ବେଆଇନ୍ ବାଲି ଚୋରା ଚାଲାଣ ବେଳେ ବାଲି ବୋଝେଇ ଟ୍ରାକ୍ଟର ଜବତ
ବେଆଇନ୍ ବାଲି ଚୋରା ଚାଲାଣ ବେଳେ ବାଲି ବୋଝେଇ ଟ୍ରାକ୍ଟର ଜବତ l ଦୀର୍ଘ ବର୍ଷ ଧରି କରୁଥିଲେ ବାଲି ଚାଲାଣ l ନମ୍ବର୍ ବିହୀନ ଥିଲା ଟ୍ରାକ୍ଟର ଇଞ୍ଜିନ l ଅଧିକ ଚାଲାଣ ପାଇଁ ତହସିଲଦାରଙ୍କ ନିର୍ଦ୍ଦେଶ କୋଣାର୍କ – କୋଣାର୍କ ଥାନା ଅନ୍ତର୍ଗତ ତଥା କାକଟପୁର ତହସିଲ ଅଧିନ ଅବଦାନ ପଞ୍ଚାୟତ ଗୁହାଳପୁର ଗ୍ରାମରୁ ବେନିୟମ ଭାବେ ଦୈନିକ ଲଗାତାର ବାଲି ଚୋରା ଚାଲାଣ ବେଳେ ଶନିବାର ସନ୍ଧ୍ୟାରେ ଟ୍ରାକ୍ଟରକୁ ମାଡ଼ି ବସି ଜବତ କଲେ ତହସିଲ ପ୍ରଶାସନ। ସୁଚନା ଅନୁଯାୟୀ ଦୀର୍ଘ ବର୍ଷ ହେବ ଗୁହାଳପୁର ଗ୍ରାମର ୪ ଜଣ ବାଲି ମାଫିଆ ଦୈନିକ ଟ୍ରାକ୍ଟର ସାହାର୍ଯ୍ୟରେ ବେଆଇନ୍ ଭାବେ ସରକାରୀ ଜମିରୁ ବାଲି ଚୋରା ଚାଲାଣ କରୁଥିବା ବାରମ୍ଵାର ଅଭିଯୋଗ ହୋଈ ଆସୁଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ସହିତ ଗ୍ରାମବାସୀ ଓ ପରିବେଶପ୍ରେମୀ ମାନେ ଉଦବେଗ ପ୍ରକାଶ କରିଥିଲେ। ଏପରିକି ଟ୍ରାକ୍ଟର ବାଲି ଚୋରା ଚାଲାଣ କାରଣରୁ ୫୦ଏକର ଜମିରୁ ଲକ୍ଷ ଲକ୍ଷ ଟ୍ରିପ୍ ବାଲି ଚୋରା ଚାଲାଣ ହୋଇଛି। ଏବଂ ୩୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗ୍ରାମ କଂକ୍ରିଟ ରାସ୍ତା ଓ ପିଚୁ ରାସ୍ତା ନଷ୍ଟ ହେଇଗଲାଣି। ଜଣେ ବିଜେଡି କୁଜି ନେତା ପ୍ରଭାବରେ ମିଳିମିଶି ବାଲି ଚୋରା ଚାଲାଣ କରୁଥିଲେ ୪ ଜଣ ବାଲି ମାଫିଆ। ବାରମ୍ଵାର ଅଭିଯୋଗ ପରେ ତହସିଲ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଟ୍ରାକ୍ଟର ଫେରାର ହୋଈ ଯାଆନ୍ତି। ଶନିବାର ବାଲି ଘାଟରେ ୪ ଟି ଟ୍ରାକ୍ଟର ପଶିଥିବା କୌଣସି ସୂତ୍ରରୁ ଖବର ପାଇ ଶନିବାର ସନ୍ଧ୍ୟାରେ ତହସିଲଦାର ଅଙ୍କିତା ଆନନ୍ଦିତା ଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ନିରଞ୍ଜନ ପାତ୍ର, ଚିତ୍ରେଶ୍ଵରୀ ଆରଆଇ ରବିଦ୍ର କୁମାର ବାରିକ ଓ କର୍ମଚାରୀ ପ୍ରମୋଦ କୁମାର ନାୟକ ପ୍ରମୁଖ ଚଢ଼ାଉ କରି ଗୁହାଳପୁର ଗ୍ରାମର ଜୈନିକ ବିଜେଡ଼ି କୁଜି ନେତାର କାଗଜ ପତ୍ର ଠିକ୍ ନଥିବା ଏକ ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ।

ଯେଉଁ ଗାଡିର ଇଞ୍ଜିନ ନମ୍ବର୍ ବିହୀନ ଥିବା ବେଳେ ଟ୍ରଲି ରେ OD 13 F 0874 ଲେଖା ଥିବା ଦେଖିବାକୁ ମିଳିଛି। ଅନ୍ୟ ୩ଟି ଟ୍ରାକ୍ଟର ବାଲି ଢାଳି ଅନ୍ଧାରରେ ଘଟଣା ସ୍ଥଳରୁ ପଳାଇ ଥିବା ସୂଚନା ମିଳିଛି। ଏନେଇ ଜିଲ୍ଲା ଖଣିଜ ଅଧିକାରୀ ଓ କୋଣାର୍କ ଥାନା ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। କୋଣାର୍କ ପୋଲିସ ସୂଚନା ପାଇଁ ରଇତିସାହି ଗ୍ରାମ ନିକଟରୁ ଟ୍ରାକ୍ଟର ଜବତ କରି କୋଣାର୍କ ଥାନାକୁ ନେଇଛି। ଗାଡି ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି। ଦୀର୍ଘ ଦିନ ହେବ ଏପରି ବାଲି ଚୋରା ଚାଲାଣ କରୁଥିବା କାରଣରୁ ଅଧିକରୁ ଅଧିକ ଚାଲାଣ କଟାଯିବ ବୋଲି କାକଟପୁର ତହସିଲଦାର ଅଙ୍କିତା ଆନନ୍ଦିତା ସୂଚନା ଦେଇଛନ୍ତି।
