ଦକ୍ଷିଣ ବିଶ୍ୱ ଯୁବ କୂଟନୀତିଜ୍ଞଙ୍କ ଓଡ଼ିଶା ପରିଭ୍ରମଣ
ଦକ୍ଷିଣ ବିଶ୍ୱ ଯୁବ କୂଟନୀତିଜ୍ଞଙ୍କ ଓଡ଼ିଶା ପରିଭ୍ରମଣ
କୋଣାର୍କ ସୂର୍ଯ୍ୟ ମନ୍ଦିର କଳାକୃତି ଦେଖି ହେଲେ ବିମୋହିତ
କୋଣାର୍କ,୧୩.୦୯(ଜ୍ଞାନ ରଞ୍ଜନ ବିଶ୍ଵାଳ)- ଭାରତର ବୈଦେଶିକ ମନ୍ତ୍ରଣାଳୟ ଓ ସୁଷମା ସ୍ୱରାଜ ପ୍ରତିଷ୍ଠାନ ଅଫ୍ ଫରେନ୍ ସର୍ଭିସ୍ ପକ୍ଷରୁ ୩ୟ ଦକ୍ଷିଣ ବିଶ୍ୱ ଯୁବ କୂଟନୀତିଜ୍ଞ ଦକ୍ଷତା ବିକାଶ ଓ ଶିକ୍ଷଣୀୟ ଭାରତ ଗ୍ରସ୍ତ ଅବସରରେ ଶନିବାର ଓଡ଼ିଶା ପରିଭ୍ରମଣ କରିଛନ୍ତି ୪୦ଟି ଦେଶର ପ୍ରତିନିଧି। ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର କଳାକୃତି ଦେଖି ସମସ୍ତେ ବିମୋହିତ ହୋଇଥିଲେ।

ଏସିଆ, ଆଫ୍ରିକା, ୟୁରେସିଆ, ଓସେନିଆ , ଲାଟିନ ଆମେରିକା ଓ କରେବିଆନ ଦ୍ଵୀପପୁଞ୍ଜ ଓ ମହାଦେଶର ୪୦ଟି ବିଭିନ୍ନ ଦେଶରୁ ଯୁବ କୂଟନୀତିଜ୍ଞ ମାନେ ଭାରତର ବୈଦେଶିକ ମନ୍ତ୍ରଣାଳୟ ସହଯୋଗରେ ୧୨ ଦିନିଆ ଭାରତ ଭ୍ରମଣରେ ଆସିଛନ୍ତି। ଭାରତର ବିଭନ୍ନ ରଜ୍ୟର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ, ଖାଦ୍ୟ ଓ ପାନୀୟ ଆଦି ଉପରେ ବ୍ୟାପକ ଜ୍ଞାନ ଅହୋରଣ ଓ ଦକ୍ଷତା ବିକାଶ ହାସଲ କରିବା ଏହାର ମୂଳ ଲକ୍ଷ୍ୟ। ସୁଷମା ସ୍ୱରାଜ ପ୍ରତିଷ୍ଠାନ ଅଫ୍ ଫରେନ୍ ସର୍ଭିସ୍ ଅଧକ୍ଷ ରାଜ କୁମାର ଯାଦବଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ମଣ୍ଡଳୀଙ୍କୁ କୋଣାର୍କ ଯାତ୍ରୀ ନିବାସ ପରିସରରେ ଭବ୍ୟ ସ୍ଵାଗତ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା। ସେଠାରେ ଓଡିଶା ସ୍ଵାଦିଷ୍ଟ ଖାଦ୍ୟ ବ୍ୟଞ୍ଜନ ମଧ୍ୟାହ୍ନ ଭୋଜନ ପରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ସୂର୍ଯ୍ୟ ମନ୍ଦିର ସୂକ୍ଷ୍ମ କାରୁକାର୍ଯ୍ୟ, କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ଦେଖି ସମସ୍ତ ଯୁବ ପ୍ରତିନିଧି ମାନେ ବିମୋହିତ ହୋଇଥିଲେ। ପରେ ପରେ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଧଉଳି ଠାରେ ଆଲୋକ ଓ ଶବ୍ଦ ପ୍ରକଳ୍ପ ଉପଭୋଗ କରିଥିଲେ। ଏହି ଅବସରରେ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ତତ୍ତ୍ଵାବଧାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, ପର୍ଯ୍ୟଟନ ଅଧିକାରୀ ଅମିୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
