୨୦୨୭ ମସିହା ଜନଗଣନା ସମ୍ପର୍କିତ ପ୍ରଶିକ୍ଷଣ ଓ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ବ୍ରହ୍ମପୁର ୨୫/୨( ):ଚଳିତବର୍ଷ ଅପ୍ରେଲ ୧୬ ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନାଜନସାଧାରଣ ସେନ୍ସସ୍ ପୋର୍ଟାଲରେ ଲଗ୍ ଇନ୍ କରି ନିଜର ସମସ୍ତ ତଥ୍ୟ ସହଜରେ ଅପଲୋଡ଼ କରିପାରିବେ ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ସୁନୀଲ କୁମାର କେର୍କେଟାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ୨୦୨୭ ମସିହାରେ ହେବାକୁ ଥିବା ଜନଗଣନା ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କର୍ମଶାଳା ଶେଷ ହୋଇଛି ।ଚଳିତବର୍ଷ ଅପ୍ରେଲ ୧୬ ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଜନଗଣନାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଭୁବନେଶ୍ୱରରୁ ଆସିଥିବା ସହକାରୀ ନିର୍ଦ୍ଦେଶକ ସୁଜିତ କୁମାର ପ୍ରଧାନ ଓ ଡିପିଏ ସନ୍ତୋଷ କୁମାର ଆଚାର୍ଯ୍ୟ ଗଞ୍ଜାମ ଜ଼ିଲ୍ଲାର ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ଆଗାମୀ ଜନଗଣନା କୁ କିପରି ସୁଚାରୁରୂପେ କରାଯାଇପାରିବ ସେ ବିଷୟରେ ପ୍ରଶିକ୍ଷଣ ଓ ପରାମର୍ଶ ଦେଇଛନ୍ତି । ଏଥି ନିମନ୍ତେ ଅପ୍ରେଲ ମାସ ପ୍ରଥମ ଦୁଇ ସପ୍ତାହରେ ଘର ଗଣନା ଓ ଆତ୍ମଗଣନା କରାଯିବ । ଏହା ଶେଷ ହେବା ପରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ । ଜନଗଣନା କାର୍ଯ୍ୟକୁ ଡିଜିଟାଲ ପ୍ରକ୍ରିୟାରେ କରାଯିବ । ଯେ କୌଣସି ବ୍ୟକ୍ତି ସେନ୍ସସ୍ ପୋର୍ଟାଲ ରେ ଲଗ୍ ଇନ୍ କରି ନିଜର ସମସ୍ତ ତଥ୍ୟ ସହଜରେ ଅପଲୋଡ଼ କରିପାରିବେ ।ଯଦିଓ ଜନଗଣନା ଦେଶରେ ପ୍ରତି ୧୦ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେବା କଥା, ମାତ୍ର ଏହା ୨୦୧୧ ମସିହା ପରେ ପ୍ରାୟ ୧୫ ବର୍ଷ ବ୍ୟବଧାନ ପରେ ଜନଗଣନା ହେଉଥିବାରୁ, ଜିଲ୍ଲାର ସମସ୍ତ ନାଗରିକଙ୍କ ଆବଶ୍ୟକୀୟ ତଥ୍ୟ ସମ୍ପୂର୍ଣ୍ଣ ସ୍ୱଚ୍ଛତାର କେମିତି ସଂଗ୍ରହ କରାଯାଇପାରିବ, ତାହା ଉପରେ ଅତିରିକ୍ତ ଜିଲ୍ଲାପାଳ ତଥା ଜ଼ିଲ୍ଲା ଜନ ଗଣନା ଅଧିକାରୀ ଶ୍ରୀ କେର୍କେଟା ଜିଲ୍ଲାର ସମସ୍ତ ଚାର୍ଜ ଅଫିସରଙ୍କୁ ପରାମର୍ଶ ଦେଇଛନ୍ତି । ଜନଗଣନା ହେଉଛି ଦେଶର ଦର୍ପଣ ସଦୃଶ । ଏଥିରେ କେବଳ ବ୍ୟକ୍ତି ବିଶେଷଙ୍କ ଗଣନା ହୁଏ ନାହିଁ , ବରଂ ପ୍ରତ୍ୟେକ ପରିବାରର ସାମାଜିକ ଓ ଆର୍ଥିକ ସ୍ଥିତିର ସବିଶେଷ ବିବରଣୀ ଲିପିବଦ୍ଧ କରାଯାଏ । ଚଳିତ ଥର ଜନଗଣନାକାରୀମାନେ ଜିଲ୍ଲାର ପ୍ରତ୍ୟେକ ଘର କୁ ଘର ଯାଇ ସମସ୍ତ ତଥ୍ୟର ସଠିକ୍ ବିବରଣୀ ଲିପିବଦ୍ଧ କରିବେ। ଏହାକୁ ଆନ୍ତରିକତାର ସହ କଲେ ସବୁ କାମ ସହଜ ଲାଗିବ ବୋଲି ସେ କହିଥିଲେ । ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାର, ଛତ୍ରପୁର ଉପଜ଼ିଲ୍ଲାପାଳ ଶୁଭାଶିଷ ବରାଳ, ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଜ଼ିଲ୍ଲାର ସମସ୍ତ ତହସିଲଦାର, ନିର୍ବାହୀ ଅଧିକାରୀ, ସମସ୍ତ ବୈଷୟିକ ସହାୟକ ଏହି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *