ମନରେଗା ଦୁର୍ନୀତିରେ ଭାସୁଛି ତିର୍ତ୍ତୋଲ ବ୍ଲକ୍
ତିର୍ତ୍ତୋଲ ବ୍ଲକରେ ଖୁଲମଖୁଲା ଚାଲିଛି ମନରେଗା ଦୁର୍ନୀତି। ସରକାର ସିନା ବଦଳିଲା କିନ୍ତୁ ବ୍ଲକ୍ ଦୁର୍ନୀତି ଉପରେ ଲାଗି ପାରିଲାନି ଅଙ୍କୁଶ।ଅଞ୍ଚଳବାସୀଙ୍କ ତରଫରୁ ତଥ୍ୟ ପ୍ରମାଣ ସହିତ ବ୍ଲକ୍ ପ୍ରଶାସନ ପାଖରେ ଯେତେ ଅଭିଯୋଗ ହେଲେ ମଧ୍ୟ ତଦନ୍ତ ନାହିଁ କି କୈଣସି ପଦକ୍ଷେପ ନାହିଁ। ସରକାରୀ ନୀତି ନୀୟମ ଗୁଡିକ ଯେମିତି ଏହି ବ୍ଲକରେ ପ୍ରହସନ ପାଲଟିଯାଇଛି। କୁହାଯାଉଛି ବ୍ଲକ୍ ପ୍ରଶାସନର ଏଭଳି ଦୁର୍ନୀତିଖୋର୍ ମନୋଭାବ ଯୋଗୁଁ ସରକାରୀ କଳ ଉପରୁ ଧିରେ ଧିରେ ସାଧାରଣ ଲୋକଙ୍କ ଭରସା ତୁଟିବାକୁ ବସିଲାଣି।ଲୋକେ କହୁଛନ୍ତି ବ୍ଲକ୍ ପ୍ରଶାସନର ଦୁର୍ନୀତିଖୋର ମନୋଭାବ ଯୋଗୁଁ ସରକାରୀ ଅର୍ଥକୁ ଆଖିବୁଜି ହରିଲୁଟ୍ କରିଚାଲିଛନ୍ତି ଠିକାଦାର। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର କଟରା ପଞ୍ଚାୟତରେ। ଖୁଲମଖୁଲା ସର୍ବସମ୍ମୁଖରେ ଚାଲିଛି ମନରେଗା ଦୁର୍ନୀତି। କଟରା ପଞ୍ଚାୟତର ଏହି ମନରେଗା ଦୁର୍ନୀତି ଏବେ ଜିଲ୍ଲାସାରା ଚର୍ଚ୍ଚାର ବିଷୟ ପାଲଟିଯାଇଛି। କଟରା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ହୋଇଛି ସଙ୍ଗିନ୍ ଅଭିଯୋଗ। ମର୍ଦ୍ଦଳ ଗାଁର ଦିଗି ପୋଖରୀ ଉପରେ ଏକାବେଳେ ଦୁଇଟି କାର୍ଯ୍ୟ ହୋଇଥିବା ଦର୍ଶାଇ ସରପଞ୍ଚଙ୍କ ସ୍ୱାମୀ ପାଖାପାଖି ୯ଲକ୍ଷ ଟଙ୍କା ହରିଲୁଟ୍ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଏହି ପୋଖରୀ କାର୍ଯ୍ୟଟି କରୁଥିଲେ ସରପଞ୍ଚଙ୍କ ସ୍ୱାମୀ ।

ଏମିତିକି ପୋଖରୀ କାର୍ଯ୍ୟର ସୂଚନା ଫଳକ ଲେଖା ହେଇନାହିଁ କିନ୍ତୁ ବିଲ୍ ପେମେଣ୍ଟ କରି ସାରିଲାଣି ବ୍ଲକ୍ ପ୍ରଶାସନ। ଗୋଟିଏ କାର୍ଯ୍ୟର ଫଳକ ଥିଲା ବେଳେ ଆଉଗୋଟିଏ କାର୍ଯ୍ୟର ସୂଚନା ଫଳକ ଲେଖା ନାହିଁ। ମେସିନ୍ ପରିବର୍ତ୍ତେ ଜବକାର୍ଡଧାରୀ ଲୋକଙ୍କ ଦ୍ୱାରା ମନରେଗା ଯୋଜନାର କାର୍ଯ୍ୟ କରାଯିବ ବୋଲି ସରକାରୀ ନିୟମ ରହିଥିବା ସତ୍ୱେ ଏଠି କିନ୍ତୁ ବେଆଇନ୍ ଭାବେ ଜେସିବି ମେସିନ୍ ଦ୍ଵାରା ଏହି କାର୍ଯ୍ୟଟିକୁ ଯେନତେନ ପ୍ରକାରେ ନିମ୍ନମାନର ଭାବେ କରାଯାଉଥିଲା। ସ୍ଥାନୀୟ ଲୋକେ ଏହି ବେଆଇନ୍ କାର୍ଯ୍ୟର ଫଟୋ ଭିଡିଓ ଉତ୍ତୋଳନ କରି ପ୍ରମାଣ ସହିତ ବ୍ଲକ୍ ପ୍ରଶାସନ ପାଖରେ କରିଥିଲେ ଲିଖିତ ଅଭିଯୋଗ। ସ୍ଥାନୀୟ ଲୋକେ ପ୍ରମାଣ ସହିତ ଅଭିଯୋଗ କରିବା ପରେ ମଧ୍ୟ ବ୍ଲକ୍ ପ୍ରଶାସନ କେଉଁ ସ୍ବାର୍ଥ ପାଇଁ ଏହି କାର୍ଯ୍ୟର ବିଲ୍ ପେମେଣ୍ଟ କରିଦେଲେ ଏକଥା ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାର କାଳେ ପିସି କାରବାର ବନ୍ଦ କରିଛନ୍ତି କିନ୍ତୁ ଏଠି ବ୍ଲକ୍ ପ୍ରଶାସନ କାଳେ ଏଭଳି ବେଆଇନ୍ କାର୍ଯ୍ୟର ସିଂହଭାଗ ଅର୍ଥ ପିସି ଆକାରରେ ନେଇ ମିଥ୍ୟା ବିଲ୍ ପେମେଣ୍ଟ କରିବାରେ ସିଦ୍ଧହସ୍ତ ବୋଲି ଏବେ ସ୍ଥାନୀୟ ଅଞ୍ଚଳସାରା ଚର୍ଚ୍ଚା ହେଉଛି। ଏହି ପୋଖରୀ ଉପରେ ମନରେଗା ଯୋଜନାରେ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର କାର୍ଯ୍ୟ ହୋଇଥିବା ଦର୍ଶାଯାଇଥିବା ବେଳେ ଆଉ ଗୋଟିଏ କାର୍ଯ୍ୟ ସି.ଏଫ୍.ସି/ଏସ୍.ଏଫ୍.ସି ଫଣ୍ଡରେ ପାଖାପାଖି ସାଢେ ୩ଲକ୍ଷର କାର୍ଯ୍ୟ କରାହୋଇଛି ଦର୍ଶାଇ ବେଆଇନ୍ ଭାବେ ବିଲ୍ ହଡ଼ପ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏଠି ପ୍ରଶ୍ନ ଉଠୁଛି ଗୋଟିଏ ପୋଖରୀ ଉପରେ ଲଗାତାର ୨ଟି କାର୍ଯ୍ୟ କେମିତି ହେଲା ? ଏକା ସମୟରେ କିପରି ଦୁଇଟି ବିଲ୍ କରାଗଲା ? ପ୍ରକୃତରେ କ’ଣ ଏହି ଗୋଟିଏ ପୋଖରୀରେ ଲଗାତାର ଦୁଇଟି ଯୋଜନାରେ କାର୍ଯ୍ୟ ହୋଇଛି ନା ବେଆଇନ୍ ଭାବେ ମେସିନ୍ ଦ୍ଵାରା ଯେନତେନ ପ୍ରକାରେ ନିମ୍ନମାନର ଭାବେ ଗୋଟିଏ କାର୍ଯ୍ୟ କରିଦେଇ ଦୁଇଟି କାର୍ଯ୍ୟର ବିଲ୍ ହଡ଼ପ କରାଯାଇଛି ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ଦାବି ଉଠାଇଛନ୍ତି ସ୍ଥାନୀୟ ଲୋକେ।
