ବିଧାନସଭା ପରିସରରେ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି

**ଭୁବନେଶ୍ୱର, ୨୮ ଫେବୃଆରୀ ୨୦୨୫: ମହାନ ବୀର ପୁରୁଷ ଓ ଭାରତର ସର୍ବଶ୍ରେଷ୍ଠ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ୧୮୦୯ ମସିହା ଜାନୁଆରୀ ମାସ ୨୩ ତାରିଖ ଦିନ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ ବରଗାଁ ବା ଖିଣ୍ଡା ଗ୍ରାମରେ ଚୌହାନ୍ ରାଜପରିବାରରେ ଜନ୍ମଗ୍ରହଣ କରିଥିଲେ । ପଶ୍ଚିମ ଓଡ଼ିଶାରେ ୧୮୨୭ ମସିହାରେ ବୀର ସୁରେନ୍ଦ୍ର ସାଏ ସ୍ଵାଧୀନତା ସଂଗ୍ରାମର ଅଗ୍ନିଶିଖାକୁ ପ୍ରଜ୍ଜ୍ଵଳିତ କରି ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ତାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ସମ୍ବଲପୁର ମାଟିରୁ ବ୍ରିଟିଶ ଶାସନ ଲୋପ କରିବା । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ, ସୁସଂହତ ତଥା ବୀରତ୍ଵପୂର୍ଣ୍ଣ ଥିଲା । ସୁରେନ୍ଦ୍ର ସାଏଙ୍କ କୌଶଳପୂର୍ଣ୍ଣ ଗରିଲା ଯୁଦ୍ଧ, ରଣସଜ୍ଜା, ଦୃଢ଼ ମନୋବଳ, ଅସୀମ ଧୈର୍ଯ୍ୟ ଓ ସାହସ ନିକଟରେ ଇଂରେଜମାନେ ହାର ମାନିଥିଲେ । ଓଡ଼ିଶାର ଏହି ବରପୁତ୍ର, ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ବିପ୍ଳବର ଜୟଗାଥା ଓଡ଼ିଶା ଇତିହାସରେ ଚିରଦିନ ପାଇଁ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ପୃଷ୍ଠା ମଣ୍ଡନ କରୁଥିବ ।ବୀର ସୁରେନ୍ଦ୍ର ସାଏଙ୍କ ୧୪୧ତମ ଶ୍ରାଦ୍ଧବାର୍ଷିକୀ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ରହି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶାଶ୍ଵତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା । ସୁଶ୍ରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଭୂତି ନାୟକ ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *