ଅଲାରନାଥ ପୀଠରେ ଅନବସର ଦର୍ଶନ

ବ୍ରହ୍ମଗିରି,୬ା୬: ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରାରେ ସ୍ନାନ କରି ଜ୍ୱରରେ ପଡ଼ିଛନ୍ତି। ଫଳରେ ମହାପ୍ରଭୁ ଏବେ ଅଣସରରେ ୧୪ଦିନ ରହିବେ। ଏହି ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ନାହିଁ। ତେବେ ଅଗଣିତ ଶ୍ରଦ୍ଧାଳୁଙ୍କ ଭକ୍ତିକୁ ଦେଖି ମହାପ୍ରଭୁ ଅଣସରରେ ରହି ଶ୍ରୀକ୍ଷେତ୍ର ନିକଟସ୍ଥ ବ୍ରହ୍ମଗିରିସ୍ଥିତ ବ୍ରହ୍ମକ୍ଷେତ୍ର ଅଲାରନାଥ ମନ୍ଦିରରେ ଅଲାରନାଥଙ୍କ ବେଶରେ ଦର୍ଶନ ଦେବେ। ଏହି ୧୪ଦିନ ଅଲାରନାଥ ପୀଠ ପାଲଟିଯାଏ ଏକ ପୁଣ୍ୟ ପୀଠ। ସୋମବାର ଏହି ଅନବସର ଦର୍ଶନର ପ୍ରଥମଦିନ ହୋଇଥିବା ବେଳେ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି।
ଅନୁଯାୟୀ, ଭୋରରୁ ମନ୍ଦିରର ଦ୍ୱାରଫିଟା ନୀତି ହୋଇଥିବା ବେଳେ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତିକାନ୍ତି ହୋଇ ଅନବସର ବେଶରେ ସଜ୍ଜିତ ହେବା ପରେ ସର୍ବସାଧାରଣଙ୍କ ନିମନ୍ତେ ଦର୍ଶନ ଦେଇଥିଲେ ପ୍ରଭୁ ଅଲାରନାଥ। ସକାଳଠାରୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିବା ବେଳେ ସମୟାନୁକ୍ରମେ ଏହି ସଂଖ୍ୟା ଧୀରେ ଧୀରେ ବଢ଼ିବାକୁ ଲାଗିଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ ଓ ଶେଡ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଅପରାହ୍ନ ସମୟରେ ଖରା ଓ ଗୁଳୁଗୁଳି ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଶାନ୍ତିଶୃଙ୍ଖଳା ଭାବେ ଧାଡ଼ିରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ଖରାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପାଣି ବଣ୍ଟନ ଓ ଜଳ ସିଞ୍ଚନ କରାଯାଇଥିଲା। ପ୍ରଥମ ଦିନରେ ପ୍ରାୟ ୧୫ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏପରିକି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *