ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କଳା ପ୍ରଦର୍ଶନୀ ‘ସୃଷ୍ଟି ‘ ଉଦଯାପିତ

ଭୁବନେଶ୍ୱର- ତା.୦୮.୦୫.୨୦୨୪- ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଦୃଶ୍ଯ କଳା ବିଭାଗ ଆନୁକୁଲ୍ୟରେ ଜାତୀୟ ଲଲିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ରଠାରେ ୫ ଦିନ ବ୍ୟାପି ଆୟୋଜିତ ସପ୍ତମ କଳା ପ୍ରଦର୍ଶନୀ ‘ସୃଷ୍ଟି’ ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ବିଶିଷ୍ଟ ଅତିଥି ଭାବେ ଜାତୀୟ ଳଲିତକଳା ଏକାଡେମୀର ଆଞ୍ଚଳିକ ସଚିବ ଶ୍ରୀ ରାମକୃଷ୍ଣ ବେଦଲା ଯୋଗଦେଇ ଛାତ୍ରଛାତ୍ରୀଙ୍କ କଳାକୃତି ଗୁଡ଼ିକର ଭୂୟସୀ ପ୍ରଶଂସା କରିବା ସହ କଳା ମାଧ୍ୟମରେ ଆଗାମୀ ଦିନରେ ନିଜର ପ୍ରତିଭାକୁ ପ୍ରତିଫଳିତ କରିବାକୁ ଆହ୍ୱାନ ଦେଇଥିଲେ । ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚିତ୍ରଶିଳ୍ପୀ ଶ୍ରୀ ରାମହରି ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ କଳାର ବିକାଶ ପାଇଁ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଅବଦାନକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଓଡ଼ିଶାର ଭିନ୍ନ ଭିନ୍ନ ଲୋକକଳାର ବିକାଶ ପାଇଁ ଆଜିର ଯୁବଶିଳ୍ପୀମାନେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ ।

ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ତାଙ୍କର ସଭାପତିତ୍ୱ ଅଭିଭାଷଣରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ସହକାରୀ ପ୍ରଫେସର ଡ. ଆଶିଷ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସହକାରୀ ପ୍ରଫେସର ଅଞ୍ଜନ କୁମାର ସାହୁ ସ୍ଵାଗତ ଭାଷଣ ଓ ବିଭାଗୀୟ ମୁଖ୍ୟ ଡ. ଚକ୍ରଧର ବେହେରା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଓଡ଼ିଶୀ କଣ୍ଠ ସଂଗୀତ ବିଭାଗର ସହଯୋଗୀ ପ୍ରଫେସର ଡ. ଧୀରଜ କୁମାର ମହାପାତ୍ର ସନ୍ଥକବି ଭୀମଭୋଇଙ୍କ ଭଜନ ପରିବେଷଣ କରିଥିବା ବେଳେ ଡ. ରମଣୀ ରଂଜନ ଜେନା ଓ ତାଙ୍କ ସାଥୀ ପାରମ୍ପାରିକ ଛଉ ନୃତ୍ୟ ପରିବେଷଣ କରିଥିଲେ। ଏହି କଳା ପ୍ରଦର୍ଶନୀ ଓ କାର୍ଯ୍ୟକ୍ରମ ପରିଚାଳନାରେ ଡ. ଉମେଶ ଚନ୍ଦ୍ର ନାୟକ, ଶ୍ରୀ ପ୍ରବୀର କୁମାର ଦଳାଇ, ଡ. ନୀଳାଂଜନ ଦାସ, ଡ. ସସ୍ମିତା କାମିଲା ଓ ମୋନାଲିସା ବିଶ୍ୱାଳ ପ୍ରମୁଖ ସହାୟତା କରିଥିଲେ । ବିଶ୍ଵବିଦ୍ୟାଳୟ ପକ୍ଷରୁ ସମସ୍ତ କଳାକାର ଓ ଚିତ୍ରଶିଳ୍ପୀ ତଥା ଭାସ୍କର୍ଯ୍ୟ ଶିଳ୍ପୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *