ଏ ଆକ୍ରମଣ ନୁହେଁ, ପ୍ରତିଶୋଧ…

       ଏ ଆକ୍ରମଣ ନୁହେଁ, ପ୍ରତିଶୋଧ…

🖊କବିରତ୍ନ ନୂତନ କୁମାର ବେହେରା

ବିଶୃଙ୍ଖଳା ଉଚ୍ଛୃଙ୍ଖଳାରେ/ ଡେଇଁ ଗଲେ ସୀମାରେଖା
ମଣିଷ ପାଲଟିଯାଏ/ ଏକ ହିଂସ୍ର ହୁଏ ନର ରାକ୍ଷସ
ନିକଟ ଅତୀତରେ ପହେଲଗାମର/ ସେ ଆକ୍ରମଣ
ଭାରତର ନମ୍ର ଶାନ୍ତ ଉଦାର ପଣକୁ/ ଦେଲା ଶକ୍ତ ଧକ୍କା
ଆତଙ୍କବାଦୀ ବିନା କାରଣରେ/ କଲେ ମହା ଅନର୍ଥ
ନିରୀହ ପର୍ଯ୍ୟଟକଙ୍କୁ/ ହତ୍ୟା କରି ବୁହାଇଲେ ରକ୍ତ 
ସାରା ଭାରତରେ ଖେଳିଲା/ ଶୋକର ଘନ ଛାୟା   
ପରିବାରରେ/ ବାପା,ମାଆ,ପତ୍ନୀ,ପୁତ୍ର କନ୍ୟା ସମସ୍ତେ
ଆଖିରୁ ଅସରା ଅଶ୍ରୁ ଝରାଇ/ କାନ୍ଦିନ୍ତି ଗୁମୁରି ଗୁମୁରି
ତାର ପ୍ରତିବାଦର ପରାଭବ/ ଦେଇଛି ବାୟୁ ସେନା
ସିନ୍ଦୂର ଅପରେସନ କରି/ ନାଶିଛି ଆତଙ୍କବାଦୀଙ୍କୁ
ବୁଝାଇ ଦେଇଛି ଭାରତ/ ଅନ୍ୟାୟର ପରିଣାମ କ’ଣ
ସିନ୍ଦୂର ଆମ ସଂସ୍କୃତିର/ କେବଳ ଦୁହେଁ ପରମ୍ପରା 
ଏ ତ ମହାନ ଜାତିର ତ୍ୟାଗ/ ଆଉ ସଂକଳ୍ପର ପ୍ରତୀକ
ଅଶୁଭ ଦୃଷ୍ଟି/ ପରିବେଶକୁ କରିଦିଏ କ୍ଷତାକ୍ତ ବିଷାକ୍ତ
ଆତଙ୍କବାଦୀଙ୍କ ପଙ୍ଗୁ ମାନସିକତା/ କ୍ଳୀବତ୍ବ ଚିନ୍ତାଧାରା
ଅନ୍ୟର ସୁଖ ଶିରୀ ଦେଖିବାରେ/ ହୁଏ ପରାଙ୍ଣାମୁଖ
ପ୍ରତ୍ୟକ୍ଷ/ପରୋକ୍ଷରେ କରୁଥାଏ କୁଚକ୍ର କୁମନ୍ତ୍ରଣା,
ହୁଏ ପ୍ରତିଭାର ନିନ୍ଦୁକ/ କରେ ପ୍ରଶଂସାର ବିରୋଧ
ଆତ୍ମ ଗର୍ବୀ/ଅହଂ ମନୋଭାବର ପାଷାଣ ହୃଦୟ
ନିଷ୍ଠୁର ସ୍ବଭାବକୁ ନେଇ/ କରି ଚାଲେ ନାନା ଉପଦ୍ରବ
ତୁଚ୍ଛ ଆଶା ପୂରଣ କରିବାକୁ/ ଦିଏ ନାନା ନିର୍ଯ୍ୟାତନା
ପଶୁତ୍ବର କ୍ରୁର ଆଚରଣ/ପରଶ୍ରୀକାରତା ହୀନ ଗୁଣ
ବିବେକ ବିଚାରକୁ କରେ ରୁଗ୍ଣ/ ଏ ଅମାନବୀୟ ପ୍ରବୃତ୍ତି
ଦମ୍ଭପଣେ ଧରାକୁ/ ସରା ମଣିବାର କରେ ଧୃଷ୍ଟତା
କାୟ ମନରେ ଦୁର୍ବୃତ୍ତ/ ହୁଅଇ ନିର୍ମମ ନିର୍ଦ୍ଦୟ ଅତି,
ଦୁନିଆଁର ମହାପାପୀ ହୋଇ/ ସାଜେ ଦୁର୍ଦ୍ଦାନ୍ତ ଘାତକ
କରି ଚାଲେ ସେ/ ନୃଶଂସ ହତ୍ୟା ଲୁଣ୍ଠନ ବଳାତ୍କାର
ଜଘନ୍ୟ/ ବିଭତ୍ସକାଣ୍ଡ ଘଟାଇବାରେ ହୁଏ ସିଦ୍ଧହସ୍ତ
ବୁଝେନା ଆଦୌ/ ସଂସାରର ଶାନ୍ତି ମୈତ୍ରୀ ପ୍ରୀତି
ଇର୍ଷା ହିଂସାର ମାତ୍ରା ଡେଇଁ/ ଅତିକ୍ରମ କରେ ସୀମା
ଜନ୍ମ ନିଏ ବିପ୍ଳବ/ ଜାଳି ଦିଏ ପ୍ରତିଶୋଧର ବହ୍ନିଶିଖା
ଛାତିର କୋହ ଆଖିର ଲୁହ/ ଚାହେଁ ଉଚିତ ନ୍ୟାୟ
ଭୁଲିଯାଏ କୋମଳ ହୃଦୟରୁ/ ଦୟା କ୍ଷମା ଶାନ୍ତି ପ୍ରେମ,
ମରିବାକୁ/ମାରିବାକୁ ନ ପଛାଇ କରେ ଭୀଷ୍ମ ପ୍ରତିଜ୍ଞା
ପରମ ଶତ୍ରୁ ପ୍ରତି/ ନରଖି ତିଳେ ମାନବୀୟ ଦରଦ
ଅନ୍ୟାୟ ଅନୀତି ବିରୁଦ୍ଧରେ/ ଆରମ୍ଭ କରେ ଅଭିଯାନ
ଧର୍ମର ସୁରକ୍ଷା ପାଇଁ / ଶାସ୍ତ୍ର ବଦଳେ ଉଠାଏ ଅସ୍ତ୍ର
ସିନ୍ଦୂର ଅପରେସନ/ ଦେଇଛି ତାର ଉଚିତ ଯବାବ
ବୁଝ ବୁଝରେ ଆତଙ୍କବାଦୀ/ ମଣିଷ ରୂପୀ ସୈତାନ
ଜୀବନ ନେଲେ ବିନିମୟରେ/ ଦେବାକୁ ହୁଏ ଜୀବନ
ଭାରତ କେବେ/ଚରମ ପରମ ଶତ୍ରୁଙ୍କୁ ଦିଏନା କ୍ଷମା।

      କୋହି,ଗଡ଼ିଆ,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *