ପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ

ପିଜିଟି ଶିକ୍ଷକଙ୍କ ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ

ଭୁବନେଶ୍ୱର, ୨୮ ଜୁଲାଇ ୨୦୨୫
ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇତିହାସ ଓ ଇଂରାଜୀ ବିଷୟର ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ ଶିରିପୁରସ୍ଥିତ ଇମେଜ୍ ଠାରେ ଆୟୋଜିତ କରାଯାଇଛି । ଏହି ପ୍ରଶିକ୍ଷଣରେ ୧୦୦ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଉଦଘାଟନୀ ଅଧିବେଶନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସସ୍ମିତା ମାଳି, ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଶ୍ରୀମତୀ ଜୁଲି ମଙ୍ଗରାଜ ଓ ଉପ-ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ଉପସ୍ଥିତ ଥିଲେ ।

ଉଦଘାଟନୀ ଅଧିବେଶନରେ ଯୋଗ ଦେଇ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ନନ୍ଦ କହିଛନ୍ତି, ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ଓ ସେମାନଙ୍କର ଚରିତ୍ର ଗଠନ ନିମନ୍ତେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନମ୍ର ହେବାକୁ ପଡ଼ିବ । ଛାତ୍ରଛାତ୍ରୀମାନଙ୍କର ମାନସିକ ଚାପକୁ ହ୍ରାସ କରିବା ପାଇଁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଶିକ୍ଷା ପ୍ରଦାନ କରିବା ସହ ଅଭିଭାବକମାନଙ୍କୁ ମଧ୍ୟ ସଚେତନ କରାଇବାର ଆବଶ୍ୟକତା ରହିଛି । ଏଥିସହ ଏକବିଂଶ ଶତାବ୍ଦୀର ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷା ନୀତିରେ ଥିବା ଧନ୍ଦାମୂଳକ, ବୈଷୟିକ, ଦକ୍ଷତା ବିକାଶ ଓ ଡିଜିଟାଲ୍ ଶିକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ଶ୍ରୀମତୀ ନନ୍ଦ ଗୁରୁତ୍ବ ଦେଇଥିଲେ । ସେହିପରି ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସସ୍ମିତା ମାଳି ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ତାଲିମ୍ କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଅର୍ପଣ କରିଛନ୍ତି ।

ଏହି ପାଞ୍ଚ ଦିନିଆ ତାଲିମ୍ କାର୍ଯ୍ୟକ୍ରମରେ ପିଜିଟିମାନଙ୍କ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦିଆଯିବ । ଓଡ଼ିଶା କ୍ୟାରିୟର ପୋର୍ଟାଲ୍ ପରିଚାଳନା, ଶିକ୍ଷକମାନଙ୍କ ବୃତ୍ତିଗତ ବିକାଶ, ଶ୍ରେଣୀଗୃହ ପରିଚାଳନା ଓ ଶିକ୍ଷଣ ଦକ୍ଷତା ବିକାଶ, ଗ୍ରୁପ୍ ଆକ୍ଟିଭିଟି, ଆକାଂକ୍ଷା ବିଦ୍ୟାଳୟର ଗଠନ ଆଦି ସମ୍ପର୍କରେ ତାଲିମ୍ ଦିଆଯିବ । ଏଥିସହ ପୂର୍ବରୁ କରାଯାଇଥିବା ତାଲିମ୍ କାର୍ଯ୍ୟକ୍ରମରୁ ମତାମତ ଗ୍ରହଣ କରିବା ପରେ ଚଳିତ ତାଲିମ୍ କାର୍ଯ୍ୟକ୍ରମରେ ଆଇ-ଜିଓଟି କର୍ମଯୋଗୀ ଆପ୍ ର ବ୍ୟବହାର, ଧନ୍ଦାମୂଳକ ଶିକ୍ଷା, ଛାତ୍ରବୃତ୍ତି, ସୁସ୍ଥ ଶ୍ରେଣୀଗୃହ ପାଇଁ ବ୍ୟକ୍ତିଗତ ପୁଷ୍ଟିସାରସ୍ତର ବୃଦ୍ଧି ଓ ସ୍ୱାସ୍ଥ୍ୟର ଉନ୍ନତି, କ୍ଲାଇମେଟ୍ ରେଜିଲିଏଣ୍ଟ ବିଦ୍ୟାଳୟ ଆଦି ସମ୍ପର୍କରେ ତାଲିମ୍ ଦିଆଯିବ ।

ରୋଜାଲିନ୍ ସାହୁ
ଲୋକସମ୍ପର୍କ ଅଧିକାରୀ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

Leave a Reply

Your email address will not be published. Required fields are marked *