ମାମୁଁ ଘରୁ ଆସେ ଅଷ୍ଟମୀ ବେଭାର

ମାମୁଁ ଘରୁ ଆସେ ଅଷ୍ଟମୀ ବେଭାର
         ( ରାଗ — କଳହଂସ କେଦାର )

   🖊️କବିରତ୍ନ ନୂତନ କୁମାର ବେହେରା

ଓଡ଼ିଆ ଜାତିର ପ୍ରଥା ପରମ୍ପରା
ସମଗ୍ର ବିଶ୍ବରେ ଲାଗଇ ନିଆରା ଯେ,
ପ୍ରଭୁ ଶ୍ରୀଜଗନ୍ନାଥ ସାହା ଭରସା
ପୂରଣ କରନ୍ତି ଭକତର ଆଶା ଯେ।୧।

ବାର ମାସରେ ହୁଏ ତେର ପରବ
ଐତିହ୍ୟ ସଂସ୍କୃତି ଜାତିର ଗୌରବ ଯେ,
ପାର୍ଥିବ ସଂପର୍କ ଯୋଡ଼ି ଥାଏ ଭାବ
ସେ ଭାବେ ସମାଜେ ଚଳଇ ମାନବ ଯେ।୨।

ମାର୍ଗଶିର କୃଷ୍ଣ ପକ୍ଷ ଅଷ୍ଟମୀରେ
ପ୍ରଥମାଷ୍ଟମୀ ପାଳିତ ହୁଏ ଘରେ ଯେ,
ପିତାମାତାଙ୍କର ପ୍ରଥମ ସନ୍ତାନ
ପଢୁଆଁ ଭାବରେ ପାଏ ଏ ସମ୍ମାନ ଯେ।୩।

ଜ୍ୟେଷ୍ଠ ସନ୍ତାନର ସମୃଦ୍ଧି ମନାସି
ଆଶିଷ ଦିଅନ୍ତି ଗୁରୁଜନେ ଆସି ଯେ,
ଷଠୀ ଦେବୀଙ୍କୁ କରି ପୂଜା ଅର୍ଚ୍ଚନା
ପଢୁଆଁକୁ କରାଯାଏ ଅଭ୍ୟର୍ଥନା ଯେ।୪।

ନବ ବସ୍ତ୍ରମାନ କରି ପରିଧାନ
ଷଠୀ ଦେବୀ ପାଶେ ବସେ ସେ ସନ୍ତାନ ଯେ,
ଦେଇ କାନରେ ଫୁଲ ମୁଣ୍ଡରେ ଚନ୍ଦନ
ସରାଗରେ ମାଆ କରଇ ବନ୍ଦାଣ ଯେ।୫।

ବନ୍ଦାପନା ପରେ ପଢୁଆଁ ସନ୍ତାନ
ଷଠୀ ଦେବୀଙ୍କୁ ହୋଇଥାଏ ନମନ ଯେ,
ପିତା ମାତା ଗୁରୁଜନେ କରି ଭକ୍ତି
ପ୍ରଣମି ଆଶିଷ ମାଗେ ମୁଣ୍ଡ ପାତି ଯେ।୬।

ବିଧି ଅନୁସାରେ ମାମୁଁ ଘରୁ ଆସେ
ଅଷ୍ଟମୀ ଭାର ପଢୁଆଁଙ୍କ ସକାଶେ ଯେ,
ନୂଆ ପୋଷାକ ସାଥେ ଏଣ୍ଡୁରି ପିଠା
ମାମୁଁ ଆଣିଥାନ୍ତି ରଖି ସତ୍ୟ ନିଷ୍ଠା ଯେ।୭।

ବନ୍ଧୁ ମିଳନରେ ଉତ୍ସବ ମୁଖର
ଆନନ୍ଦେ ହସି ଉଠେ ସପରିବାର ଯେ,
ଏଣ୍ଡୁରି ପିଠାରେ ପୁରି ଉଠେ ଘର
ପାଇ ମାମୁଁ ଘର ଅଷ୍ଟମୀ ବେଭାର ଯେ।୮।

ଅଷ୍ଟମୀରେ ଏଣ୍ଡୁରି ପିଠା ସ୍ଵତନ୍ତ୍ର
ହଳଦୀ ପତ୍ରରେ ହୁଏ ତିଆର ଯେ,
ପଢୁଆଁ ଖାଏ ହୋଇ ଆତ୍ମ ବିଭୋର
ଆଶୀର୍ବାଦ ପାଇ ଗୁରୁଜନଙ୍କର ଯେ।୯।

ପଢୁଆଁ ବଳଭଦ୍ର ଆଗେ ଜନମି
ଷଠୀ ଦେବୀ ରୂପେ ମାଆ ମହାଲକ୍ଷ୍ମୀ ଯେ,
ପୂଜା ପାଆନ୍ତି ଏ ଅଷ୍ଟମୀ ତିଥିରେ
ପୂଜୁ ଶ୍ରଦ୍ଧା ଭକ୍ତି ରଖି ତାଙ୍କଠାରେ ଯେ।୧୦।

ପ୍ରଥମାଷ୍ଟମୀ ଆଣିଦିଏ ଆନନ୍ଦ
ମନରୁ ଦୂର ହୋଇଯାଏ ବିଷାଦ ଯେ,
ସଂସାରେ ସଂପର୍କ ପବିତ୍ର ବନ୍ଧନ
ସରସ ସୁନ୍ଦର କରଇ ଜୀବନ ଯେ।୧୧।

    ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ 
        ନବସୃଜନ ଇ-ପତ୍ରିକା 

     କୋହି,ବାରିପଦା,ମୟୂରଭଞ୍ଜ,

Leave a Reply

Your email address will not be published. Required fields are marked *