ଆଜି ପରା ମାର୍ଗଶିର ଗୁରୁବାର

ଆଜି ପରା ମାର୍ଗଶିର ମାସ ଗୁରୁବାର
ମାଆ ଲକ୍ଷ୍ମୀ ଦେବୀ ଙ୍କର ଅଟେ ଏହି ପ୍ରିୟ ବାର
ଆଜି ପରା ମାର୍ଗଶିର ମାସ ଗୁରୁବାର।
ଗୃହଲକ୍ଷ୍ମୀ ମାନଙ୍କର ଅନେକ ଆନନ୍ଦ
ମାଆଙ୍କୁ ପୂଜା କରିବେ ଦେଇଣ ନୈବେଦ୍ୟ
ଗୃହଲକ୍ଷ୍ମୀ ମାନଙ୍କର ଅନେକ ଆନନ୍ଦ।
ଲିପାପୋଛା ସଙ୍ଗେ ଚିତାପକାଇଣ ଘରେ
ଆବାହନ କରିଛନ୍ତି ଆନନ୍ଦ ମନରେ
ଲିପାପୋଛା ସଙ୍ଗେ ଚିତାପକାଇଣ ଘରେ।
ପଦ୍ମାଳୟା ଙ୍କ ପାଇଁ ପଦ୍ମଫୁଲ କୁ ଥୋଇଣ
ମୂଳା ସଙ୍ଗେ ‌ଆଖୁରଖି ହରଷିତ ମନ
ପଦ୍ମାଳୟା ଙ୍କ ପାଇଁ ପଦ୍ମ ଫୁଲ ଯେ ଥୋଇଣ।
ଶ୍ରୀ କର୍ପୁର ସଙ୍ଗେ ଧୂପ ଦୀପ ଯେ ଦେଇଣ
ଆବାହନ କରନ୍ତି ଯେ ମାଆଙ୍କୁ ନିପୂଣ
ଶ୍ରୀ କର୍ପୁର ସଙ୍ଗେ ଧୂପ ଦୀପ ଯେ ଦେଇଣ।
ଦୟାମୟୀ ମାଆଙ୍କର ଦୟାଥାଉ ଘରେ
ଭକ୍ତିପୂତ ଅର୍ଘ୍ୟ ଦ୍ଯନ୍ତି ଆନନ୍ଦ ମନରେ
ଦୟାଥାଉ ଏହି ଘରେ।
ତିନିବେଳା ତିନି ଭୋଗ କରନ୍ତି ଅର୍ପଣ
ପୂଜା କରିବାରେ କେହି ନୁହନ୍ତି କୃପଣ
ତିନିଭୋଗ କରନ୍ତି ଅର୍ପଣ।
ଲକ୍ଷ୍ମୀ ଦେବୀ ଙ୍କର ଅଟେ ଏହି ପ୍ରିୟ ପୂଜା
ମାଆମାନେ କରନ୍ତି ଯେ ଘରଦ୍ୱାର ସଜା
‌‌ ———-
ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା,୭୫୯୦୧୬

Leave a Reply

Your email address will not be published. Required fields are marked *