ଚାରି ଜିଲ୍ଲାରେ ଚାଷୀଙ୍କୁ ଟୋକନ ପ୍ରଦାନବର୍ତ୍ତମାନ ୧୨ ଟି ଜିଲ୍ଲାରେ ଧାନସଂଗ୍ରହ ଜାରି

ଭୁବନେଶ୍ୱର ୨୬/୧୨/୨୦୨୫ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନକିଣା ଜାରି ରହିଥିବାବେଳେ ଆଉ ଚାରୋଟି ଜିଲ୍ଲାରେ ଚାଷୀମାନଙ୍କ ପାଇଁ ଆଗୁଆ ଟୋକନ ପ୍ରଦାନ କରାଯାଇଛି । ବାଲେଶ୍ୱର, ନୟାଗଡ଼, ଗଜପତି ଓ କନ୍ଧମାଳ ଜିଲ୍ଲାର ଚାଷୀମାନଙ୍କ ପାଇଁ ଆଗୁଆ ଟୋକନ ପ୍ରଦାନ କରାଯାଇଛି । ବାଲେଶ୍ୱର ଓ ନୟାଗଡ଼ ଜିଲ୍ଲାରେ ଆସନ୍ତା ୨୯ ତାରିଖରେ ଧାନସଂଗ୍ରହ ଆରମ୍ଭ ହେଉଥିବାବେଳେ ଗଜପତିରେ ଆସନ୍ତା ୩୦ ତାରିଖରେ ଏବଂ କନ୍ଧମାଳରେ ୩୧ ତାରିଖରେ ଧାନସଂଗ୍ରହ ଆରମ୍ଭ କରାଯିବ । ବାଲେଶ୍ୱର ଜିଲ୍ଲାରେ ୬୫ ହଜାର ୨୭୩ ଜଣ, ନୟାଗଡ଼ ଜିଲ୍ଲାରେ ୨୮ ହଜାର ୭୨୩, ଗଜପତିରେ ୧୦ ହଜାର ୧୧୨ ଜଣ ଏବଂ କନ୍ଧମାଳ ଜିଲ୍ଲାରେ ୩୧୭୬ ଜଣ ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି ।ଏହି ସବୁ ଜିଲ୍ଲାର ମଣ୍ଡି ଗୁଡିକରେ ଅସ୍ଥାୟୀ ଆଶ୍ରୟସ୍ଥଳୀ, ପାନୀୟ ଜଳ, ଶୌଚାଳୟ ଭଳି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ସିସିଟିଭି ଲଗାଯିବା ସହ ମଣ୍ଡି ମନିଟରିଂ ଅଧିକାରୀ ଓ ସୁପରଭାଇଜିଂ ଅଧିକାରୀମାନେ ଉପସ୍ଥିତ ରହି ଧାନସଂଗ୍ରହ ପ୍ରକ୍ରିୟାର ତଦାରଖ କରିବେ । ଏତଦ୍‌ବ୍ୟତୀତ ବର୍ତ୍ତମାନ ରାଜ୍ୟର ୧୨ଟି ଜିଲ୍ଲା ଯଥା-ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ଧାନସଂଗ୍ରହ ଜାରି ରହିଛି । ଏହି ସବୁ ଜିଲ୍ଲାଗୁଡ଼ିକରୁ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୪୧ ହଜାର ୩୮୧ ଜଣ ଚାଷୀଙ୍କଠାରୁ ୬ ଲକ୍ଷ ୩୦ ହଜାର ୪୩୮ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇ ସାରିଲାଣି । ଏଥି ସହ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୯୧୯ କୋଟି ୧୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ଇନ୍‌ପୁଟ୍‌ ସହାୟତା ବାବଦକୁ ୨୮୩ କୋଟି ୬୧ ଲକ୍ଷ ଟଙ୍କା ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇସାରିଲାଣି ।

Leave a Reply

Your email address will not be published. Required fields are marked *