ମିର୍ଗାନ୍‌ଗୁଡ଼ାରେ ପାରମ୍ପରିକ ‘ଗାଁ ବଲାଣୀ’ ଉତ୍ସବ:

ନବରଙ୍ଗପୁର ୨୩/୧୨/୨୫ନବରଙ୍ଗପୁର ତହସିଲ ଅନ୍ତର୍ଗତ ମିର୍ଗାନ୍‌ଗୁଡ଼ା ଗ୍ରାମରେ ବହୁ ପୁରାତନ କାଳରୁ ଚାଲିଆସୁଥିବା ପାରମ୍ପରିକ ‘ଗାଁ ବଲାଣୀ’ ପର୍ବ ଅତ୍ୟନ୍ତ ନିଷ୍ଠାର ସହ ପାଳିତ ହୋଇଯାଇଛି। ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସୁନାଦେଇଙ୍କ ଏହି ପର୍ବ କେବଳ ଏକ ଉତ୍ସବ ନୁହେଁ, ବରଂ ଗ୍ରାମର ସୁରକ୍ଷା ଓ ଶାନ୍ତି ପାଇଁ ଏକ ଶାସ୍ତ୍ରୀୟ ବିଧି। ଏହି ପର୍ବ ପାଳନ କରିବା ପୂର୍ବରୁ ଗ୍ରାମବାସୀ ଏକତ୍ରିତ ହୋଇ ପଞ୍ଚାୟତ ବୈଠକରେ ଆଲୋଚନା କରିଥାନ୍ତି। ସାଧାରଣତଃ ମଙ୍ଗଳବାର ଦିନ ହିଁ ବଲାଣୀ ପାଇଁ ସ୍ଥିର କରାଯାଏ। ଯଦି ଗ୍ରାମରେ କୌଣସି ଅଘଟଣ ବା ପୂଜକଙ୍କ ପରିବାରରେ ଅସୁବିଧା ଦେଖାଦିଏ, ତେବେ ତାରିଖରେ ପରିବର୍ତ୍ତନ କରାଯାଇଥାଏ। ଗ୍ରାମକୁ ସମସ୍ତ ନକାରାତ୍ମକ ଶକ୍ତିରୁ ମୁକ୍ତ କରିବା ଏବଂ ଗାଈ-ଗୋରୁ, ଛେଳି-ମେଣ୍ଢା ତଥା ସମସ୍ତ ପାଳିତ ପ୍ରାଣୀଙ୍କୁ ସୁସ୍ଥ ରଖିବା ଏହି ‘ବଲାଣୀ ପର୍ବର’ ମୁଖ୍ୟ ଉଦ୍ଦେଶ୍ୟ। ଗାଁର ସମସ୍ତ ଅଳିଆ ଆବର୍ଜନାକୁ ଏକତ୍ରିତ କରି ଗ୍ରାମ ବାହାରେ ଫିଙ୍ଗିଦିଆଯାଏ, ଯାହା ଗ୍ରାମକୁ ରୋଗବ୍ୟାଧି ମୁକ୍ତ ରଖିବା ପାଇଁ ଏକ ପ୍ରତୀକାତ୍ମକ ପରମ୍ପରା।

ବାଜା-ମହୁରୀର ତାଳେ ତାଳେ ଗ୍ରାମବାସୀ ମା’ ସୁନାଦେଇଙ୍କ ଗାଦିକୁ ଆଣି ଗ୍ରାମର ଏକ ମୁଖ୍ୟ ସ୍ଥାନରେ ରଖି ବିଧିବଦ୍ଧ ଭାବେ ପୂଜକ ମାନେ ପୂଜାର୍ଚ୍ଚନା କରିଥାନ୍ତି। ଗ୍ରାମ ଭିତ୍ତିକ ପୂଜା ସରିବା ପରେ ସମସ୍ତେ ଗ୍ରାମରୁ ବାହାରି ପଡ଼ିଆକୁ ଯାଆନ୍ତି। ସେଠାରେ ପୁଣି ଥରେ ମା’ଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ ।ଉକ୍ତ ପଡିଆ ରେ ସମସ୍ତେ ନିଜ ନିଜ ପାଇଁ ସାମୂହିକ ରୋଷେଇ କରି ପ୍ରସାଦ ସେବନ କରନ୍ତି। ପରେ ଅତ୍ୟନ୍ତ ଶ୍ରଦ୍ଧାର ସହ ମା’ଙ୍କ ଗାଦିକୁ ପୁଣି ମନ୍ଦିରକୁ ଅଣାଯାଇ ସ୍ଥାପନ କରାଯାଇଥାଏ। ବଲାଣୀ ପର୍ବର ଦୁଇ କିମ୍ବା ତିନି ଦିନ ପରେ ଗ୍ରାମବାସୀ ଅତି ଉତ୍ସାହର ସହ ‘ଦିଆଲି’ ପର୍ବ ପାଳନ କରନ୍ତି। ଏହି ପୁରାତନ ପରମ୍ପରା ଆଜିର ଆଧୁନିକ ଯୁଗରେ ମଧ୍ୟ ଗ୍ରାମବାସୀଙ୍କ ମଧ୍ୟରେ ଥିବା ଏକତା ଓ ଶ୍ରଦ୍ଧାର ଏକ ଜ୍ୱଳନ୍ତ ଉଦାହରଣ।

Leave a Reply

Your email address will not be published. Required fields are marked *