ଏ ଜୀବନ ବ୍ୟର୍ଥ ନ’ ଯାଉ
ଏ ଜୀବନ ବ୍ୟର୍ଥ ନ’ ଯାଉ
( ରାଗ — ଗୁଜ୍ଜରୀ )
🖋️କବିରତ୍ନ ନୂତନ କୁମାର ବେହେରା
ଈଶ୍ଵରଙ୍କ ପାଇ ଆଶିଷ। ଧରାଧାଧେ ଜନ୍ମେ ମଣିଷ।।
ରଖି ତାର ଆତ୍ମବିଶ୍ଵାସ। ସଂସାରେ ହୁଏ ତା’ ବିକାଶ।।
ଗଢ଼ି ସେ ବଳିଷ୍ଠ ଚରିତ୍ର। ମନ ପ୍ରାଣକୁ କରେ ପବିତ୍ର।।
ମଙ୍ଗଳ ଅର୍ଥେ କରି କର୍ମ। ପାଳଇ ସେ ତାହାର ଧର୍ମ।
ସବୁରି ଉପକାର କରି। ସୁଖେ ରହେ ଜୀବନ ଧରି।।
ଇନ୍ଦ୍ରିୟେ ହୋଇଲେ ଆସକ୍ତ। କାମନା କରଇ ସତତ।
କରିଲେ ଅନ୍ୟାୟ ଅନୀତି। ତା’ ଜୀବନର ଆଣେ ଇତି।
କାଳ କାଟଇ ରହି ଭୟେ। ଅକାଳେ ଯାଏ ଯମାଳୟେ।।
ମହତ ହୁଏ ଯେଉଁ ଜନ। ଧନ୍ୟ ହୁଅଇ ତା’ ଜୀବନ।।
ସର୍ବଦା ଭାବୁ ଥାଏ ସେହୁ। ଏ ଜୀବନ ବ୍ୟର୍ଥ ନ ଯାଉ।।
ସରସ ସୁନ୍ଦର ଜୀବନ। ଗଢ଼ି ହୁଅଇ ଭାଗ୍ୟବାନ।।
କାମନାରେ ପଡ଼େ ଯେ ଜନ। ହରାଏ ତା’ ମାନ ସମ୍ମାନ।
ସମାଜେ ହୁଏ ସେ ହୀନସ୍ତା। ସୁଧୁରେ ନାହିଁ ତା’ ଅବସ୍ଥା।
ଯୁଗକୁ ଯୁଗ ଏହି ମତେ। ଦୁନିଆଁ ଚାଲେ ଅବିରତେ।।
ଦିନ ରାତିର କ୍ରମ ପରି । ଦୁଃଖ ସୁଖ ମର୍ତ୍ତ୍ୟେ ଆସଇ।।
ସେ ମର୍ମ ମାନବ ନବୁଝି। ମାୟା ମୋହରେ ଯାଏ ହଜି।।
ନିଜ ଭାଗ୍ୟକୁ ନିନ୍ଦି ନିନ୍ଦି। ସ୍ଵାର୍ଥର ଲୋଭେ ହୁଏ ଛନ୍ଦି।।
କର୍ମଫଳକୁ ଯେତେ ନେଇ। ସଂସାରେ ସବୁ ତ ଘଟଇ।।
ନିଜକୁ ନିଜେ ନ ବିଚାରି। ମଣିଷ ହୁଏ ଅତ୍ୟାଚାରୀ।।
ନିଜେ ହୋଇ ନିଜ ବଇରୀ।ରହେ ସେ ଗର୍ବୀ ଅହଂକାରୀ।
ମହତ ଗୁଣ ସବୁ ଏଡ଼ି। ହିଂସାର ପଥେ ଯାଏ ମାଡ଼ି।।
ସତ୍ୟରେ ହିରଣ୍ୟକଶିପୁ। ହେଲା ଯେଣୁ ସତ୍ୟର ରିପୁ।।
ନୃସିଂହ ରୂପେ ଅବତରୀ। ପ୍ରଭୁ ଦେଲେ ତାକୁ ବିଦାରି।
