ସେ କାଳ ଯାଇଛି ବିତି

      ସେ କାଳ ଯାଇଛି ବିତି

  🔹କବିରତ୍ନ ନୂତନ କୁମାର ବେହେରା

ଯାଇଛି ସେ କାଳ… କ୍ରମଧାରାରେ ବିତି
ଗତିରେ ତାର ବଦଳିଛି ପରିବେଶ ପରିସ୍ଥିତି
କିନ୍ତୁ ଇତିହାସର ସ୍ଵର୍ଣ୍ଣ ପୃଷ୍ଠାରେ ହୋଇନି ଇତି
ଲିପିବଦ୍ଧ ରହିଛି ସେ ଗାଥାର ଅମର ଖ୍ୟାତି
ଅନ୍ତର୍ନାଦେ ସ୍ପନ୍ଦିତ ହୁଏ ତାର ସବୁ ସ୍ମୃତି
ଅକ୍ଷୁଣ୍ଣ ରଖିବାକୁ ଐତିହ୍ୟ ପରମ୍ପରା ସଂସ୍କୃତି
ଦେଖାଇଛି ବଦାନ୍ୟତା ଏ ଓଡ଼ିଆ ଜାତି
ହୃଦୟରେ ରଖି ତାର ଭାତୃଭାବ ମୈତ୍ରୀ ପ୍ରୀତି
କରି ଚାଲିଥିଲା କେତେ କେତେ ପ୍ରଗତି
ମାତୃଭୂମିର ଟେକ ରଖିବା ଥିଲା ମହାନ କୃତି
ଯାଇଛି ସେ କାଳ… ନାହିଁ ତାର ସେ ସୁଖ ଶିରୀ
ବସିଲେ ଭାଳି ଆସିବ ନାହିଁ ଆଉ ତ ଫେରି
ଅବା ବିଳପିଲେ ସେ ଅତୀତକୁ ଝୁରି ଝୁରି
ଆଶା ଆକାଂକ୍ଷା ଯିବ ନାହିଁ ଇଚ୍ଛା ମତେ ପୂରି
ମନରେ ସଂକଳ୍ପ ଆଣି କରିବା କାର୍ଯ୍ୟକାରୀ
ପୂର୍ବପୁରୁଷ ଯାଉଥିଲେ ଯେଉଁ ପଥ ଧରି
ଯିବାକୁ ହେବ ତାଙ୍କରି ପାଦଚିହ୍ନ ସବୁ ଅନୁସରି
ଦେଶକୁ ସମୃଦ୍ଧ କରିଥିଲେ ବାଣିଜ୍ୟ କରି
ସାଧବମାନେ ଯାଉଥିଲେ ଦରିଆ ସେ ପାରି
ନ ଥିଲା ଭେଦାଭେଦ କି ସ୍ଵାର୍ଥପରତାର ବୈରୀ
ଯାଇଛି ସେ କାଳ….ରଖିବା ଆସ ପୂର୍ବର ମାନ
ଆସ ସଭିଏଁ କରିବା ଏକ ମନ ଏକ ପ୍ରାଣ
ହୃଦୟର ସହିତ ଆଣିବା ଏକ ନବ ଜାଗରଣ
ଦେଶ ଓ ଜାତିର ଲାଗି ସର୍ବେ ଦେବା ଧ୍ୟାନ
ଉତ୍କଳ ମାଟିର ଉତ୍କର୍ଷକୁ ରଖିବା ଅମ୍ଳାନ
ଆମ ହୃଦ ଗୌରବ ଆଜି ଦେଉଛି ଆହ୍ବାନ
ସବୁରି ମଧ୍ୟେ ଏକତା ଆଣି କରିବା ଅଭିଯାନ
ଇପ୍ସିତ ଇଚ୍ଛା ଆଉ ଆଶା କରିବା ପୂରଣ
ଏ ଜାତିର ଉନ୍ନତି କଳ୍ପେ କରି ଶ୍ରମ ସାଧନ
ପୁଣି ଗଢ଼ିବା ଆମେ ଆମର ନୂଆ ଜୀବନ ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
କୋହି, ବାରିପଦା, ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *