କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନ ବୈଷ୍ଣବୀଙ୍କ ପୁରୀ ଗସ୍ତ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନ ବୈଷ୍ଣବ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଦୁଇ ମନ୍ତ୍ରୀ ପତିତପାବନଙ୍କୁ ଦର୍ଶନ କରିବା ସହ ଦୀପଦାନ କରି ଆଶୀର୍ବାଦ କାମନା କରିଛନ୍ତି। ଶିକ୍ଷା କ୍ଷେତ୍ରରେ ସାକ୍ଷୀଗୋପାଳ ବକୁଳବନ ଏକ ସ୍ବତନ୍ତ୍ର ଭୂମିକା ସୃଷ୍ଟି କରିଥିବାରୁ ଏଠାରେ ହେବାକୁ ଥିବା ଓଡିଶା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟରେ ରାଜ୍ୟକୁ କେନ୍ଦ୍ର ସମ୍ପୁର୍ଣ୍ଣ ସହାୟତା ପ୍ରଦାନ କରିବ। ଏହା ସହିତ ବକୁଳବନ ବିଶ୍ବବିଦ୍ୟାଳୟକୁ ନୂଆ ଶିକ୍ଷା ନୀତିର ପ୍ରୟୋଗଶାଳା କରାଯିବ। ରାଜ୍ୟର ୫୦ ହଜାର ଗ୍ରାମକୁ ଇଣ୍ଟରନେଟ ସୁବିଧା ଦେବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇଞ୍ଜିନିୟରିଂ, ମେଡିକାଲ ପାଠ୍ୟକ୍ରମକୁ ଓଡିଆରେ ପ୍ରଚଳନ କରାଯିବା ପାଇଁ ମଧ୍ୟ ଉଦ୍ୟମ କରାଯିବ। ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ପୁରୀରେ ରେଳପଥର ବିକାଶ ସହ ପୁରୀ-କୋଣାର୍କ ରେଳ ଲାଇନ ନିର୍ମାଣ କାର୍ଯ୍ୟ ନେଇ ଯାହା ଆବଶ୍ୟକ ସେନେଇ କେନ୍ଦ୍ର ପଦକ୍ଷେପ ନେବ ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନ ବୈଷ୍ଣବ। ଆଜି ଦୁଇମନ୍ତ୍ରୀ ପୁରୀରେ ପହଞ୍ଚିବା ପରେ ଦଳୀୟ କର୍ମୀମାନେ ତାଙ୍କୁ ଅଠରନଳାରେ ସମ୍ବର୍ଦ୍ଧିତ କରିବା ସହ ବଡଦାଣ୍ତରେ ବାଇକ ରାଲି କରି ସିଂହଦ୍ବାରରେ ପହଞ୍ଚାଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଦୁଇ ମନ୍ତ୍ରୀ ସର୍କିଟ ହାଉସରେ ବୃକ୍ଷରୋପଣ କରିଥିଲେ ।ମନ୍ତ୍ରୀଙ୍କ ପୁରୀ ଗ୍ରସ୍ତ ସମୟରେ ପୁରୀ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା ।
ପୌରନିର୍ବାଚନ ଓ ପଞ୍ଚାୟତ ନିର୍ବାଚନକୁ ଏକା ସାଙ୍ଗରେ କରିବା ପାଇଁ ନିର୍ଵାଚନ କମିଶନରଙ୍କ ନିକଟେ ଦାବୀ ଜଣାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯଦି ଏହା କରାଯାଇପାରନ୍ତା ତାହା ହେଲେ ରାଜ୍ୟର ପୌର ନିବାସୀ ମାନେ ସମସ୍ତ ସୁଵିଧା ଉପଲବ୍ଧ କରିପାରିବେ ଏବଂ ବିକାଶ କାର୍ଯ ତ୍ବାରାନ୍ବିତ ହୋଇପାରିବ। କାରଣ ପୌର ନିର୍ବାଚନ ପ୍ରାୟ ତିନିବର୍ଷ ହେଲାଣି ଶେଷ ହୋଇସାରିଲାଣି। ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ଅଣ୍ଟାଭିଡିବା ସହ ସ୍ବାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି। କିନ୍ତୁ ରାଜ୍ୟବାସୀ ଅନେକ ଭାରତ ସରକାରଙ୍କ ଆୟୁଷ୍ମାନ ଯୋଜନାରୁ ଵଞ୍ଚିତ ହେଉଛନ୍ତି। ଯଦି ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହୁଅନ୍ତା ତେଵେ ରାଜ୍ୟ ବାହାରେ ଥିବା ଓଡିଆ ମାନେ ସେହି ସେବା ନେଇପାରନ୍ତେ। ସେପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରସରକାର ମଧ୍ୟ ଅର୍ଥରାଶି ବୃଦ୍ଧି କରିଛନ୍ତି। କିନ୍ତୁ ଏଠି ଯୋଜନା ବାଟମାରଣା ହେଉଛି। ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
