ଫୁଲବାଣୀରେ ନବବର୍ଷ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : ନବବର୍ଷ ୨୦୨୬ ଅବସରରେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ରେ”ସାମାଜିକ ସୁସ୍ଥତାରେ ନାଗରିକ ଦାୟିତ୍ଵ” ଶୀର୍ଷକ ଆଲୋଚନା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାଢୀ ଚିକିତ୍ସାଳୟ ପରିସରରେ ପେପର୍ କପ୍ ବ୍ୟବହାର ନିଷିଦ୍ଧ ସହ ମାଟି କପ୍ ବ୍ୟବହାର ଆରମ୍ଭ କରିଥିଲେ। ଏହି ଅବସରରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଏପରି ସମାଜ ହିତକର କାର୍ଯ୍ୟର ଦୃଢ଼ ପ୍ରଶଂସା କରିଥିଲେ।ଶେଷରେ ସେଠାରେ ସ୍ଥାପିତ ଅଖଣ୍ଡ ଦୀପ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା ଆୟୋଜିତ ହୋଇଥିଲା। ସେପରି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଠାରେ ସନ୍ଧ୍ୟାରେ ଜିଲ୍ଲା ଲେଖକ ସାମ୍ମୁଖ୍ୟ ସହ ମିଳିତ ପ୍ରୟାସରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀଜଗନ୍ନାଥଙ୍କ ଆବାହନ ସହ ସ୍ବରଚିତ କବିତା ପାଠ ଏବଂ ଜନ ସଚେତନତା ପାଇଁ ଖାଦ୍ୟରେ ଅପମିଶ୍ରଣର ଖରାପ ପ୍ରଭାବ ସଂପର୍କରେ ଆଲୋଚନା ଓ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଅନୁଷ୍ଠାନର ସଭାପତି ବିଜୟକୃଷ୍ଣ ପଟ୍ଟନାୟକ, ଲେଖକ ସାମ୍ମୁଖ୍ୟ ସଭାପତି ରବିନ୍ଦ୍ରନାଥ ମିଶ୍ର, ମୁଖ୍ୟ ଅତିଥି ପ୍ରଶାସକ ପ୍ରବୀଣ କୁମାର ବାଣୁଆଙ୍କ ସମେତ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ବହୁ ସଂଖ୍ୟାରେ କବି ଯୋଗଦେଇ ସାମାଜିକ ସଚେତନତା ନିମନ୍ତେ ସାହିତ୍ୟର ପ୍ରତିବଦ୍ଧତା ସଂପର୍କରେ ଆଲୋଚନା କରିଥିଲେ। ଅଧ୍ୟାପିକା ହରପ୍ରିୟା ମିଶ୍ର ଓ ଶିବ ସୁନ୍ଦର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ପ୍ରବଳ ଶୀତ ସତ୍ତ୍ୱେ ବହୁ ସଂଖ୍ୟାରେ ଉପସ୍ଥିତ ସାହିତ୍ୟ ମନସ୍କ ବ୍ୟକ୍ତିଙ୍କ ଉପସ୍ଥିତିରେ ନିଆଁ ପୁଆଁ ସହ ରାତ୍ରି ଭୋଜନ ଏକ ନିଆରା ଅନୁଭବ ଆଣିଥିଲା। ଆୟୋଜନରେ ଉଭୟ ଅନୁଷ୍ଠାନର ସମ୍ପାଦକ ଶରତ ସାହୁ ଓ ପ୍ରସନ୍ନ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟଙ୍କ ସହଯୋଗରେ ସଫଳତାର ସହ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
