‘ପୁନଶ୍ଚ ପୃଥିବୀ’ର ପରିକଳ୍ପନାକୁ ସାକାର କରିବା ଲାଗି ଆଜି ‘ୱାକାଥନ’ରେ ସାମିଲ ହୋଇଥିଲେ ଯୁବପିଢ଼ିଙ୍କଠୁ ନେଇ ବୟସ୍କ ଯାଏ

କାଲି ପାଇଁ ଆଜି’। ଏହି ଆହ୍ବାନ ସହ ‘ପୁନଶ୍ଚ ପୃଥିବୀ’ର ପରିକଳ୍ପନାକୁ ସାକାର କରିବା ଲାଗି ଆଜି ‘ୱାକାଥନ’ରେ ସାମିଲ ହୋଇଥିଲେ ଯୁବପିଢ଼ିଙ୍କଠୁ ନେଇ ବୟସ୍କ ଯାଏ। ପରିବେଶ ପାଇଁ ଚିନ୍ତା କରିବାର ଏଭଳି ଏକ ନିଆରା ଅବସର ଭେଟିଦେଇଥିଲା ‘ସମ୍ବାଦ’। ମାଟି ମା’କୁ ସ୍ବଚ୍ଛ, ସବୁଜ ଓ ସୁସ୍ଥ ରଖିବାର ସଂକଳ୍ପ ସହ ପଦଯାତ୍ରାରେ ସାମିଲ ହୋଇଥିଲେ ଶତାଧିକ ବ୍ୟକ୍ତି।ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ଆୟୋଜିତ ୱାକାଥନର ଶୁଭାରମ୍ଭ ଅବସରରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଆମ ନିୟନ୍ତ୍ରଣରେ ନାହିଁ। ମାତ୍ର ଏହି ନକରାତ୍ମକ ପରିବର୍ତ୍ତନ ହ୍ରାସ କରିବାକୁ ଆମେ ଅନେକ କିଛି କରିପାରିବା। ଆନ୍ତରିକତା ଓ କିଞ୍ଚିତ ଶ୍ରମ ଦେଇ ଏ ସମସ୍ୟାକୁ ପ୍ରତିହତ କରିପାରିବ। ଆଗାମୀ କାଲି ପାଇଁ ଯୁବପିଢ଼ିଙ୍କୁ ଆଜିଠୁ ଦାୟିତ୍ବ ନେବାକୁ ପଡ଼ିବ। ଗଛ ଲଗାଇ ଯତ୍ନ ନେବା। ସୁସ୍ଥ ପରିବେଶ ପାଇଁ ସଂକଳ୍ପ ନେବା। ସମସ୍ୟା ଅନେକ, ମାତ୍ର ସମାଧାନର ରାସ୍ତା ବି ଅନେକ। ଆମ ପରିବେଶ ପାଇଁ ଆମକୁ ହିଁ ଦାୟିତ୍ବ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି।ପୁରୀର ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ କହିଛନ୍ତି, ଆଗାମୀ କାଲି ପାଇଁ ଆଜିଠୁ ପଦକ୍ଷେପ ନେବାକୁ ପଡ଼ିବ। ଯୁବପିଢ଼ି ହିଁ ଏହାର ସୂତ୍ରଧର ସାଜିପାରିବେ। ପରିବେଶ ଆମକୁ ଅନେକ କିଛି ଦେଇଛି, ଏବେ ଆମେ କିଛି ଦେବାର ବେଳ ଆସିଛି। ସମ୍ବାଦ ପକ୍ଷରୁ କାଲି ପାଇଁ ଆଜି କିଛି କରିବାର ପ୍ରୟାସ ନେଇ ଚାଲିଥିବା ଏହି ଅଭିଯାନ ଏକ ମହତ୍ତ ପଦକ୍ଷେପ। ଆଗକୁ ମଧ୍ୟ ଏହା ଜାରି ରହୁ ବୋଲି ସେ କହିଥିଲେ। ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ପ୍ରାରମ୍ଭିକ ବକ୍ତବ୍ୟ ରଖି କହିଛନ୍ତି, ଜଳବାୟୁ ପରିବର୍ତ୍ତନରେ ସୃଷ୍ଟି ହୋଇଥିବା ଆହ୍ବାନ ପାଇଁ ଏକାଠି ହେବାକୁ ପଡ଼ିବ। ପରିବେଶ ପାଇଁ ଗୋଟେ ଦିନ ନୁହେଁ, ସବୁ ଦିନ ଆମର କର୍ତ୍ତବ୍ୟ ପ୍ରତି ସଚେତନ ରହିବାକୁ ପଡ଼ିବ। ଆସନ୍ତା ୬ରୁ ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ପରିବେଶ କନକ୍ଲେଭ ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟିରେ ୱାକାଥନରୁ ‘କାଲି ପାଇଁ ଆଜି’ର ସଂକଳ୍ପ ନେଇ ଆସନ୍ତା କନକ୍ଲେଭର ସଫଳତା କାମନା କରୁଛୁ ବୋଲି କହିଥିଲେ। ସମ୍ବାଦର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ କହିଲେ, ପରିବେଶ ସୁରକ୍ଷା ଚିନ୍ତନ ଓ ଅଭିଯାନ ପ୍ରତିଟି ଘରୁ ଆରମ୍ଭ ହେବା ଆବଶ୍ୟକ। ପରିବାର ସଦସ୍ୟ ଯେତେ ସଚେତନ ହେବେ, ପରିବେଶ ଉପରେ ତା’ର ସକରାତ୍ମକ ପ୍ରଭାବ ସେତେ ଅନୁଭୂତ ହେବ ବୋଲି କହିଥିଲେ।କାର୍ଯ୍ୟକ୍ରମ ଅବସରରେ ସ୍ବେଚ୍ଛାସେବୀ ରଂଜିତା ପାଢ଼ୀଙ୍କୁ ସମ୍ବର୍ଧିତ କରାଯାଇଥିଲା।

ଶ୍ୟାମପ୍ରକାଶ ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କନକ ନ୍ୟୁଜ ଜିଲ୍ଲା ପ୍ରତିନିଧି ସୀମାଞ୍ଚଳ ପାଢ଼ୀ, ସମ୍ବାଦ ଜିଲ୍ଲା ପ୍ରତିନିଧି ବିବୁଧ ମହାନ୍ତି, ସମ୍ବାଦ ଆମ ଓଡ଼ିଶା ଜିଲ୍ଲା ସଂଯୋଜକ ଶ୍ୟାମକାହ୍ନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ବେଚ୍ଛାସେବୀ ଅନୁଷ୍ଠାନ ହାପିନେସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସଭାପତି ଇଂ ପ୍ରଦୀପ୍ତ କୁମାର ପ୍ରଧାନ, କାର୍ଯ୍ୟକାରୀ ସମ୍ପାଦକ ସୌମ୍ୟରଂଜନ ସାହୁ, ଶମ୍ଭୁ ମହାନ୍ତି, ନରେଶ ଚନ୍ଦ୍ର ପାଲ୍‌, ମାନସ ବେହେରା, ଟି.ମନୋଜ କୁମାର ପ୍ରଧାନ, ମାମିନା ପ୍ରଧାନ, ସାମ୍ବାଦିକ ସତ୍ୟନାରାୟଣ ରାଉତରାୟ, ସନ୍ତୋଷ ବରାଳ, ସୁକାନ୍ତ ସ୍ବାଇଁ, ପବିତ୍ର ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *