ବିଦ୍ୟା

  🔹କବିରତ୍ନ ନୂତନ କୁମାର ବେହେରା

ତାହା ହିଁ ବିଦ୍ୟା ଯା’ ରୁହଇ ଚିର ବିଦ୍ୟମାନ
          କରେ ସଚେତନ ରଖିବାକୁ ବିଶେଷ ଧ୍ୟାନ,
ପ୍ରାଣେ ଭରି ପ୍ରେରଣା ଯୋଗାଇଥାଏ ଇନ୍ଧନ
       ଜିଜ୍ଞାସା’ର ଉତ୍ତର ଦେଇ ଦୃଢ଼ କରେ ଜ୍ଞାନ।
ବିଦ୍ୟା ଅଟେ ମହାଧନ ଆଣିଦିଏ ସମ୍ମାନ
           ଦେଖାଇ ସ୍ଵତନ୍ତ୍ର ରାହା କରାଏ ଅଭିଯାନ,
ତାର ବିନିଯୋଗେ ଜୀବନ ହୁଅଇ ସ୍ଵାଧୀନ
           ମନରୁ ଭୟ ଭ୍ରାନ୍ତି ଆଶଙ୍କା ହୁଏ ବିଲୀନ।
ପ୍ରକୃତିର ପ୍ରକୃତ ସତ୍ୟ କରାଏ ଦର୍ଶନ
            ମାନି ଚଳିବାକୁ ଜୀବନେ ବିଧିର ବିଧାନ,
ବିଦ୍ୟାର ବିନୟ ଭାବ ରଖିଥାଏ ପ୍ରସନ୍ନ
      ତାର ପ୍ରାପ୍ତିରେ ବ୍ୟକ୍ତି ଦେଖାଏ ତା’ ଆଚରଣ।
ହୀନକୁ ତାରି ସଂସାରେ କରିଥାଏ ମହାନ
         ତା’ ଦ୍ଵାରା ଚରିତ୍ରର ତ୍ରୁଟି ହୁଅ ସଂଶୋଧନ,
ମଣିଷ ତା’ ସ୍ଵଭାବକୁ କରେ ପରିବର୍ତ୍ତନ
        ସମସ୍ୟା ଆସଇ ଯେତେ ହୁଅଇ ସମାଧାନ।
ବିଦ୍ୟା ହିଁ ଜ୍ଞାନ ବିଦ୍ୟା ହିଁ ଧନ ବିଦ୍ୟା ହଁ ମାନ
          କଠିନ ଶ୍ରମ ସାଧନେ ହୋଇଥାଏ ଅର୍ଜନ,
କ୍ଷୟ ହୁଏନାହିଁ କେବେ କଲେ ଯେତେ ବି ଦାନ
         ଚୋର ଆସି କରି ପାରେ ନାହିଁ ଅପହରଣ।
ବିଦ୍ୟା ଅଧିକାରୀ ଭାବେ ହୁଏ ଜଣେ ବିଦ୍ୱାନ
       ସବୁରି ପାଶେ ହୋଇ ପ୍ରିୟ ପାଏ ଉଚ୍ଚ ସ୍ଥାନ,
ସଦା ସର୍ବଦା କରି ସତ୍ୟର ଅନୁସନ୍ଧାନ
             ସରଳ ସୁନ୍ଦର କରି ଗଢ଼ି ଦିଏ ଜୀବନ।
ସ୍ଥୂଳରୁ ସୂକ୍ଷ୍ମ ହୋଇ ଆଣେ ନବ ଜାଗରଣ
           ତ୍ୟାଗ ସମର୍ପଣ କରି ଦେଖାଏ ଅବଦାନ,
ଜୀବ ଆତ୍ମା ପରମାତ୍ମାରେ ହୁଅଇ ମିଳନ
          ପରମାର୍ଥରେ ତାର ଜୀବନ ପାଏ ନିର୍ବାଣ ।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *