ବଞ୍ଚିରହିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ଦୁଇ ଅନାଥ ବାମନ ଭଉଣୀ
ବଞ୍ଚିରହିବା ପାଇଁ ସଂଘର୍ଷ କରୁଛନ୍ତି ଦୁଇ ବାମନ ଭଉଣୀ |ସକାଳୁ ଉଠି ଘର ଘର ବୁଲି ଘର କାମ କଲେ ଯାଇକି ଦୁଇ ଓଳି ପାଇଁ ଦୁଇମୁଠା ଦାନାର ଯୋଗାଡ଼ ହୋଇପାରୁଛି |ଦୁଇଜଣ ଯାକ ବାମନ ହୋଇଥିବାରୁ ସ୍ୱାଭାବିକ ମଣିଷ ମାନଙ୍କ ପରି କାମ କରିବାକୁ ଅସମର୍ଥ |ତେଣୁ କେବଳ ଘର ପୋଛାପୋଛି ଓ ଅଇଁଠା ବାସନ ମାଜିବା ଭଳି କାର୍ଯ୍ୟକରି ସେଇଥିରୁ ଯାହା ପାଉଣା ମିଳେ ସେଥିରେ ସେମାନଙ୍କ ପେଟ ପୋଷଣ ହୁଏ |ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଗୁରୁସିଙ୍ଗା ପଂଚାୟତ ଅଧୀନରେ ଥିବା ହୁଣ୍ଡାରଡୁଡୁକି ଗ୍ରାମରେ |ଗ୍ରାମର ଜଗତ ହାଲୱା ଓ ମଙ୍ଗଳଦେଇ ହାଲୱାଙ୍କ ଦୁଇ ଝିଅ ହେଉଛନ୍ତି ଚିତାବତୀ ହାଲୱା ଓ କିଆବତୀ ହାଲୱା |ବୟସ ଯଥାକ୍ରମେ 57ବର୍ଷ ଓ 55ବର୍ଷ |ବାପା ମାଁ ଦୁଇ ଝିଅଙ୍କୁ ଛାଡିଦେଇ ଅନେକ ବର୍ଷ ପୂର୍ବେ ଆର ପାରିକୁ ଚାଲି ଯାଇଛନ୍ତି |ଦୁଇ ଝିଅଙ୍କ ପାଇଁ ଛାଡି ଯାଇଛନ୍ତି ଏକ ଝାଟିମାଟିର କୁଡ଼ିଆ ସାଙ୍ଗକୁ ଅଳ୍ପ ଟିକେ ଜମି |ବାପା ତିଆରି କରିଥିବା ଘର ମଧ୍ୟ ଭଙ୍ଗା ଦଦରା ହୋଇଗଲାଣି |ଘର ଭିତରୁ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯାଉଛି |ଦୁହିଁଙ୍କ ପେଟ ପାଇଁ ଦାନା ଯୋଗାଡ଼ କରିବା ସେମାନଙ୍କ ପାଇଁ କାଠିକର ପାଠ, ଆଉ ଘର ମରାମତି କରିବେ ବା କେମିତି? ସରକାର ଏଭଳି ବିକଳାଙ୍ଗ ଓ ବାମନ ଶ୍ରେଣୀର ଲୋକଙ୍କ ପାଇଁ ଘରଡ଼ିହ, ଘର, ଭତ୍ତା ସାଙ୍ଗକୁ ବିବାହ ପାଇଁ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସୁବିଧା ଯୋଗେଇ ଦେବାର ବ୍ୟବସ୍ଥା କରିଛନ୍ତି ସତ, ହେଲେ ଏ ଅନାଥ ଦୁଇ ଭଉଣୀ ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ରହିଛନ୍ତି |ପ୍ରଶାସନ କେବେ ହେଲେ ଜାଣିବାକୁ ମଧ୍ୟ ଚେଷ୍ଟା କରିନି କି ଏମାନେ ବଂଚୁଛନ୍ତି କିପରି ?ପ୍ରଶାସନର ଯଦି ସୁଦୃଷ୍ଟି ଏହି ଦୁଇ ବାମନ ଭଉଣୀ ମାନଙ୍କ ଉପରେ ପଡନ୍ତା ତେଵେ ଚିତାବତୀ ଓ କିଆବତୀ ଉପକୃତ ହୁଅନ୍ତେ ବୋଲି ଗ୍ରାମବାସୀମାନେ ମତ ଦେଉଛନ୍ତି |ବର୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ କଣ ସବୁ ସୁବିଧା ଯୋଗେଇ ପାରୁଛି ଏହି ଦୁଇ ଭଉଣୀଙ୍କୁ?
