ଭିଡ଼ିଓ ବାର୍ତ୍ତା ଜରିଆରେ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
ଭିଡ଼ିଓ ବାର୍ତ୍ତା ଜରିଆରେ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ l ୨୦୨୬ରୁ ୨୦୩୬ – ଆଗାମୀ ୧୦ ବର୍ଷ ‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ’ଗଠନର ଶତାବ୍ଦୀ ପୂର୍ତ୍ତି ଅଭିମୁଖେ ଗୁରୁତ୍ୱପୂର୍ଣ୍ଣ ଯାତ୍ରା : ଧର୍ମେନ୍ଦ୍ର ପ୍ରଧାନ‘ବିକଶିତ ଓଡ଼ିଶା’ ଗଠନ ପାଇଁ ୧୦ଟି ସଂକଳ୍ପର ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ୧. ଓଡ଼ିଆ ଭାଷାର ସମ୍ମାନ ରକ୍ଷା କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର କରିବା୨. ନିଜ ନିଜ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରି ରାଜ୍ୟର ପ୍ରଗତିରେ ସହଭାଗୀ ହେବା୩. ଜାତି, ଧର୍ମ ଓ ଭେଦଭାବ ଭୁଲି ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନରେ ସହାୟକ ହେବା୪. ପ୍ରତ୍ୟେକ ଶିଶୁଙ୍କ ପାଖରେ ପୁଷ୍ଟିକର ଆହାର ପହଞ୍ଚାଇବା ପାଇଁ ସାମୂହିକ ଦାୟିତ୍ୱ ନେବା୫. ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍’ ବର୍ଜନ କରିବା ଓ ଅନ୍ୟଙ୍କୁ ସଚେତନ କରିବା୬. ଆମର ବିଦ୍ୟାଳୟ, ମନ୍ଦିର, ଐତିହ୍ୟ ସ୍ଥଳୀ ଓ ରାସ୍ତାଘାଟକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା୭.ଜଳ ଓ ଶକ୍ତିର ସଦୁପଯୋଗ କରି ପ୍ରକୃତିର ସୁରକ୍ଷା କରିବା୮.ଯେକୌଣସି ଘଡ଼ିସନ୍ଧି ମୁହୂର୍ତ୍ତରେ ଭୟଭୀତ ନହୋଇ ଧୈର୍ୟ୍ୟର ସହ ପରିସ୍ଥିତିର ମୁକାବିଲା କରିବା୯. ଭୋକାଲ ଫର୍ ଲୋକାଲ ଆହ୍ୱାନରେ ସ୍ଥାନୀୟ ସାମଗ୍ରୀକୁ ପ୍ରୋତ୍ସାହନ ଦେବା୧୦.ଜଣେ ସଚେତନ ନାଗରିକ ଭାବେ ନିଜ ଅଧିକାର ସାବ୍ୟସ୍ତ କରିବା ସହ କର୍ତ୍ତବ୍ୟ ସମ୍ପାଦନ କରିବାଭୁବନେଶ୍ୱର, ୧ ଏପ୍ରିଲ, ୨୦୨୬ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପବିତ୍ର ‘ଓଡ଼ିଶା ଦିବସ’ ଅବସରରେ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ-ଭଉଣୀମାନଙ୍କୁ ଭିଡ଼ିଓ ବାର୍ତ୍ତା ଜରିଆରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ୨୦୨୬ରୁ ୨୦୩୬ – ଆଗାମୀ ୧୦ ବର୍ଷ ‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ’ ଗଠନର ଶତାବ୍ଦୀ ପୂର୍ତ୍ତି ଅଭିମୁଖେ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ବୋଲି ଅଭିହିତ କରିବା ସହ ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟ ଭାବେ ଗଢ଼ିତୋଳିବାକୁ ୧୦ଟି ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି । ଓଡ଼ିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଆଜିର ଦିନ କେବଳ ଏକ ତାରିଖ ନୁହେଁ, ଏହା ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସଂଘର୍ଷର ବିଜୟ ଉତ୍ସବ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ଆମ ମହାପୁରୁଷମାନଙ୍କର ଅତୁଳନୀୟ ଅବଦାନ ରହିଛି । