ନଦୀ ପାଣିରେ ମେଣ୍ଟୁଛି ତୃଷ୍ଣା
ନଦୀ ପାଣିରେ ମେଣ୍ଟୁଛି ତୃଷ୍ଣା
ଗୋପ,୨୬,୦୪(): ଗୋପ ବ୍ଲକ ଅନ୍ତର୍ଗତ ତରକୋର ପଞ୍ଚୟତରେ ଉତ୍କଟ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ପାଣି ପାଇଁ ୬ଟି ଗାଁ ଲୋକେ କଲବଲ ହେଉଛନ୍ତି। ଏନେଇ ଅନେକ ଥର ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ ଅଧିକାରୀଙ୍କୁ ଜଣାଇଲେଣି। ହେଲେ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି।
ଦିନକୁ ଦିନ ତାତି ବଢ଼ି ଚାଲିଛି । ପ୍ରଚଣ୍ଡ ରୌଦ୍ର ତାପରେ ଲୋକେ ଛଟପଟ ହେଉଛନ୍ତି । ଏଭଳି ସ୍ଥିତିରେ ପନୀୟ ଜଳ ସଙ୍କଟ ସମସ୍ୟାକୁ ଦ୍ଵିଗୁଣିତ କରୁଛି।
ତରକୋର ପଞ୍ଚାୟତ ଅଧୀନରେ ରହିଛି ମଲିଆଡ଼ୁଠ, ବିଲବରପଦା, ପାଟଣାସାହି, ଜଗନ୍ନାଥପୁର, ତଳମାଳସାହି ଓ ତରକୋର ଗ୍ରାମ। ଲୋକସଂଖ୍ୟା ୮ ହଜାରରୁ ଅଧିକ । ସକାଳ ହେବା
ମାତ୍ରେ ଏଠାକାର ବାସିନ୍ଦା ପାନୀୟ ଜଳ ସଂଗ୍ରହ ଲାଗି ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଦୈନିକ ପାଖାପାଖି ୪୦ ହଜାର ଲିଟର ପିଇବା ପାଣି ଆବଶ୍ୟକ ଥିବାବେଳେ ଅର୍ଥ ଅଭାବ ଦର୍ଶାଇ ମାତ୍ର ୧୦ରୁ ୧୫ ହଜାର ଲିଟର ପାଣି ଟ୍ୟାଙ୍କର ଯୋଗେ ପଞ୍ଚାୟତ ପକ୍ଷରୁ ଯୋଗାଣ କରାଯାଉଛି। ଫଳରେ ୨/୩ ଦିନରେ ଥରେ ପାଳି ପଡୁଛି । ଆବଶ୍ୟକ ବେଳେ ଲୋକେ ନଦୀ ଓ ପୋଖରୀ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏଥିଯୋଗୁଁ ଅନେକ ପେଟ ଓ ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଦୀର୍ଘ ବର୍ଷ କାଳ ଏଠାରେ ଏହି ସମସ୍ୟା ଲାଗି ରହିଛି। ଏନେଇ ଗାଁ ଲୋକେ ମୁଖ୍ୟମନ୍ତ୍ରୀ, ଜିଲ୍ଲା ପ୍ରଶାସନ ଓ ବୃକ୍ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କଲେଣି। ହେଲେ କୌଣସି ଫଳପ୍ରଦ ହେଉନଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି । ପାନୀୟ ଜଳ ସମସ୍ୟା ବାବଦରେ ଜିଲ୍ଲା ପ୍ରଶାସନ ଓ ବ୍ଲକ୍ ଅଧିକାରୀଙ୍କୁ ଅବଗତ କରାଯାଇଛି। ଅର୍ଥ ଅଭାବ ବର୍ଶାଇ ବୃକ୍ ପ୍ରଶାସନ ପକ୍ଷରୁ ପଞ୍ଚାୟତକୁ ଆବଶ୍ୟକ ହେଉଥିବା ପର୍ଯ୍ୟାପ୍ତ ପିଇବା ପାଣି ଯୋଗାଣ କରାଯାଇ ପାରୁନି । ତୁରନ୍ତ ନିକଟ ପଞ୍ଚାୟତରେ ଜଳସ୍ତର ଥିବା ସ୍ଥାନ ଚିହ୍ନଟ କରାଯାଇ ଏକ ଓଭରହେଡ୍ ଟାଙ୍କି କରିବା ସହ ପାଇପ୍ ଯୋଗେ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
