ଏ ଜୀବନଟା ଏକ ଉପନ୍ୟାସ

         ଏ ଜୀବନଟା ଏକ ଉପନ୍ୟାସ

  🖊️କବିରତ୍ନ ନୂତନ କୁମାର ବେହେରା

ଯିଏ ବି ଯେମିତି କରୁଥାଉ ବସବାସ
ସବୁଠି ଏକ ନଥାଏ ଭୌଗୋଳିକ ପରିବେଶ
କେବେ ଆଖିର ତତଲା ଲୁହରେ ହୁଏ ବଶ
କେବେ ଓଠରେ ଫୁଟାଏ ଫଗୁଣର ହସ
ସ୍ବଇଚ୍ଛାରେ ତାର ଭାବନାକୁ କରେ ପ୍ରକାଶ
ଭାବ ଭାଷାର କରିଥାଏ ସୁନ୍ଦର ବିନ୍ୟାସ
କାହାଣୀରେ ହୁଏ ନାୟକ/ନାୟିକା ବେଶ
ଚାହେଁ ତା’ ପ୍ରତିଭାର କରିବ ବିକାଶ
କେଉଁ ଆଧାରରେ ଆରମ୍ଭରୁ ହେବ ଶେଷ
ନିଜ ସାଥେ ନିଜେ କରୁଥାଏ ପରାମର୍ଶ
କି ଅଳଙ୍କାରିକ ପରିପାଟୀରେ ହେବ ବିଶେଷ
ଏ ଜୀବନଟା ଏକ ଉପନ୍ୟାସ…….
ଧରିତ୍ରୀର ରୂପ ରେଖ ବଦଳେ ଋତୁ କ୍ରମେ
ପ୍ରକୃତି ରାଣୀ ହସି ପଡ଼ିଯାଏ ପ୍ରେମେ
ଚରିତ୍ରକୁ ନେଇ ଚିତ୍ର ଆଙ୍କେ ଭଳି କି ଭଳି
ଯେମିତି ଜାଣିଥାଏ ଆଙ୍କିବାର ଶୈଳୀ
ଏକ ଅଧ୍ୟାୟକୁ କରେ ଏକାଧିକ ପରିଚ୍ଛେଦ
ଶବ୍ଦପୁଞ୍ଜରେ କଥାବସ୍ତୁର ମଞ୍ଜକୁ କରେ ଭେଦ
ଦୈନିକ ଉଦୟ ଅସ୍ତ ହେଉଥିଲେ ବି ସୂର୍ଯ୍ୟ
ସବୁଦିନ ରହେ ନାହିଁ ଜଣେ ହୋଇ ଶର୍ଯ୍ୟ
ମନ ବିବ୍ରତେ ହୋଇ ବିବଶ ରହେ ଉଦାସ
ମଧୁର ସଂପର୍କ ଯୋଡ଼ି ଦିଏ ଶୁଭ ସନ୍ଦେଶ
ଦୁଃଖ ଯନ୍ତ୍ରଣାର ଅନ୍ଧାରରେ ଦେଖେ ଉଚ୍ଛ୍ଵାସ 
ଏ ଜୀବନଟା ଏକ ଉପନ୍ୟାସ…….
ନାୟକ ନାୟିକାର ସଂପର୍କେ ମିଳନ ବିଚ୍ଛେଦ
ପଟ୍ଟ ପରିବର୍ତ୍ତନେ ହୁଏ ରମ୍ୟ ବା ଆଣେ ଖେଦ
କେବେ ଚାହିଁ ରହେ ହୋଇ ଚାତକ/ଚାତକି
ନୀରବ ଭାବନାର ଏକାନ୍ତେ ରହେ ଏକାକୀ
ସମୟର ସୁଖ ଦେଖି ହୁଏ କେବେ ତନ୍ମୟ
କେବେ ପୁଣି ବିସ୍ମୟରେ ଆଣିଥାଏ ସଂଶୟ
ଉତ୍ଥାନ ପତନ କ୍ରମଧାରାରେ ପ୍ରେମ ପ୍ରୀତି
କେବେ ମାତି ଯାଏ ତାତି ଖୋଜେ ତାର ସ୍ଥିତି
କ୍ରମଶଃରେ ଏକ ଅଧ୍ୟାୟର ହୋଇଥାଏ ଇତି
ସମୟର ଭଉଁରୀରେ ଭ୍ରମି କରୁଥାଏ ଗତି
ଅଧ୍ୟାୟ ପରେ ଅଧ୍ୟାୟ ତାର ଜୀବନୀକୁ ରଚି
ଭବ ପାରାବାରେ ଉର୍ମି ପରି ଚାଲିଥାଏ ନାଚି
ଭୂମିକାକୁ ନେଇ କରେ ସେ ଚରିତ୍ର ଚିତ୍ରଣ
ଅନୁସନ୍ଧାନ କରୁଥାଏ ତା’ କାର୍ଯ୍ୟର କାରଣ
ଅନ୍ତର ଭିତରେ ସେ ଖୋଜୁଥାଏ ସାହସ
ଜିଜ୍ଞାସାରେ ରଚିବାକୁ ଆଉ ଏକ ଇତିହାସ
ନବ ରସେ ସିକ୍ତ ହୋଇ ଦେଇଥାଏ ନିର୍ଯ୍ୟାସ
ଏ ଜୀବନଟା ଏକ ଉପନ୍ୟାସ……।

     କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *