ଜୀ-ସାର୍ଥକରେ ଅଗଷ୍ଟ ୭ ସନ୍ଧ୍ୟା ୭ ରୁ ଦେଖନ୍ତୁ ‘ଆମ ଝିଲି’ ଏକ ନୂଆ ରୂପରେ

ଜୀ-ସାର୍ଥକରେ ଅଗଷ୍ଟ ୭ ସନ୍ଧ୍ୟା ୭ ରୁ ଦେଖନ୍ତୁ ‘ଆମ ଝିଲି’ ଏକ ନୂଆ ରୂପରେ ଜୀ-ସାର୍ଥକର ଲୋକପ୍ରିୟ ଧାରାବାହିକ ‘ଆମ ଝିଲି’ ଆସୁଛି ଏକ ନୂଆ ରୂପ ନେଇ ଯାହା ଚିତ୍ରଣ କରିବ ଚୁଲବୁଲି ଝିଲିର ଏକ ଅବିଶ୍ଵସନୀୟ ଯାତ୍ରାକୁ । ଝିଲି ଏକ ସ୍ନେହୀ, ଯତ୍ନଶୀଳ ଓ ସମସ୍ତଙ୍କ ପ୍ରିୟ ଝିଅ ଯିଏକି ଏକଦା ମିଠା ମହଲରେ ସମସ୍ତଙ୍କ ପ୍ରିୟ ଥିଲା । ସେ କେବଳ ଏକ ପରିବାରକୁ ଏକାଠି କରିନଥିଲା ବରଂ ଆଶ୍ଚର୍ଯ୍ୟ ଭାବରେ ପୁରା ପରିବାର ଉପରେ ଏକ ପ୍ରକାରର ଯାଦୁ ମଧ୍ୟ କରିଥିଲା । ଟିଙ୍ଗା ବାବୁ ସିଦ୍ଧାର୍ଥ ମହାପାତ୍ରକୁ ଏକ ଯତ୍ନଶୀଳ ଓ ସ୍ନେହୀ ସ୍ବାମୀ ଭାବରେ ପରିଣତ କରିଥିଲା । କିନ୍ତୁ ସମୟଚକ୍ରରେ ଝିଲିର ଭାଗ୍ୟ ପରିବର୍ତ୍ତନ ହୁଏ, ପୁରା ପରିବାର ଏବଂ ସିଦ୍ଧାର୍ଥ ମଧ୍ୟ ପରିସ୍ଥିତରେ ପଡି ଏକ ପାରିବାରିକ ଷଡଯନ୍ତ୍ର ର ଶିକାର ହୁଅନ୍ତି ଏବଂ ଝିଲି ଉପରେ ସେମାନଙ୍କର ବିଶ୍ୱାସ ହରାନ୍ତି । ଏକଦା ଅନ୍ଧଭାବରେ ଭଲପାଉଥିବା ମହାପାତ୍ର ପରିବାର ଠାରୁ ବିଦାୟ ନିଏ ଝିଲି କିନ୍ତୁ ଶପଥ କରିଯାଏ ଯେ ଖୁବ ଶୀଘ୍ର ଫେରିବ ଏବଂ ଷଡଯନ୍ତ୍ର ପଛରେ ଥିବା ମନ୍ଦ ଶକ୍ତିଗୁଡ଼ିକର ମୁଖା ସମସ୍ତଙ୍କ ଆଗରେ ଖୋଲିବ ।ସମୟ ଅତିବାହିତ ହେଇଛି ଏବଂ ମାତ୍ର ଗୋଟିଏ ବର୍ଷରେ ମହାପାତ୍ର ପରିବାର ଧ୍ୱଂସ ମୁଖରେ ଅଛି । ତେବେ ଝିଲି ପୁଣି ପ୍ରତ୍ୟାବର୍ତ୍ତନ କରିଛି ଏକ ନୂଆ ଅବତାରରେ । ଏକଦା ସାଇକେଲରେ ମିଠା ବିକ୍ରି କରୁଥିବା ଝିଅ ବର୍ତ୍ତମାନ ନିଜେ ଏକ ବଡ଼ ମିଠା ଦୋକାନର ମାଲିକ । ଯଦିଓ ଝିଲିର କୌତୁକିଆ ମନୋଭାବ ଏବଂ ଆକସ୍ମିକ ଭୁଲ୍ ଭାଲ୍ ଇଂରାଜୀ କହିବାରେ କିଛି ଅଧିକ ପରିବର୍ତ୍ତନ ହୋଇନାହିଁ, ହେଲେ ବର୍ତ୍ତମାନ ସେ ଦୃଷ୍ଟିକୋଣରେ ଅଧିକ ଆତ୍ମବିଶ୍ୱାସୀ ଏବଂ ସଂକଳ୍ପବଦ୍ଧ ।ହେଲେ ପୁଣିଥରେ ଭାଂଗିଯାଇଥିବା ମହାପାତ୍ର ପରିବାରକୁ ଝିଲି ନିଜର ଭଲ ପାଇବା, ପ୍ରେମ,ନିଷ୍ଠା ଓ ବିଶ୍ୱାସ ବଳରେ ଗଢି ତୋଳିବାରେ ସଫଳ ହେବ ତ? ସେ ତା’ର ଟିଙ୍ଗା ବାବୁ ମାନେ ସିଦ୍ଧାର୍ଥକୁ ଫେରିପାଇବ ତ ? ଏମିତି ବହୁ ସମାହିତ ପ୍ରଶ୍ନର ଉତ୍ତର ନେଇ ଝିଲି ଜୀବନର ଦ୍ୱିତୀୟ ଅଧ୍ୟାୟ ଆରମ୍ଭ ହେଉଛି । ଦେଖନ୍ତୁ ପ୍ରଦ୍ୟୁମ୍ନ ଲେଙ୍କା ପ୍ରଯୋଜିତ ‘ଆମ ଝିଲି’, ଆରମ୍ଭ ହେଉଛି ଅଗଷ୍ଟ ୭ ରୁ ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭ ରୁ କେବଳ ଓଡ଼ିଶାର ଏକ ନମ୍ବର ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକରେ ।ଧାରାବାହିକ ‘ଆମ ଝିଲି’ର ମୁଖ୍ୟ ଚରିତ୍ର ଝିଲି ଚରିତ୍ରରେ ନିକିତା ମିଶ୍ର ଥିବା ବେଳେ ସିଦ୍ ଚରିତ୍ରରେ ଅମର ଛିଂଚନୀ ଅଛନ୍ତି, ଜେଜେ ଭୂମିକାରେ ଅନ୍ତର୍ଯାମୀ ପଣ୍ଡା ଓ ଜେଜେମା ଭୂମିକାରେ ପ୍ରଭାତୀ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛନ୍ତି ।ଚ୍ୟାନେଲ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ଯେ, “ପ୍ରଥମରୁ ଆମେ ଆମର ଦର୍ଶକଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ମନୋରଞ୍ଜନ ଜାରି ରଖିଛୁ । ଆମ ଧାରାବାହିକ ଗୁଡିକର ପ୍ରତ୍ୟେକ ଚରିତ୍ର ହେଉଛି ନୂତନ ଉଦୀୟମାନ ଓଡିଆ ମହିଳାମାନଙ୍କର ପ୍ରତିଫଳନ, ଯେଉଁମାନେ ନିଜର ତଥା ନିଜ ପରିବାରର ସ୍ୱପ୍ନକୁ ସାକାର କରିବାରେ ସର୍ବଦା ଚେଷ୍ଟାରତ । ‘ଆମ ଝିଲି’ର ଚରିତ୍ର ମଧ୍ୟ ସେହିପରି ଯିଏ ନିଜର ଓ ନିଜ ପରିବାର ପାଇଁ ଦେଖିଥିବା ସ୍ବପ୍ନକୁ ସାକାର କରିବାପାଇଁ ସମସ୍ତ ପଦକ୍ଷେପ ନେଇଛି ତେଣୁ ‘ଆମ ଝିଲି’ ଧାରାବାହିକ ମାଧ୍ୟମରେ ଝିଲି ପୁଣି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆମର ଆଶା” ।

Leave a Reply

Your email address will not be published. Required fields are marked *