ଜଣେ ବ୍ୟକ୍ତି ଯାଉଥିବା ବେଳେ ଜଣେ ଚୋର ଉକ୍ତ ବ୍ୟକ୍ତିଙ୍କ ଠାରୁ ଟଙ୍କା ଛଡାଇ ନେଇଥିଲା। ଏନେଇ ସଦର ଥାନାକୁ ଖବର ଦିଆଯିବା ପରେ ପୋଲିସ ଚୋରକୁ ଧରିବା ପାଇଁ ଘଟଣାସ୍ଥଳକୁ ଆସିଥିଲା। ତେବେ ଅଠରନଳା ନିକଟରେ ଲୁଚି ରହିଥିବା ଚୋର ପୋଲିସକୁ ଦେଖି ଭୟଭୀତ ହୋଇ ଦୌଡିବା ଆରମ୍ଭ କରିଥିଲା। ପୋଲିସ କବଳରୁ ନିଜକୁ ରକ୍ଷା କରିବା ପାଇଁ ଆଲାମଚଣ୍ଡୀ ମନ୍ଦିର ସମ୍ମୁଖରେ ଥିବା ପଥର ପୋଖରୀକୁ ଡିଆଁ ମାରିଥିଲା ଚୋର। ପୋଲିସ କର୍ମଚାରୀ ମାନେ ବହୁ ବୁଝାସୁଝା କରିବା ପରେ ଚୋର ପୋଖରୀ ଭିତରୁ ଆସିଥିଲା। ଅଭିଯୁକ୍ତ ଜଣକ ଖଣ୍ଡିଆବନ୍ଧ ଅଞ୍ଚଳର ବୋଲି ଜଣାପଡିଛି। ଘଟଣାକୁ ନେଇ ସଦର ଥାନା ପୋଲିସ ଛାନଭିନ କରୁଥିବା ବେଳେ ଚୋରର ଏହି କାରନାମା ଏବେ ଚର୍ଚ୍ଚାର ବିଷୟ ହୋଇଛି।
