ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।
ପାରାଦୀପ,୯/୩:
ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ମଧୁବନ ସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀ କର୍ମଚାରୀ ମାନଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା ମାନେ ଅତି ଉତ୍ସାହ ସହକାରେ ପାଳନ କରିଥିଲେ।ମହିଳା ମାନେ କେବଳ ପରିବାର ମଧ୍ୟରେ ସୀମିତ ନ ରହି ରାଜ୍ୟ ତଥା ଦେଶ ଓ ବିଶ୍ୱ ସ୍ତରରେ ସେମାନଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।ମହିଳା ମାନଙ୍କ ପାଖରେ ସବୁ କ୍ଷେତ୍ରରେ କାର୍ଯ୍ୟ କରିବାର ଦକ୍ଷତା,ଅଭିଜ୍ଞତା ସହିତ ସକାରାତ୍ମକ ମନୋଭାବ ରହିଛି।କାର୍ଯ୍ୟାଳୟ ହେଉ କି ପରିବାର ମହିଳା ଓ ପୁରୁଷ ମାନଙ୍କ ମଧ୍ୟରେ କୌଣସି ଲିଙ୍ଗଗତ ପାର୍ଥକ୍ୟ ରହିବା ଉଚିତ୍ ନୁହେଁ। କେବଳ ଆଜିର ଦିନରେ ଉତ୍ସବ ପାଳନ କରିବା ସମ୍ମାନ ଦେବା ଉଚିତ୍ ନୁହେଁ ବରଂ ସବୁ ଦିନ ସବୁ ସମୟରେ ମହିଳା ମାନଙ୍କୁ ଉଚିତ୍ ସମ୍ମାନ ଓ ଅଧିକାର ମିଳିବା ଉଚିତ ବୋଲି କମ୍ପାନୀ ର ବରିଷ୍ଠ ଅଧିକାରୀ ତଥା ଅତିଥି ମାନେ ମତ ପ୍ରକାଶ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଜେ ଏସଡବ୍ଲ୍ୟୁ ଫାଉଣ୍ଡେସନ ଅଧ୍ୟକ୍ଷା ସଙ୍ଗୀତା ଜିନ୍ଦଲ ଙ୍କ ଦ୍ଵାରା ଏକ ୱେବ ଟେଲିକାଷ୍ଟ ସହିତ ମୁଖ୍ୟ ବକ୍ତା ଭାବେ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ଅଧିକାରିଣୀ କଲ୍ୟାଣମୟୀ ଷେଣ୍ଢ,ପ୍ରକଳ୍ପ ମୂଖ୍ୟ, ବିଶ୍ଵନାଥ ପ୍ରଭୁ କେ ଙ୍କ ସମେତ ଶଣମୁଗମ ଏଏସ,ରାକେଶ ଓଝା, ମନୋଜ କୁମାର ସିଂହ,ଗୋପାଳ ଶାହା ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ ମହିଳା ମାନଙ୍କୁ ନେଇ ମ୍ୟୁଜିକ ଚେୟାର,ପାସିଂ ଦ ବଲ୍,ହିଡେନ ଟ୍ୟାଲେଣ୍ଟ ଓ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା।ଶେଷରେ ସମସ୍ତ ପ୍ରତିଯୋଗିତାରେ ଭାଗ ନେଇ ଥିବା କୃତି ମହିଳା କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ସମସ୍ତ ମହିଳା ମାନେ କେକ୍ କାଟି ପରସ୍ପରକୁ ଖୁଆଇ ମହିଳା ଦିବସର ଶୁଭେଚ୍ଛା ଜଣାଇଥିଲେ।
ଏହି ଉତ୍ସବରେ ଜେଏସଡବ୍ଲୁ ଉତ୍କଳ ଷ୍ଟିଲର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ସମସ୍ତ ବିଭାଗର ମୁଖ୍ୟ ଓ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