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ,ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସ୍ୱଭାବକବି ଗଙ୍ଗାଧର ମେହେର ଏବଂ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଭାଷାପ୍ରୀତି ଓ ଅଗଣିତ ବରପୁତ୍ରଙ୍କ ତ୍ୟାଗ ଆମ ଜାତିର ମୂଳଦୁଆ । ସେମାନଙ୍କ ସଂଘର୍ଷ ଯୋଗୁଁ ଆଜି ଆମ ଓଡ଼ିଆ ଜାତି ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ୨୦୩୬ରେ ଓଡ଼ିଶା ଗଠନର ୧୦୦ ବର୍ଷ ପୂରଣ ହେବାକୁ ଥିବାବେଳେ, କେନ୍ଦ୍ରମନ୍ତ୍ରୀ ପ୍ରତ୍ୟେକ ଓଡ଼ିଆଙ୍କୁ ନିମ୍ନଲିଖିତ ୧୦ଟି ସଂକଳ୍ପ ନେବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଆଜି ଠାରୁ ଠିକ୍ ୧୦ ବର୍ଷ ପରେ ୨୦୩୬ରେ ଆମ ରାଜ୍ୟ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଆମ ଦେଶ ସ୍ୱାଧୀନତାର ଶତାବ୍ଦୀ ପୂରଣ କରିବ । ଏଥିପାଇଁ ଆଗାମୀ ୧୦ ବର୍ଷରୁ ୨୧ ବର୍ଷ ଅତ୍ୟନ୍ତ ନିର୍ଣ୍ଣାୟକ ଓ ମହତ୍ତ୍ୱପୂର୍ଣ୍ଣ । ତେଣୁ ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ଆତ୍ମସମୀକ୍ଷାର ଦିନ । ଏହି ସମୟରେ ଆମକୁ ସଂକଳ୍ପ ନେବାକୁ ହେବ ଯେ –ଆମେ ଆମର ମାତୃଭାଷାକୁ ସମ୍ମାନ ଦେବା ଏବଂ ଏହାର ପ୍ରଚାର ପ୍ରସାର କରିବା । ଓଡ଼ିଶାର ବିକାଶ ଓ ପ୍ରଗତିରେ ନିଜ ନିଜ କ୍ଷେତ୍ରରେ ଅବଦାନ ଦେବା । ଜାତି, ଧର୍ମ ଓ ଭେଦଭାବ ଭୁଲି ଏକ ସମୃଦ୍ଧ ଏବଂ ସଶକ୍ତ ଓଡ଼ିଶା ଗଠନରେ ସହାୟକ ହେବା । ପ୍ରତ୍ୟେକ ଶିଶୁଙ୍କ ପାଖରେ ପୁଷ୍ଟିକର ଆହାର ପହଞ୍ଚାଇବା ପାଇଁ ସାମୂହିକ ଦାୟିତ୍ୱ ନେବା । ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରିବା ସହ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରିବା । ଆମର ବିଦ୍ୟାଳୟ, ମନ୍ଦିର, ଐତିହ୍ୟ ସ୍ଥଳୀ ଓ ରାସ୍ତାଘାଟକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା । ଜଳ ଓ ଶକ୍ତିର ସଂରକ୍ଷଣ କରି ପ୍ରକୃତିର ସୁରକ୍ଷା କରିବା । ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଦେଖାଯାଇଥିବା ସ୍ଥିତି ବା ଯେକୌଣସି ଘଡ଼ିସନ୍ଧି ମୁହୂର୍ତ୍ତରେ ଧୈର୍ଯ୍ୟର ସହ ପରିସ୍ଥିତିକୁ ମୁକାବିଲା କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଭୟଭୀତ ନ ହେବା ପାଇଁ ସାହସ ଓ ସହଯୋଗ ପ୍ରଦାନ କରିବା । ପ୍ରଧାନମନ୍ତ୍ରୀଙ୍କ ଭୋକାଲ୍ ଫର୍ ଲୋକାଲ’ ଆହ୍ୱାନରେ ଅନୁପ୍ରାଣିତ ହୋଇ ଓଡ଼ିଶାର ସ୍ଥାନୀୟ ସାମଗ୍ରୀକୁ ପୋତ୍ସାହନ ଦେବା ସହ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବା । ସର୍ବୋପରି, ଜଣେ ସଚେତନ ନାଗରିକ ଭାବେ ନିଜର ଅଧିକାରକୁ ସାବ୍ୟସ୍ତ କରିବା ନିଜର କର୍ତ୍ତବ୍ୟ ସମ୍ପାଦନ କରିବା । ଏହି ସଂକଳ୍ପ ଗୁଡ଼ିକ ହିଁ ଆମକୁ ଆଗାମୀ ଦିନରେ ଏକ ସ୍ୱାଭିମାନୀ, ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନର ମାର୍ଗ ଦେଖାଇବ ବୋଲି ସେ କହିଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି, ଆମ ରାଜ୍ୟ ଓଡ଼ିଶା ହେଉଛି କଳା, ସଂସ୍କୃତି, ଭାଷା ଏବଂ ଅଦମ୍ୟ ସାହସର ଏକ ସଂଗମ ସ୍ଥଳ କୋଣାର୍କର କାରୁକାର୍ଯ୍ୟରୁ ଆରମ୍ଭ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପର୍ଯ୍ୟନ୍ତ – ଆମର ପରମ୍ପରା ସାରା ବିଶ୍ୱରେ ଅଦ୍ୱିତୀୟ । ଆମ ଓଡ଼ିଶା ମାଟି ହେଉଛି ଦେବଭୂମି । ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ହିଁ ଆମ ଜାତିର ସବୁଠାରୁ ବଡ଼ ସମ୍ବଳ । ମା’ ଲକ୍ଷ୍ମୀ ଏବଂ ମା’ ବିମଳାଙ୍କ ଆଶୀର୍ବାଦ ସର୍ବଦା ଆମ ସଂସ୍କୃତିକୁ ସମୃଦ୍ଧ ଓ ସୁରକ୍ଷିତ କରି ରଖିଛି । ସେହିପରି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ହେଉଛନ୍ତି ଆମ ଆସ୍ଥା ଓ ବିଶ୍ୱାସର ପ୍ରତୀକ, ଯାହାଙ୍କ ଆଶୀର୍ବାଦ ଆମ ଜୀବନକୁ ସର୍ବଦା ମାର୍ଗଦର୍ଶନ କରିଆସିଛି ।ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଆଶୀର୍ବାଦ ଆମ ମାଟିକୁ ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ଦେଇଛି । ମା’ ହିଙ୍ଗୁଳା, ମା’ ତାରିଣୀ, ମା’ କଟକଚଣ୍ଡୀ, ମା’ ବିରଜା, ମା’ ଶାରଳା ଏବଂ ମା’ ଚର୍ଚ୍ଚିକାଙ୍କ ଅଭୟ ଦିଶା ଆମର ଏହି ପବିତ୍ର ଭୂମିକୁ ଏକ ଆଧ୍ୟାତ୍ମିକ ମର୍ଯ୍ୟାଦା ପ୍ରଦାନ କରିଛି । ଆମର ଶାସ୍ତ୍ରୀୟ ଭାଷା ‘ଓଡ଼ିଆ’ ଆମର ଶକ୍ତି ଏବଂ ‘ସାହିତ୍ୟ’ ଓ ‘ଇତିହାସ’ ଆମର ଗର୍ବ। ଓଡ଼ିଆ ଘରର ପଖାଳ କଂସାରୁ ଆରମ୍ଭ କରି ମହାପ୍ରଭୁଙ୍କ ମହାପ୍ରସାଦ ପର୍ଯ୍ୟନ୍ତ – ଆମର ପାରମ୍ପରିକ ଖାଦ୍ୟ ସଂସ୍କୃତିରେ ଯେଉଁ ସ୍ୱତନ୍ତ୍ରତା ଓ ଆତ୍ମୀୟତା ରହିଛି, ତାହା ଅନନ୍ୟ । ଶ୍ରୀକ୍ଷେତ୍ର ପୁରୀର ଖଜା ଠାରୁ ଆରମ୍ଭ କରି ସମ୍ବଲପୁରର ସରସତିଆ, ନୟାଗଡ଼ର ଛେନାପୋଡ଼, ସାଲେପୁର ରସୋଗୋଲା, ଢେଙ୍କାନାଳର ବରା ଏବଂ କେନ୍ଦ୍ରାପଡ଼ାର ରସାବଳୀ ସାରା ବିଶ୍ୱରେ ଓଡ଼ିଆ ଜାତିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଆଜିର ଓଡ଼ିଶା ଏକ ବଡ଼ ପରିବର୍ତ୍ତନର ପଥରେ ଅଗ୍ରସର ହେଉଛି । ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ଓଡ଼ିଆ ଜାତିର ଅକ୍ଳାନ୍ତ ପରିଶ୍ରମ ବଳରେ ଆମେ ‘ବିକଶିତ ଓଡ଼ିଶା’ ଗଠନ କରିବା ପାଇଁ ସଂକଳ୍ପବଦ୍ଧ । ଆମର କଳା, ଭାସ୍କର୍ଯ୍ୟ, ଶିଳ୍ପ ଏବଂ ଯୁବଶକ୍ତିର ଅସୀମ ଦକ୍ଷତା ସାରା ଦୁନିଆରେ ଓଡ଼ିଶା ପାଇଁ ଏକ ନୂତନ ପରିଚୟ ସୃଷ୍ଟି କରୁଛି । ଓଡ଼ିଶାର ଏହି ସମୃଦ୍ଧ ସଂସ୍କୃତି, ଭାଷା ଓ ଐତିହ୍ୟକୁ ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଆଜି ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ କରିବା ଖୁସିର ବିଷୟ । ଏହି ‘ଓଡ଼ିଆ ପକ୍ଷ’ ଅଭିଯାନ ଅଧୀନରେ ଶିଶୁମାନଙ୍କ ପାଇଁ ଖଡ଼ିଛୁଆଁ ଓ ବର୍ଣ୍ଣବୋଧ ବଣ୍ଟନ, ଓଡ଼ିଆ ନାମଫଳକ ଲଗାଇବା ପାଇଁ ସଚେତନତା, ପୁସ୍ତକ ମେଳା, ସାହିତ୍ୟ ଚର୍ଚ୍ଚା ସହ ବରପୁତ୍ରମାନଙ୍କ ଆଦର୍ଶ ଉପରେ ଆଲୋଚନା କରାଯିବ । ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଆମ ଐତିହ୍ୟକୁ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ପ୍ରଦାନ କରିବା ସହ ଓଡ଼ିଆ ଅସ୍ମିତାକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