ଅତିଦାନୀ ହେବାରୁ ବଳୀ। ପାତାଳେ ଚାପି ବନମାଳୀ।
ଗର୍ବ ଭାବ କଲେ ତା’ ଦୂର। ସେ ଗର୍ବ ରଖନ୍ତିନି କା’ର।।
ତ୍ରେତୟାରେ ଦୁଷ୍ଟ ରାବଣ। ମଲା କରି ସୀତା ହରଣ।।
ଦ୍ଵାପର ଯୁଗରେ ଯେ କଂସ। ପାପେ ହୋଇଲା ତାର ଧ୍ଵଂସ।।
ପୁନଶ୍ଚ ମାନୀ ଦୁର୍ଯ୍ୟୋଧନ। କରୁକ୍ଷେତ୍ରେ ହେଲା ନିଧନ।।
ପୁରାଣ ଶାସ୍ତ୍ରେ ବହୁ କଥା। ଉଦାହରଣେ ଅଛି ଗାଥା।।
ସତ୍ୟ ଧର୍ମରେ ହୁଏ ଜୟ। ଅନ୍ୟାୟେ ହୁଅଇ ବିଲୟ।।
କଳିଯୁଗେ ବି ନରନାରୀ। ଅଛନ୍ତି ଦୁଇ ରୂପ ଧରି।।
କିଛି ଅଛନ୍ତି ସତ୍ୟ ପଥେ। ପୁଣ୍ୟ କରନ୍ତି ଯେ ନିଃସ୍ଵାର୍ଥେ।।
ଅନୀତି କୁକର୍ମେ ଅଧିକ। ଭାଙ୍ଗି ଦିଅନ୍ତି ସୁସମ୍ପର୍କ।।
କରନ୍ତି ଯେତେ ଘୋର ପାପ। ପାଲଟେ ତାହା ଅଭିଶାପ।।
କରି ବହୁତ ଅପରାଧ। ହୁଅନ୍ତି ନାନା ଭାବେ ବଧ।
ଅନ୍ୟାୟେ ସୁଖ ନାହିଁ ଚିର। ସଂସାର ତା ପାଇଁ ବେକାର।।
ଅନ୍ୟର କରି ଅପକାର। ହୁଅନ୍ତି ନିଜେ ଛାରଖାର।
ଦେଖୁ ଯା’ ସାମୟିକ ଭାବେ। ନିଶ୍ଚିତ ହୁଏ ଅନୁଭବେ।
ଦେଖିଲେ ଆରମ୍ଭରୁ ଶେଷ। ଆସଇ ମନରେ ବିଶ୍ବାସ।
ହୁଏତ ଅନ୍ୟାୟରେ କେହି। କିଛି ବାଟ ଯାଏ ଆଗେଇ।।
ଅନ୍ତିମ ମୁହୂର୍ତ୍ତେ ବିଧ୍ଵଂସ। ହୁଅଇ ତାର ଯେ ସର୍ବସ୍ବ।।
ବିଜ୍ଞ ଗୁଣୀ ଧରମ ପାଳି। ସଂସାରେ ଥା’ନ୍ତି ନିତ୍ୟ ଚଳି।।
ବିଧିର ବିଧାନରେ ନିୟମ। ହୁଏ ନାହିଁ ତ ବ୍ୟତିକ୍ରମ।।
ଯେ କରଇ ତାହା ଅମାନ୍ୟ। ହୁଅଇ ସେ ଯେ ନଗଣ୍ୟ।।
ଏହାକୁ କରି ଅତିକ୍ରମ। ଜିତି ପାରେନା ଧରାଧାମ।।
ଯୁଗକୁ ଯୁଗ ଏହି ମତେ। ଘଟଣା ଘଟି ଚାଲେ ଯେତେ।।
ସଂସାରେ ଜନ ଶ୍ରେଷ୍ଠ ହେଉ। ଏ ଜୀବନ ବ୍ୟର୍ଥ ନ ଯାଉ।।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
