ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଡଃ ଗୀତାଞ୍ଜଳି ମିଶ୍ରଙ୍କ ଲିଖିତ ଦୁଇଟି ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, ତା-୧/୧୨/୨୦୨୫ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ବିଶିଷ୍ଟ ଲେଖିକା ଡଃ ଗୀତାଞ୍ଜଳି ମିଶ୍ରଙ୍କ ଦ୍ୱାରା ଲିଖିତ ଦୁଇଗୋଟି ଉପାଦେୟ ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଡଃ ମିଶ୍ରଙ୍କ ଇଂରାଜୀ ପୁସ୍ତକ ଦ୍ୱୟ ‘‘କନଭରଜେନ୍ସ ଆଣ୍ଡ ଡେଭେଲପମେଣ୍ଟ ଇନ୍ ଇଣ୍ଡିଆ’’ ଏବଂ ‘‘ଆବିଲିଟି ବିୟଣ୍ଡ ଡିଜାବିଲିଟ ’’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ପ୍ରଥମ ପୁସ୍ତକରେ ଡଃ ମିଶ୍ର ଓଡ଼ିଶାରେ ବିଭିନ୍ନ ବିଭାଗର ସମନ୍ୱୟ(କନଭରଜେନ୍ସ)ରେ କରାଯାଉଥିବା ବିକାଶମୂଳ କାର୍ଯ୍ୟ ସହିତ ବିଭିନ୍ନ ରାଜ୍ୟରେ ହେଉଥିବା କାର୍ଯ୍ୟର ତୁଳନାତ୍ମକ ଉପସ୍ଥାପନ, ସଫଳ କାହାଣୀ ଓ ପ୍ରସ୍ତାବ ଉଲ୍ଲେଖ କରିଛନ୍ତି । ଡଃ. ମିଶ୍ର ରାଜ୍ୟର ୨୩ ଟି ପ୍ରଦେଶ ଗସ୍ତ କରି ତାଙ୍କର ବିଷୟ ସଂପର୍କିତ ଅଭିଜ୍ଞତା, ଅନୁଭୂତି ଓ ପ୍ରସ୍ତାବନା ଏଥିରେ ରଖିଛନ୍ତି । ସେହିପରି ଭିନ୍ନକ୍ଷମଙ୍କ କଲ୍ୟାଣକୁ ଗୁରୁତ୍ୱ ଦିଆଯାଇ ଲେଖାଯାଇଥିବା ଡଃ. ମିଶ୍ରଙ୍କର ୨ୟ ପୁସ୍ତକରେ ବିଭିନ୍ନ ପ୍ରକାର ଭିନ୍ନକ୍ଷମ, ଭିନ୍ନକ୍ଷମମାନଙ୍କର ସାମାଜିକ, ଅର୍ଥନୈତିକ ପ୍ରଗତି ପାଇଁ ଲକ୍ଷ୍ୟଭିତ୍ତିକ ନୀତି, ଗୋଷ୍ଠୀ ସଂପୃକ୍ତି ଏବଂ ସାମୁହିକ ଦାୟିତ୍ୱବୋଧ କିପରି ସେମାନଙ୍କର ଜୀବନଧାରଣ ମାନରେ ଆଖିଦୃଶିଆ ପରିବର୍ତ୍ତନ ଆଣି ପାରିବ, ସେଥିରେ ଉପାଦେୟ ତଥ୍ୟ ଓ ପ୍ରସ୍ତାବ ରହିଥିବା ଡଃ ମିଶ୍ର ପ୍ରକାଶ କରିଛନ୍ତି । ଡଃ ମିଶ୍ର ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ମଧ୍ୟରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ସହିତ ସାକ୍ଷାତକାର ଏବଂ ବିଷୟଭିତ୍ତିକ ତଥ୍ୟ ସଂଗ୍ରହ ଏହି ପୁସ୍ତକରେ ସ୍ଥାନିତ କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଏବଂ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଡଃ ମିଶ୍ରଙ୍କର ଏହି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହିତ ଏହି ପୁସ୍ତକ ଗବେଷକ, ନୀତି ନିର୍ଦ୍ଧାରକ, ଯୋଜନା ପ୍ରଣୟନକାରୀ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ଓ ପ୍ରେରଣାଦାୟକ ହେବ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ, ରାଜ୍ୟ ଯୋଜନା ଓ ପରିସଂଖ୍ୟାନ ବିଭାଗର ନିର୍ଦ୍ଦେଶକ ଡଃ ବିଜୟ ଭୂଷଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଡଃ ମିଶ୍ର ୧୯୮୪ ରେ ରାଜ୍ୟ ସରକାରଙ୍କ ଓଡ଼ିଶା ପରିସଂଖ୍ୟାନ ଓ ଅର୍ଥନୀତି ସେବାରେ ନିଯୁକ୍ତି ପାଇ ବିଭିନ୍ନ ବିଭାଗରେ କାର୍ଯ୍ୟକରି ୨୦୧୩ ରେ ଅବସର ଗ୍ରହଣ ପରେ ୨୦୧୪ ରୁ ୨୦୧୭ ପର୍ଯ୍ୟନ୍ତ ଯୋଜନା ଓ ସଂଯୋଜନ ବିଭାଗ ଏବଂ ପରେ ପରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ ବିଭାଗରେ ୫ବର୍ଷ ଗବେଷଣା ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ ।
